ସଚେତନତା ଅଭାବରୁ ଖାଲି ପଡୁଛି ସାମୟିକ ସ୍ୱାସ୍ଥ୍ୟ ଶିବିର
ବନ୍ତ (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କରୋନା ମହମାରୀ ମୁକାବୁଲା ପାଇଁ ପ୍ରତି ପଞ୍ଚାୟତରେ ସାମୟିକ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରିଛନ୍ତି । ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ସଂପର୍କରେ ସମସ୍ତ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଅବଗତ କରାଯାଇଛି । ମାତ୍ର ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ଖୋଲା ଯାଇଥିବା ସାମୟିକ ସ୍ୱାସ୍ଥ୍ୟ ଶିବିର ବାସ୍ତବକ୍ଷେତ୍ରରେ ଖାଲି ପଡିଥିବା ଦେଖାଯାଉଛି । ପ୍ରତ୍ୟେକ ଶିବିରରେ ୨୦ଟି ଶର୍ଯ୍ୟା, ଆଲୋକ, ପାଣି, ପାଇଖାନା, ଔଷଧ ଆଦିର ବ୍ୟବସ୍ଥା ଥିବା ବେଳେ କେତେକ ପଞ୍ଚାୟତରେ ଦେଶ ବାହାରୁ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ମାନେ ସଚେତନତା ଅଭାବରୁ ଏଠାରେ ରହୁନଥିବାର ଦେଖାଯାଇଛି । ସେହିପରି କେତେକ ପଞ୍ଚାୟତରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ରହିବାର ଆବଶ୍ୟକ ସୁବିଧା ନଥିବାରୁ ସେମାନେ ରହିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖାଯାଇଛି । ବସନ୍ତିଆ ପଞ୍ଚାୟତରେ ବାହାର ରାଜ୍ୟରୁ ଆସିଥିବା କିଛି ବ୍ୟକ୍ତି ସାମୟିକ ସ୍ୱାସ୍ଥ୍ୟ ଶିବିରରେ ନରହି ନିଜସ୍ୱ ତତ୍ତ୍ୱାବଧାନରେ ଆଇସୋଲେସନରେ ରହୁଥିବା ଦେଖାଯାଇଛି । ସେମାନଙ୍କୁ ପଚାରିବାରୁ ସାମୟିକ ଶିବିରରେ ତାଙ୍କୁ ଖାଇବା ପାଇଁ ସୁବିଧା କରାଯାଉନଥିବାରୁ ସେମାନେ ନିଜସ୍ୱ ବ୍ୟବସ୍ଥାରେ ଅନ୍ୟତ୍ର ଆଇସୋଲେସନରେ ରହୁଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ପଞ୍ଚାୟତ ତରଫରୁ ଖାଇବା ବ୍ୟବସ୍ଥା କରାଯାଉନଥିବାରୁ ଲୋକ ମାନେ ସାମୟିକ ଶିବିରରେ ରହିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଜଣାଯାଇଛି । ଅପରପକ୍ଷେ ବିଭିନ୍ନ୍ ପଞ୍ଚାୟତର ସରପଞ୍ଚ ମାନଙ୍କୁ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ ମଧ୍ୟ ଏହା ସଠିକ୍ ଭାବେ ପାଳନ କରାଯାଉନଥିବା ଦେଖାଯାଇଛି । ଅଧିକାଂଶ ଗ୍ରାମରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ସଚେତନ କରାଇ ସେମାନଙ୍କୁ ସାମୟିକ ସ୍ୱାସ୍ଥ୍ୟ ଶିବିରକୁ ଆଣିବାକୁ ଜନପ୍ରତିନିଧି ମାନେ ସେପରି ଆଗ୍ରହ ପ୍ରକାଶ କରୁନଥିବା ଜଣାଯାଇଛି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।