ସକାଳେ ନିଶ୍ଚିତ ଖାଆନ୍ତୁ ଜଳଖିଆ
ଆପଣ ସକାଳ ଜଳଖିଆ ଖାଇବାକୁ ଭୁଲିଯାଉଛନ୍ତି କି? ଯଦି ଏପରି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଦ୍ୱାରା ଆପଣଙ୍କୁ ବହୁତ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ । ଏକ ସର୍ଭେ ଅନୁଯାୟୀ ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ । କେବଳ ସେତିକି ନୁହେଁ, ଏହାଦ୍ୱାରା ହୃଦ୍ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ । ସକାଳ ଜଳଖିଆ ନ ଖାଇବା ଫଳରେ ମୋଟାପଣ ବଢ଼ିଥାଏ, ଯାହା ଦ୍ୱାରା ହୃତ୍ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ପ୍ରତ୍ୟେକ ଦିନ ବ୍ରେକ୍ଫାଷ୍ଟ କରିବା ଦ୍ୱାରା ଶରୀରର ଓଜନ ଠିକ୍ ରହିଥାଏ । ବ୍ରେକ୍ଫାଷ୍ଟ କରୁ ନ ଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ଅଧିକ ଖାଇଥାନ୍ତି । ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ । ସେହିପରି ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି ସେମାନଙ୍କୁ ଟାଇପ୍ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ । ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ୱାସ୍ଥ୍ୟକର ବ୍ରେକ୍ଫାଷ୍ଟ ସେବନ କରନ୍ତୁ ।


