ସକରାତ୍ମକ ବାର୍ତ୍ତା ଦେଲେ ଗଣମାଧ୍ୟମର ପ୍ରତିନିଧିମାନେ ସମ୍ମାନର ଅଧିକାରୀ ହୋଇପାରିବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ଜଳଶକ୍ତି ଏବଂ ଜନଜାତି ବିକାଶ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାଜର ଜାଗ୍ରତ ପ୍ରହରୀ ବୋଲି ଅଭିହିତ କରିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥାରେ ଗଣତନ୍ତ୍ରର ତିନିସ୍ତମ୍ଭକୁ ଲୋକମାନଙ୍କ ନିକଟରେ ଘରେ ଘରେ ପହଞ୍ଚାଇବା କ୍ଷେତ୍ରରେ ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ଭୂମିକା ଅଛି ବୋଲି କହିଛନ୍ତି । ବର୍ତ୍ତମାନ ସମୟରେ ଖବରକାଗଜ, ଟେଲିଭିଜନ ଆଦି ଗଣମାଧ୍ୟମଗୁଡ଼ିକ ସମ୍ବାଦ ଦେବା ସହିତ ଛାତ୍ରଛାତ୍ରୀ ତଥା ଲୋକମାନଙ୍କୁ ଜ୍ଞାନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତେଣୁ ସକରାତ୍ମକ ବାର୍ତ୍ତା ଦେଲେ ଗଣମାଧ୍ୟମର ପ୍ରତିନିଧି ତଥା ସାମ୍ବାଦିକମାନେ ସମ୍ମାନର ଅଧିକାରୀ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡ଼ୁ କହିଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଦୀପକ ମାଲବ୍ୟ ଉତ୍ସବରେ ଅଧ୍ୟକ୍ଷତା କରି ସାମ୍ବାଦିକର ବୃତ୍ତି ସମ୍ପର୍କରେ ଆଲୋଚନା ସହିତ ସରକାରଙ୍କୁ ଭିକ ମାଗିବା ପରିବର୍ତ୍ତେ ନିଜେ ସୁଦୃଢ ହେବା ପାଇଁ ପରାମର୍ଶ ଦେଇଥିଲେ । ବୃତ୍ତିଗତ ଭାବରେ ନିଜକୁ ନିରପେକ୍ଷ ରଖିବାକୁ ହେଲେ ସରକାରଙ୍କୁ ଛାଡ଼ିବାକୁ ପଡ଼ିବ ବୋଲି କହି ସାମ୍ବାଦିକତା ବୃତ୍ତିରେ ସରକାର ମାଲିକ ନୁହେଁ, ବରଂ ସାମ୍ବାଦିକର ନିୟନ୍ତ୍ରଣରେ ରହିବା ଉଚିତ୍ ବୋଲି ମତ ଦେଇଥିଲେ । ସରକାରଙ୍କ ଅନ୍ୟାୟ, ଅତ୍ୟାଚାରକୁ ପଦାରେ ପକାଇବାର ସାହସ ରଖିଲେ ସାମ୍ବାଦିକ ନାୟକ ହୋଇପାରିବ ବୋଲି ମତ ଦେଇଥିଲେ । ମିଡ଼ିଆ ଏବଂ ନ୍ୟାୟପାଳିକା ଉପରେ ବର୍ତ୍ତମାନ ଲୋକଙ୍କର ଆସ୍ଥା ଥିବାରୁ ଏ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ଶଠ ବୃତ୍ତି ପରିତ୍ୟାଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।ଆଲୋଚନାରେ ନେପାଳ ପ୍ରେସ୍ କାଉନସିଲ୍‌ର ଅଧ୍ୟକ୍ଷ ତଥା ଡବ୍ଲୁଏପିସିର ମହାସଚିବ କିଶୋର ଶ୍ରେଷ୍ଠା ମୁଖ୍ୟବକ୍ତା ରୂପେ ଯୋଗଦେଇ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ନେପାଳରେ ପ୍ରଶାସନିକ ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କୁ ସୂଚନା ପହଞ୍ଚାଇବା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ରହିଥିବା ସମ୍ପର୍କକୁ ନେଇ ଗଣମାଧ୍ୟମଗୁଡ଼ିକ ଭୂମିକାର ପ୍ରଶଂସା କରିଥିଲେ ।ମଙ୍ଗଳବାର ଦିନ ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ରିଜିଓନାଲ ଆଉଟ୍‌ରିଚ୍ ବ୍ୟୁରୋ (ଆରଓବି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଅମିତ୍‌)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୧’ ପ୍ରଦାନ କରାଯିବା ସହିତ ଅନ୍ୟ ରାଜ୍ୟର ବିଭିନ୍ନ ସମ୍ବାଦପତ୍ରର ୬ଜଣ ସାମ୍ବାଦିକ ଗୁଜୁରାଟ ସୁରଟର ଲୀଳାଚାନ୍ଦ ପୌନିକର, ମହାରାଷ୍ଟ୍ରର ରାମ୍‌କୁମାର ପାଲ ଓ ସନ୍ତୋଷ ପାଣ୍ଡେ, ଚେନ୍ନାଇର ଶିବରାଜି ସୁକୁମାର ଓ ଗଣପତି ସୋମାସୁନ୍ଦରମ୍ ଏବଂ ଆଫାଗାନିସ୍ଥାନରୁ ପ୍ରଶାନ୍ତ ଶତପଥୀ ପ୍ରମୁଖଙ୍କୁ ଜାତୀୟସ୍ତରରେ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ୨୦୨୦ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅଲିଭା ଅଭିଲିପ୍ସା ଓ ଯଜ୍ଞଜ୍ୟୋତି ବେହେରାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୧’, ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ ପାୟଲ ପଟ୍ଟନାୟକଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୧’, କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଅବନ୍ତିକା ମିଶ୍ରଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୧’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ମନସ୍ୱିନୀ ମିଶ୍ରଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୧’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେଶନ (ଆଇଆଇଏମ୍‌ଏସ୍‌)ର ଓଡ଼ିଆ ବିଭାଗର ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୧’ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଅର୍ପିତା ନନ୍ଦଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା । ‘ଓ’ଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାଶ ମହାନଦୀର ମୁଣ୍ଡଳୀ ଆନିକଟସ୍ଥିତ ପାଣିସୁଅରେ ଫଶି ରହିଥିବା ଏକ ଜଙ୍ଗଲୀ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ୍‌ର ଏକ ଡ଼ଙ୍ଗାରୁ ଓଲଟିପଡ଼ି ପ୍ରାଣ ହରାଇଥିବାରୁ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଏମ୍‌ଜିଏମ୍‌ସି ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଜଣଙ୍କୁ ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ନିଷ୍ପତ୍ତି ନେଇଛି ।ରାଜ୍ୟର ୨୮ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୋଷ ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ କୁମାର ଦାଶ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅର୍ଜୁନ ରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ମହାନ୍ତି, ସେକ୍ ଅବଦୁଲ ମନାନ୍‌, ସୁରେନ୍ଦ୍ର ସାହୁ, ଭାଗବତ ତ୍ରିପାଠୀ, ଶ୍ରୀରାମ ଦାଶ, ସୁଦାମ ଚରଣ ନାୟକ, ହଳଧର ଧୀର, ଅଜିତ୍ କୁମାର ମହାନ୍ତି, ଅକ୍ଷୟ କୁମାର ପତି, ସୁବାସ ପାଣିଗ୍ରାହୀ, ସୁଜ୍ଞାନ ଚୌଧୁରୀ, ଗୁରୁକଲ୍ୟାଣ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ତ୍ରିଲୋଚନ ମହାପାତ୍ର, ଗୌରାଙ୍ଗ ଚରଣ ହୋତା, ଶରତ ଚନ୍ଦ୍ର ଦାଶ, ପଦ୍ମନାଭ ଜେନା ଓ ରବି ରଥଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌ସନ ପ୍ରଦାନ କରାଯାଇଥିଲା ।ଅପରାହ୍ନ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ରବି ରଥ କହିଥିଲେ ଯେ, ୧୯୬୬ ମସିହା ନଭେମ୍ବର ୧୬ ତାରିଖ ଦିନ ସମଗ୍ର ଦେଶରେ ଗଣମାଧ୍ୟମ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁବିଧା ଉଦ୍ଦେଶ୍ୟରେ ପ୍ରେସ୍ କାଉନସିଲ ଗଠିତ ହୋଇଥିଲା । ସେହି ଦିବସକୁ ମନେ ପକାଇ ସ୍ୱାଧୀନତା ସଂଗ୍ରାମରେ ପ୍ରେସ୍‌ର ଭୂମିକା ଥିବା ଭଳି ଓଡ଼ିଶା ରାଜ୍ୟ ଗଠନ ସମୟରେ ଭାଷା ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ଗଣମାଧ୍ୟମର ଭୂମିକା ରହିଥିଲା । ସେତେବେଳେ ଗଣମାଧ୍ୟମ ପ୍ରଶାସନିକ ବ୍ୟବସ୍ଥା ଉପରେ ଚାପ ପକାଇବାରେ ସମର୍ଥ ହୋଇଥିବା ସ୍ଥଳେ ଆଜି ଅନିଶ୍ଚିତ ଅବସ୍ଥାରେ ରହିଛି । ବିଚାର ବ୍ୟବସ୍ଥା, ଶାସନ ବ୍ୟବସ୍ଥା ଓ ରାଜନୀତିକୁ ସଜାଡ଼ିବାରେ ଗଣମାଧ୍ୟମର କ୍ଷମତା ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ସୁଦୃଢ କରିବା ଆବଶ୍ୟକ ବୋଲି ଶ୍ରୀ ରଥ କହିଥିଲେ ।ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା ଉତ୍ତମ ପ୍ରଶାସନ ପାଇଁ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରି ସରକାରୀଙ୍କ ମିଛ ଧରା ପକାଇବା ବୁଦ୍ଧିଜୀବୀମାନଙ୍କ କର୍ତ୍ତବ୍ୟ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବକ୍ତବ୍ୟ ଉଦ୍ଧାର କରି ଆଜିର ଗଣମାଧ୍ୟମ ପ୍ରଭାବିତ ହୋଇଥିଲେ ମଧ୍ୟ ଦୁର୍ବଳ ନୁହେଁ ବୋଲି କହିଥିଲେ । ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଦୁର୍ନୀତିମୁକ୍ତ ପ୍ରଶାସନ, ମାନବିକ ଅଧିକାରର ସୁରକ୍ଷା, ଉତ୍ତରଦାୟିତ୍ୱ ଏବଂ ଉତ୍ତମ ଶାସନ ପାଇଁ ସମଗ୍ର ବ୍ୟବସ୍ଥାକୁ ଗଣମାଧ୍ୟମ ନିୟନ୍ତ୍ରଣ କରେ ବୋଲି କହିଥିଲେ ।କରୋନା ସଂକ୍ରମଣ ଜନିତ ଲକଡ଼ାଉନ ସମୟରେ କେବଳ ଗଣମାଧ୍ୟମ ଯୋଗୁ ହିଁ ଜନସାଧାରଣ ଉପଯୁକ୍ତ ସମୟରେ ଉପଯୁକ୍ତ ସୂଚନା ପାଇଥିଲେ ବୋଲି ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଦୁଇ/ତିନି ଦଶନ୍ଧି ତଳର ସାମ୍ବାଦିକତା ପ୍ରଶାସନ ଉପରେ ପ୍ରଭାବ ପକାଇ ପାରୁଥିବା ସ୍ଥଳେ ବର୍ତ୍ତମାନ ଏହା ଦୁର୍ବଳ ହୋଇଯାଉଥିବା କହିଥିଲେ । ସତ କହିଲେ ସାମ୍ବାଦିକ ଦଣ୍ଡିତ ହବାର ଭୟ ଥିବାରୁ ଏଭଳି ଭୟକୁ ପ୍ରଶାସନ ଦୂର କରିବା ଉଚିତ ବୋଲି ମତ ଦେଇଥିଲେ । ଉତ୍କଳ ମେଲ୍‌ର ସମ୍ପାଦକ ପୀତବାସ ମିଶ୍ର ଗଣମାଧ୍ୟମର ଶକ୍ତି ସମ୍ପର୍କରେ ଆଲୋଚନା କରି ସରକାରଙ୍କୁ ଗଢିବା କିମ୍ବା ଭାଙ୍ଗିବା ଶକ୍ତି ରହିଛି ବୋଲି କହିଥିଲେ । ଏଭଳି ଶକ୍ତିର ପ୍ରୟୋଗ ନକରି ସାଲିସ୍ କରିବା ମନୋବୃତ୍ତି ରଖିଲେ ଉତ୍ତମ ପ୍ରଶାସନ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ମତ ଦେଇଥିଲେ । ‘ସମାଜ’ର ସଂଯୋଜକ ସୁରେଶ ମନ୍ତ୍ରୀ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣର ପରିସଂଖ୍ୟାନ ଦେଇ ଗତ ୨୦୨୦ ମସିହାରେ ୬୬ଜଣ ସାମ୍ବାଦିକଙ୍କୁ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ହତ୍ୟା କରାଯାଇଥିବା ଏକ ଉଦ୍‌ବେଗଜନକ ଘଟଣା ବୋଲି କହିଥିଲେ । ଡ଼ୁମାଣୀ ମେଲ୍‌ର ସମ୍ପାଦକ ଅଶୋକ ପଣ୍ଡା ସାମ୍ବାଦିକତା ବୃତ୍ତିର ମହନୀୟତା ବର୍ଣ୍ଣନା କରି ଏବର୍ଷ ଦୁଇଜଣ ସାମ୍ବାଦିକ ନେବୋଲ ପୁରସ୍କାର ପାଇଥିବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅମିତ୍ କଲେଜର ଅଧ୍ୟକ୍ଷ ଡ. ଶରତ କୁମାର ନାୟକ ସର୍ବନିମ୍ନ ନ୍ୟାୟ ଏବଂ ସର୍ବନିମ୍ନ ଜନକଲ୍ୟାଣ ଲୋକମାନଙ୍କୁ ଦିଆଯିବା କ୍ଷେତ୍ରରେ ଉତ୍ତମ ପ୍ରଶାସନ ପାଇଁ ଗଣମାଧ୍ୟମର ଭୂମିକା ଆଲୋଚନା କରିଥିଲେ । ବରିଷ୍ଠ ଶ୍ରୀରାମ ଦାଶ ଏହି ଆଲୋଚନାରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମାଜର ସ୍ରଷ୍ଟା, ବିଦ୍ୟୁଷକ କିମ୍ବା ଧ୍ୱଂସକାରୀ ସାଜିବ ତାହା ନିର୍ଦ୍ଧାରଣ କରିନେବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକ ତଥା ୟୁଟି ମିରର ସମ୍ପାଦକ ସନ୍ତୋଷ ପାଣ୍ଡେ ଏବଂ ଦିଲ୍ଲୀର ବରିଷ୍ଠ ସାମ୍ବାଦିକ ଛାୟାକାନ୍ତ ନାୟକ ସାମ୍ବାଦିକତା ବୃତ୍ତିରେ ଆତ୍ମସନ୍ତୋଷ ରହିଥିଲେ ମଧ୍ୟ ନିରାପତ୍ତା ନାହିଁ ବୋଲି କହିଥିଲେ ।ଅପରାହ୍ନ ଅଧିବେଶନର ଆଲୋଚନା ଚକ୍ରରେ ଅମିତ୍ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଆଦି ଯୋଗ ଦେଇଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଏହି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଭାସ ରଞ୍ଜନ ଦାସ, ସରୋଜ ସ୍ୱାଇଁ, ସାଇ ପ୍ରକାଶ ଦାସ ଓ ମନୋଜ ପ୍ରଧାନ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ