ସଙ୍ଗୀତ ଓ ନୃତ୍ୟ ଜରିଆରେ କରୋନା ସଚେତନତା ପାଇଁ ଓଡିଶୀ ନୃତ୍ୟଗୁରୁ ଅଳକା ଓ ଛାତ୍ରୀମାନେ ପ୍ରଶଂସିତ
ଛତ୍ରପୁର, (ଓ୍ବାଇଏନ୍ଏସ୍) : କରୋନାକୁ ନେଇ ଦେଶବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଓ ପଦକ୍ଷେପ ନିଆଯାଉଛି । ଏହା ମଧ୍ୟରେ ସ୍ୱେଚ୍ଛାସେବୀ ଭାବେ ବହୁ କଳାକାରମାନେ ସେମାନଙ୍କ ଗୀତ ଓ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇ ଆସୁଛନ୍ତି । ଏସବୁ ଭିତରେ ଛତ୍ରପୁର ଅଞ୍ଚଳର ଜଣେ ସୁନାମଧାନ୍ୟ ଓଡିଶୀ ନୃତ୍ୟଗୁରୁ ଅଳକା ସାହୁ ଏକ ଲୋକନୃତ୍ୟ ସ୍ୱରରେ କରୋନା ସଚେତନତା ନିମନ୍ତେ ସଙ୍ଗୀତକୁ ନିର୍ଦ୍ଦେଶନା ଦେଇ ବେଶ୍ ଚର୍ଚ୍ଚା ଘେରକୁ ଆସିଛନ୍ତି । ତାଙ୍କରି ନିର୍ଦ୍ଦେଶିତ ଏକ ଲୋକନୃତ୍ୟ ସ୍ୱରରେ ପ୍ରସ୍ତୁତ ହୋଇଥିବା ସଙ୍ଗୀତ ଆମେ କିପରି କରୋନା ଭଳି ମହାମାରୀରୁ ସୁରକ୍ଷା ପାଇପାରିବା ସେ ବିଷୟକୁ ନେଇ ଓଡିଶା ରାଜ୍ୟ ତଥା ଗଂଜାମ ଜିଲ୍ଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏଥିସହ ଏହି ସଙ୍ଗୀତ ଓ ଲୋକନୃତ୍ୟରେ ନୃତ୍ୟଗୁରୁ ଅଳକାଙ୍କ ଛାତ୍ରୀ ଅଙ୍କିତା ରଥ, ଛବିନା ପ୍ରିୟଦର୍ଶନୀ, ସନ୍ଧ୍ୟାରାଣୀ ସାହୁ, ଅନ୍ୱେଷା ସାହୁ, ସ୍ମୃତି ରାଣି ସାହୁ ପ୍ରମୁଖ ଅଭିନୟ କରି କରୋନା ଯୁଦ୍ଧରେ ସାମିଲ ହୋଇଥିବା ଡାକ୍ତର, ପୁଲିସ ଓ ପ୍ରଶାସନଙ୍କୁ ବେଶ୍ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଏହି ସଙ୍ଗୀତକୁ କଣ୍ଠଶିଳ୍ପୀ ଭାବେ ଛାତ୍ରୀ ଛବିନା ପ୍ରିୟଦର୍ଶନୀ ପରିବେଷଣ କରିଥିଲେ ।


