‘ସଂସ୍କୃତି’ର ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ନୃତ୍ୟ, ସଙ୍ଗୀତ ଓ କଳା ଶିକ୍ଷାନୁଷ୍ଠାନ ‘ସଂସ୍କୃତି’ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରିଜର୍ଭ ପୁଲିସ ଲାଇନରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଏଥିରେ ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କେବଳ ପାରମ୍ପରିକ ଶିକ୍ଷା ସଫଳତାର ମାପକାଠି ନୁହେଁ ବୋଲି କହିଥିଲେ । ଅନ୍ୟାନ୍ୟ କ୍ଷେତ୍ରରେ ବି ଦକ୍ଷତା ବିକାଶର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ଶିଶୁ ଓ କିଶୋର କିଶୋରୀଙ୍କ ସାମଗ୍ରୀକ ବିକାଶରେ ‘ସଂସ୍କୃତି’ ଅନୁଷ୍ଠାନକୁ ବିଶେଷ ସଫଳତା ମିଳିପାରିଛି ବୋଲି ଶ୍ରୀମତୀ ନାଥ ମତ ପ୍ରକାଶ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଳା ଓ ସଙ୍ଗୀତ ମାନବ ଜୀବନର ଅଙ୍ଗ ବୋଲି କହିଥିଲେ । ନୃତ୍ୟ, କଳା ଓ ସଙ୍ଗୀତ ବ୍ୟକ୍ତି ମାନସିକତାରେ ସକାରାତ୍ମକ ପ୍ରଭାବ ପକାଇବା ସହ ସୁନ୍ଦର ହୃଦୟ ସୃଷ୍ଟିରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ । ତେବେ ନୃତ୍ୟ, କଳା ଓ ସଙ୍ଗୀତ ପରମ୍ପରା ରକ୍ଷାରେ ‘ସଂସ୍କୃତି’ ଅନୁଷ୍ଠାନ ଇତିହାସ ସୃଷ୍ଟି କରୁ ବୋଲି ଶ୍ରୀ ଦାସ କାମନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଗୁରୁ ଗଙ୍ଗାଧର ସେଠୀଙ୍କୁ ସଂସ୍କୃତି ସମ୍ବର୍ଦ୍ଧନା ଓ କଣ୍ଠଶିଳ୍ପୀ ଚିରାଗଦୀପ ପଣ୍ଡାଙ୍କୁ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଶିକ୍ଷାର୍ଥୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା ।‘ସଂସ୍କୃତି’ର ଅଧ୍ୟକ୍ଷ ଅମୃତାଂଶୁ ପଟ୍ଟନାୟକ ଏଥିରେ ଯୋଗଦେଇ ଅନୁଷ୍ଠାନର ଶିକ୍ଷାଦାନ ଧାରା ଓ ଶିକ୍ଷାର୍ଥୀଙ୍କ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଡିଆଇବି ଡିଏସପି ବ୍ରଜେଶ୍ୱରୀ ବଳ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରିଜର୍ଭ ଇନସ୍ପେକ୍ଟର ବୀରେନ ବେହେରା ବିବରଣୀ ଉପସ୍ଥାପନ କରିଥିଲେ । ସିଟି ଡିଏସପି ଗାୟତ୍ରୀବାଳା ବେହେରା ଓ ସତ୍ୟଶ୍ରୀଧର ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିଲେ । ଡିଏସପି କ୍ଷିତୀଶ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।