ସକାଳ ୮ଟାରେ ଦିଲ୍ଲୀ ବିଧାନସଭା ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ : ଦିଲ୍ଲୀର ୭୦ଟି ବିଧାନସଭା ପାଇଁ ମଙ୍ଗଳବାର ହେବ ଭୋଟ ଗଣତି। ଏହି ଗଣତି ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଜଣାପଡିଛି। ସେଥିପାଇଁ ଦିଲ୍ଲୀରେ ୨୧ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି। ଏଥିପାଇଁ ୩୩ ଜଣ ଗଣତି ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବ ଦିଲ୍ଲୀ ପାଇଁ ସିଡବ୍ଲୁଜି ସ୍ପୋର୍ଟସ କଂପ୍ଲେକ୍ସ, ପଶ୍ଚିମ ଦିଲ୍ଲୀ ପାଇଁ ଏନଏସଆଇଟି ଦ୍ବାରିକା, ଦକ୍ଷିଣ ଦିଲ୍ଲୀ ପାଇଁ ମିରାବାଇ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି, ଜିବି ପନ୍ଥ ଇନଷ୍ଟିଚ୍ୟୁଟ, କେନ୍ଦ୍ରୀୟ ଦିଲ୍ଲୀ ପାଇଁ ସିଭି ରମଣ ଆଇଟିଆଇଏବଂ ଉତ୍ତର ଦିଲ୍ଲୀ ପାଇଁ ରାଜୀବ ଗାନ୍ଧୀ ଷ୍ଟାଡିୟମ ପ୍ରଭୃତି ସ୍ଥାନରେ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି।
ଦିଲ୍ଲୀରେ ମୁଖ୍ୟତଃ ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଏଥର ନିର୍ବାଚନରେ ୬୭୨ ଜଣ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୫୯୩ ଜଣ ପୁରଷ ଥିବା ବେଳେ ୭୯ ଜଣ ମହିଳା ପ୍ରାର୍ଥିନୀ ଅଛନ୍ତି। ଦିଲ୍ଲୀରେ ସିଏଏ ରାଲି ଚାଲିଥିବାରୁ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦିନ ୧୦ଟା ବେଳକୁ କେଉଁ ଦଳ ଆଗୁଆ ଅଛି ତାହା ଜଣାପଡିବ ବୋଲି ଆଶା କରାଯାଉଛି।