ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀଙ୍କ କଟକ ରୁ ଦିଲ୍ଲୀ ପଦଯାତ୍ରା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କଟକ ଜିଲ୍ଲା ନିଶ୍ଚିନ୍ତପୁର ଗ୍ରାମର ଦୁଃସାହସୀ ଯୁବ ସମାଜସେବୀ ଅଜୟ ବେହେରା (୪୦) ଗତ ଜୁଲାଇ ୬ ତାରିଖରୁ କଟକରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମପୀଠରୁ କରୋନା ସଚେତନତା ବାର୍ତ୍ତା ନେଇ ପଦଯାତ୍ରାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଗୁରୁବାର ଦିନ ଅପରାହ୍ନ ୫ଘଟିକାରେ ରାଇରଙ୍ଗପୁର ପହଞ୍ଚି ଥିଲେ । ରାଇରଙ୍ଗପୁରର ସମାଜସେବୀ ଅରବିନ୍ଦ ବାଗାଡିଆ, ପ୍ରତ୍ୟୁଷ ପରିଡ଼ା, ରୂପକ ମହାନ୍ତି, ପୂର୍ଣେନ୍ଦୁ ମହାନ୍ତି, ଶୁଭେନ୍ଦୁ ମହାନ୍ତି,ରାଜେଶ ମହାନ୍ତି, ଦେବାଶିଷ ବେହେରା, ରଜତ ମହାନ୍ତି, ତପନ ମହାନ୍ତ, ଲମ୍ବୋଦର ମହାନ୍ତ, ଅମିତ ସାହୁ ଏବଂ ଅନ୍ୟମାନେ ତାଙ୍କର ଦୁଃସାହସିକ ପଦକ୍ଷେପ ଓ ସାମାଜିକ କାର୍ଯ୍ୟ ନେଇ ପ୍ରଶଂସା କରିବା ସହ ଶୁଭେଛା ଜଣାଇଥିଲେ । ସ୍ଥାନୀୟ ହରପାର୍ବତୀ ମଣ୍ଡପରେ ତାଙ୍କର ରହଣି,ଖାଦ୍ୟ,ଔଷଧ ଇତ୍ୟାଦି ଯୋଗାଇ ଦେଇଥିଲେ । ଆଷାଢ଼ ସରିବାକୁ ବସୁଛି । ଝିପିରି ଝିପିରି ବର୍ଷା ଓ ଆକାଶରେ ଘନଘନ ଘଡଘଡି ଓ ବିଜୁଳି କୁ ଖାତିର ନ କରି ଜୀବନକୁ ପାଣି ଛଡାଇ ଘରେ ସ୍ତ୍ରୀ ଓ ଦୁଇ ସନ୍ତାନକୁ ଛାଡି ସମାଜର ମଙ୍ଗଳ ପାଇଁ ପାଦ ବଢେଇଛନ୍ତି ଅଜୟ । ନାଁ ଯେମିତି ଅଜୟ କାମ ସେମିତି ଅଜୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ୬ ଷ୍ଠ ଶ୍ରେଣୀ ।ହେଲେ ତାଙ୍କର ସମାଜସେବା, ସାହସିକତା, ମାନବିକତା ନଭଶ୍ଚୁମ୍ଭୀ । ସମାଜରେ ଭଲ ମଣିଷ ହେବାକୁ ହେଲେ କେବଳ ଯେ ଶିକ୍ଷାଗତ ଯୋଗ୍ୟତା ଏକ ମାପକାଠି ନୁହେଁ । ବିଶାଳ ହୃଦୟ, ଉନ୍ନତ ଚିନ୍ତାଧାରା, ମାନସିକତା, ମାନବିକତା ଥିବା ଦରକାର । ଅତି ଗରୀବ ଘରର ଯୁବକଟିଏ ହେଲେବି ହୃଦୟ ତାଙ୍କର ସମୁଦ୍ର ଓ ଆକାଶଠାରୁ ବଡ଼ ।ଅତିତରେ ୨୦୦୮ ମସିହାରେ କଟକର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିକରୁ ମୁମ୍ବାଇ ଯାଇଥିଲେ ଏଡସ୍ ସଚେତନତା ବାର୍ତ୍ତା ନେଇ । ୨୦୦୮ ମସିହାରେ ରାଜ୍ୟ ପ୍ରଶାସନ ତରଫରୁ କିଛି ସାହଯୋଗ ମିଳି ନଥିଲା । ତେଣୁ ପ୍ରଶାସନ ଠାରେ ଏଥର ସେ ଆଣ୍ଠେଇ ନାହାନ୍ତି । ଜଗନ୍ନାଥ ମହାପ୍ରଭୁ, ତାଙ୍କର ଯୌଥ ପରିବାରର ଏବଂ ସମାଜର ହୃଦୟବାନ ଲୋକମାନେ ହିଁ ତାଙ୍କର ସାହା ଭରଷା । ଲୋକମାନେ ସରକାରଙ୍କ କଥା ମାନନ୍ତୁ, ଶୁଣନ୍ତୁ, କରୋନା ଟୀକା ନିଅନ୍ତୁ ଏବଂ ନିଜ ଧନ, ଜୀବନ, ପରିବାରର, ଜୀବନ ଓ ସମାଜର ଜୀବନ ରକ୍ଷାରେ ସହାୟକ ହୁଅନ୍ତୁ ଏହାହିଁ ତାଙ୍କର ବାର୍ତ୍ତା । ଶୁକ୍ରବାର ସକାଳ ୯ ଟା ସମୟରେ ରାଇରଙ୍ଗପୁର-ଟାନଗର ଯାଉଥିବା ବେଳେ ରାଇରଙ୍ଗପୁର ସହରର ମହୁଲଡିହାଠାରେ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଙ୍କ ବାସ ଭବନ ପାଖରେ ଛିଡ଼ା ହୋଇ ଶ୍ରୀମତୀ ମୁର୍ମୁ ଙ୍କ ବିଜୟ ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ରାଇରଙ୍ଗପୁର ଭଳି ଏକ ଛୋଟ ଉପାନ୍ତ ସହରରେ ଭାରତର ୧ ନମ୍ବର ନାଗରିକ ଦ୍ରୌପଦୀ ମୁର୍ମୁ ହେବେ ବୋଲି ସେ ବହୁ ଆନନ୍ଦିତ ଓ ଖୁସି ହୋଇଥିଲେ । ରାଇରଙ୍ଗପୁର ସହରବାସୀ ଭାଗ୍ୟବାନ ବୋଲି କହିଥିଲେ ।ଅଗଷ୍ଟ ୧୫ ରରେ ସେ ଦିଲ୍ଲୀ ଇଣ୍ଡିଆ ଗେଟ ପାଖରେ ପହଞ୍ଚିବେ । ଭଗବାନ ଆଶୀର୍ବାଦ ଦେଲେ ଶ୍ରୀମତୀ ମୁର୍ମଙ୍କୁ ସାକ୍ଷାତ କରିବା ପାଇଁ ଚେଷ୍ଟା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ