‘ସକ୍ଷମ ଫାଉଣ୍ଡେସନ’ପକ୍ଷରୁ ଆଜିମାବାଦରେ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱେଚ୍ଛାସେବୀ ଅନୁଷ୍ଠାନ‘ସକ୍ଷମ ଫାଉଣ୍ଡେସନ’ ପକ୍ଷରୁ ପ୍ରତିବର୍ଷ ଭଳି ସହରର ଆଜିମାବାଦ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିବା ସହିତ ସମସ୍ତ ସ୍ୱେଚ୍ଚାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପାଠ ପଢିବା ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପ୍ରକାଶ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ତେବେ ଜିଲାରେ ରକ୍ତର ଅଭାବ ପୂରଣ ପାଇଁ ସକ୍ଷମ ଫାଉଣ୍ଡେସନ ଭଳି ଅନ୍ୟ ଅନୁଷ୍ଠାନମାନେ ମଧ୍ୟ ଆଗେଇ ଆସିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । କବି ପ୍ରଶାନ୍ତ ଦାସ, କବି ପ୍ରଦୀପ ଚାଟାର୍ଜୀ, ଆଇନଜୀବୀ ଶାନ୍ତନୁ ଦାସ, ଯୁବ ସଂଗଠକ ଅତୁଲ ଶତପଥୀ, ପର୍ଶୁରାମ ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କ ଏଭଳି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ଯୁବବର୍ଗଙ୍କଠାରେ ଏହିଭଳି ମାନସିକତା ରହିଲେ ରକ୍ତର ଅଭାବରେ କାହାରି ମୃତ୍ୟୁ ହେବନାହିଁ ବୋଲି ସେମାନେ କହିଥିଲେ । ସକ୍ଷମ ଫାଉଣ୍ଡେସନର ସଭାପତି ଶଶିକାନ୍ତ ରାଉତ, ସମ୍ପାଦକ ଦୀପକ ଦ୍ୱିବେଦୀ ଓ ଉପଦେଷ୍ଟା ନବଘନ ରାଉଳ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବହୁ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ପଦ୍ମଲୋଚନା ଶିଅଳ, ଦୂର୍ଗାପ୍ରଶନ୍ନ ଭୋଇ, ରମାକାନ୍ତ ସେନାପତି, ତାରାକାନ୍ତ ପ୍ରଧାନ, ଅରବିନ୍ଦ ସାହୁ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ସଂଗଠନର ସଦସ୍ୟମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଜିଲା ରେଡକ୍ରସ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଭଣ୍ଡାର କର୍ମଚାରୀମାନେ ଏହି ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବିର ଶେଷ ସୁଦ୍ଧା ୨୦୦ରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


