ସଖୀବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୁରାଣ ପ୍ରସିଦ୍ଧ ଗୁପ୍ତକ୍ଷେତ୍ର ସଖୀବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ କ୍ଷେତ୍ର ମାନ୍ୟତାପ୍ରାପ୍ତ ଏହି ଆଧ୍ୟାତ୍ମିକ ପୀଠ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମାରୋହରେ ଗୌରବାନ୍ୱିତ ହୋଇଥିଲା । ପ୍ରଶାସନର ଅନୁମତି ପାଇ ପୋଲିସ ଓ ସରକାରୀ ଅଧିକାରୀଙ୍କ ସହାୟତାରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଶୁଭାଧିବାସ ଓ ଯଜ୍ଞର ଅଙ୍କୁରାରୋପଣର ଅୟମାରମ୍ଭ ପରେ ପବିତ୍ର ରାମନବମୀ ଅବସରରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ଘୃତଯଜ୍ଞ କରାଯାଇଥିଲା । ଦେଢଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷମାନେ ପବିତ୍ର ଲୁଣା ନଦୀରୁ ଜଳ ଉତ୍ତୋଳନ କରି ଏକ ମନୋଜ୍ଞ ପରିବେଶ ଭିତରେ କଳସ ଯାତ୍ରା ୩/୪ଟି ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ôଚଥିଲା । ସୂର୍ଯ୍ୟପୂଜା, ଗୋପୂଜା ସହ ଯଜ୍ଞ ନାରାୟଣଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମାଭିଷେକ ଓ ରାମାହୂତି କାର୍ଯ୍ୟ କରାଯାଇଥିଲା । ଦ୍ୱିତୀୟ ଦିନ ବଳଭଦ୍ର ପୂଜା ଉପଚାର ଓ ସହସ୍ର ନାମ, ତୃତୀୟ ଦିନ ଚଣ୍ଡୀ ଯଜ୍ଞ, ଚତୁର୍ଥ ଦିନ ଭଗବତ ଗୀତାଯଜ୍ଞ, ପଞ୍ଚମ ଦିନ ରୁଦ୍ରଯଜ୍ଞ ହୋମ, ଷଷ୍ଠ ଦିନ ମହାଲକ୍ଷ୍ମୀ ହୋମ ଓ ଅନ୍ତିମ ଦିବସରେ ବିଷ୍ଣୁ ସହସ୍ରନାମ ଯଜ୍ଞ ହୋମ କରାଯାଇଥିଲା । ମହାଯଜ୍ଞ ସହ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତ୍ୟେହ ସନ୍ଧ୍ୟାରେ ଆଧ୍ୟାତ୍ମିକ ଭଜନ ପରିବେଶକୁ ମନମୁଗ୍ଧ କରିଦେଇଥିଲା । ପରମ୍ପରା ଅନୁଯାୟୀ ମେଜର ଭରତ ଚନ୍ଦ୍ର ଜେନାଙ୍କ ଦ୍ୱାରା ଶିକ୍ଷାବିତ ଭଜକୃଷ୍ଣ ରାଉତ, ସମାଜସେବୀ ଅଜୟ କୁମାର ରାଉତ ଓ ସଫଳ କୃଷକ ସୁରେଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡା ନଗରପାଳ ସରିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ,ନିର୍ମଳା ମହାନ୍ତି ଓ ପ୍ରମୋଦ ରଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବଗଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁବନି ସାହୁଙ୍କ ଆବାହକତ୍ୱରେ ନିକଟସ୍ଥ ୫/୬ଟି ଗ୍ରାମର ଅଧିବାସୀମାନେ ଏକତ୍ରିତ ହୋଇ ଗୁପ୍ତକ୍ଷେତ୍ରର ଗୌରବ ରକ୍ଷା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କ୍ଷୀରାଦ କୁମାର ପଣ୍ଡା ମହାଯଜ୍ଞର କର୍ତ୍ତା ହୋଇ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିଥିଲେ । ଗରାପୁର ବ୍ରାହ୍ମଣ ଶାସନର ରବିନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବୈଷ୍ଣବ ଚରଣ ସ୍ୱାଇଁ, ବାବୁଲି ଚରଣ ଖଟୁଆ, ପତିତପାବନ ବିଶ୍ୱାଳ, ଦିଲ୍ଲୀପ କୁମାର ସାହୁ, ଶ୍ରୀବତ୍ସ ନାୟକ, ନରେନ୍ଦ୍ର କୁମାର ତ୍ରିପାଠୀ, ଗୌରାଙ୍ଗ ସାହାଣୀ, ସମୀର ରଞ୍ଜନ ବିଶ୍ୱାଳ, ସନ୍ଦୀପ କୁମାର ବେହେରା, କାମଦେବ ଜେନା, ଫକୀର ଚରଣ ଓଝା, ସୁବାଷ ଚନ୍ଦ୍ର ମଲ୍ଲ, ଗୌରାଙ୍ଗ ଚନ୍ଦ୍ର ଜେନା, ନିହାର ରଞ୍ଜନ କର, ନିର୍ମଳ ଚନ୍ଦ୍ର କର, ନବଘନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।