ସଡକ ସୁରକ୍ଷା ସଂସଦୀୟ ନିର୍ବାଚନ ମଣ୍ଡଳୀ ସମିତି ବୈଠକ

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ସଂସଦୀୟ ନିର୍ବାଚନ ମଣ୍ଡଳୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜାନୁଆରୀ,୨୦୨୦ରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାନନୀୟା ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ, ଜିଲ୍ଲା ସଡକ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ କିଭଳି ହ୍ରାସ କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଦୁର୍ଘଟଣା କାହିଁକି ଘଟୁଛି ତାହାର କାରଣ ସମ୍ପର୍କରେ ସମୀକ୍ଷା କରିବା ସହିତ ତାହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜାତୀୟ ରାଜପଥରେ ଠିକ ଭାବେ ଦୃଶ୍ୟମାନ ହେଲା ଭଳି ସାଇନେଜ ଲଗାଇବା, ସ୍ପିଡ ଲିମିଟ ବୋର୍ଡ ସ୍ଥାପନ କରିବା, ଡାଇଭର୍ସନ ଯେଭଳି ଠିକ ଭାବେ ଦୃଶ୍ୟମାନ ହେବ ସେଥିପାଇଁ ସେଠାରେ କର୍ମଚାରୀଙ୍କୁ ମୁତୟନ କରିବା ଇତ୍ୟାଦି ଲାଗି ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କୁହାଯାଇଥିଲା । ତେବେ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଟାଳଟୁଳ ନୀତି ଏବଂ ସଡକ ସୁରକ୍ଷା ନିୟମ ପ୍ରତି ଧ୍ୟାନ ନ ଦେବା କାରଣରୁ ଧନଜୀବନ ହାନି ହେଉଥିବା ନେଇ ଗୃହରେ ଉପସ୍ଥିତ ସଦସ୍ୟମାନେ ଅଭିଯୋଗ କରିଥିଲେ । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ କହିଥିବା ବେଳେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସଡକ କର୍ତୃପକ୍ଷଙ୍କ ଭୁଲ ଥିଲେ ସେମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ କହିଥିଲେ । ଜାତୀୟ ରାଜପଥ କର୍ତୃପକ୍ଷ ହୁଅନ୍ତୁ ଅଥବା ପୂର୍ତ ବିଭାଗ ହୁଅନ୍ତୁ ଯଦି ସଡକ ଦୁର୍ଘଟଣାରେ ବିଭାଗୀୟ ଅବହେଳା ଥିବା ସ୍ପଷ୍ଟ ହେବ, ତେବେ ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା । ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା, ଗାଡି ଚଲାଇବା ବେଳେ ମୋବାଇଲ ଫୋନର ବ୍ୟବହାର, ଦ୍ରୁତଗତି ଓ ବିନା ହେଲମେଟରେ ଗାଡି ଚାଳନା ଇତ୍ୟାଦି ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ନେଇ ଆଂଚଳିକ ପରିବହନ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ । ସହର ମଧ୍ୟରେ ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ସଡକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଦୁର୍ଘଟଣା ପୀଡିତଙ୍କୁ ହସ୍‌ପିଟାଲକୁ ଆଣିଥିବା ବ୍ୟକ୍ତିଙ୍କୁ ପରିବହନ ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ନିମନ୍ତେ ଯେଉଁ ପ୍ରାବଧାନ ରହିଛି ସେଥି ଲାଗି ସଚେତନତା ସୃଷ୍ଟି କରିବା ଏବଂ ଗୁଡ୍ ସାମାରିଟାନ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଜୋର ଦିଆଯାଇଥିଲା । ଏଥି ଲାଗି ପ୍ରତି ପୋଲିସ ଷ୍ଟେସନ ଏବଂ ହସପିଟାଲରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । । ସଡକ ସୁରକ୍ଷା ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ଗୃହରେ ଉପସ୍ଥିତ ସଦସ୍ୟମାନେ ଜୋର୍ ଦେଇଥିଲେ । ଆର.ଟି.ଓ. ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରା ବୈଠକରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ