ସଡକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲ ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଛି । ମୃତ ଯୁବକ ଜଣକ ବନ୍ତ ଥାନା ଅଧିନ ସାହାଡାପଲ୍ଲୀ ଗ୍ରାମର ଭାସ୍କର ଲେଙ୍କାଙ୍କ ଏକମାତ୍ର ପୁଅ ବିକାଶ(୩୨) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ, ଅପରାହ୍ନ ୫ଟା ବେଳେ ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲ ଠାରେ ଥିବା ଟର୍ଣ୍ଣିଂ ପଏଣ୍ଟ ନିକଟରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳେ ପଡିଥିବାର କୌଣସି ବ୍ୟକ୍ତି ଦେଖି ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସମେତ ପରିବାରଲୋକେ ଘଟଣା ସ୍ଥଳରେ ପହଞ୍ôଚ ବିକାଶକୁ ଚିହ୍ନି ଥିଲେ । ଘଟଣା ସ୍ଥଳରେ ଶତାଧିକ ଲୋକଙ୍କ ଭିଡ ଲାଗିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିକାଶ ପ୍ରାୟ ଅପରାହ୍ନ ୨ଟା ବେଳେ ବାଇକ୍ ଯୋଗେ ବନ୍ତ ଅଭିମୁଖେ ଯାଉଥିଲେ । ଟର୍ଣ୍ଣିଂ ପଏଣ୍ଟ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଅବିବାହିତ ଯୁବକ ଥିଲେ । ସେ ଏକ କମ୍ପାନୀରେ ଚାକିରୀ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟ ପକ୍ଷରେ ଉକ୍ତ ଟର୍ଣ୍ଣିଂ ପଏଣ୍ଟ ଠାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଫଳକ ଲଗାଯାଉନାହିଁ । ଫଳରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।


