ସଙ୍ଗରୋଧରେ ବୁର୍ଲା ଭୀମସାର ମେଡ଼ିକାଲର ଡାକ୍ତର, ନର୍ସ
ସମ୍ବଲପୁର: କରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା କରୁଛନ୍ତି। ମାସ ମାସ ନିଜ ପରିବାକୁ ଦେଖା ନକରି ଅନବରତ ସେବା କରିଚାଲିଛନ୍ତି। ତେବେ ସମ୍ବଲପୁର ଜିଲ୍ଲାର ଏବେ ୧୫ଜଣ କରୋନା ଯୋଦ୍ଧାଙ୍କଠାରେ କରୋନା ଲକ୍ଷଣ ସନ୍ଦେହରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂଗରୋଧରେ ବୁର୍ଲା ଭୀମସାର ଡାକ୍ତରଖାନାର ୫ଜଣ ଡାକ୍ତର ଏବଂ ୧୦ଜଣ ନର୍ସ ରହିଛନ୍ତି। ଏହି ସମସ୍ତଙ୍କ ଭିତରୁ ୨ଜଣ ଅଧିକ ସଙ୍କଟାପନ୍ନ ଅଛନ୍ତି। ସମସ୍ତ ଡାକ୍ତର ନର୍ସଙ୍କ ସ୍ୱାବ ରିପୋର୍ଟ ନ ଆସିବା ଯାଏଁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଧିକ ସଙ୍କଟାପନ୍ନ ଥିବା ଡାକ୍ତରଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ ହେବ। ସୂଚନା ଥାଉକି ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ଜଣେ ରୋଗୀ ବୁର୍ଲା ଭୀମସାର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବର କୋଭିଡ଼ ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ଜଣ କରୋନା ଯୋଦ୍ଧାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି।


