ସଟ୍ ଡାଉନର ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ

ଛତ୍ରପୁର,  (ୱାଇଏନ୍‌ଏସ୍‌):  ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗାଁରୁ ସହର ସବୁଠି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ମଙ୍ଗଳବାର ଆଉ ଦୁଇ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ଘଟିଛି । ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଆଉ ତିନୋଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୩୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ଗତକାଲଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ ଗତ କିଛିଦିନ ଭିତରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୋକାଲ ସଂକ୍ରମଣକୁ ରୋକିବା ଏବଂ କରୋନା ଚେନ କୁ ଭାଂଗିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ତହସିଲ, ଛତ୍ରପୁର ଏନଏସି ଓ ପୁଲିସ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଆଜିଠାରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଏନଏସି କୁ ୬ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହ ପଜିଟିଭ ଆକ୍ରାନ୍ତ ଅଂଚଳକୁ ନିଷିଦ୍ଧାଂଚଳ ଓ ତାକୁ ସଲଗ୍ନ କରିଥିବା ଅଂଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଏନଏସି ପକ୍ଷରୁ ଛତ୍ରପୁରକୁ ପ୍ରବେଶ କରିଥିବା ବିଭିନ୍ନ ରାସ୍ତାକୁ ବ୍ୟାରେକେଡ୍ ବାନ୍ଧି ସିଲ୍ କରାଯାଉଛି । ରିକାପଲ୍ଲୀ ରେଳଗେଟ, ଦେବୀନଗର ଛକ, ଏକାମ୍ରନଗର ଛକ, ଭିଜିଲାନ୍ସ ଅଫିସ ଛକ, କଲେଜ ଛକ ୱାନସାଇଡ, ଡିଆରଡିଏ ଛକର ୱାନସାଇଡ, ଗ୍ରୀଡ଼ ଛକ, ବାଲିବଗଡ଼ ରୋଡ଼, ଶାନ୍ତିନଗର ଛକ, କାଳୀ ମନ୍ଦିର ଦ୍ୱିତୀୟ ଗଳି ସମେତ ବିଭିନ୍ନ ଯାତାୟତ ରାସ୍ତାକୁ ସିଲ୍ କରାଯାଇଛି ଏବଂ ନିଷିଦ୍ଧାଚଂଳ ସମେତ ବିଭିନ୍ନ ସାହି ବାସିନ୍ଦାଙ୍କ ନିମନ୍ତେ ଏନଏସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବା ନିମନ୍ତେ ବ୍ୟବସାୟୀମାନଙ୍କ ହ୍ୱାଟସ୍ ଆପ ନମ୍ବର ଜାରି କରାଯାଇଛି । ଆଜି ଏହାର ସ୍ଥିତି ପରଖିବା ନିମନ୍ତେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ଏବଂ ଛତ୍ରପୁର ଥାନାଧିକାରୀ ପିୟସ ରଞ୍ଜନ ଛୋଟରାୟ, ଛତ୍ରପୁର ଏନଏସିର ୧୪ଟି ୱାର୍ଡ଼ ର ସାହି ବସ୍ତି ବୁଲି ପରିଦର୍ଶନ କରିଥିଲେ । ପୁଲିସ ମଧ୍ୟ ସମସ୍ତ ଅଂଚଳ ବୁଲି କଡ଼ା ପେଟ୍ରୋଲିଂ କରୁଥିଲେ । ନିଷିଦ୍ଧାଂଚଳର ଲୋକଙ୍କ ସହିତ ସମଦୂରତା ରହି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ