ସଡ଼କ ଦୁର୍ଘଟଣାରେ ୪ଗୁରୁତର ୭ବର୍ଷ ଝିଅର ଗୋଡ କଟିଲା

ବେତନଟୀ,(ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ନଂ ଜାତୀୟରାଜପଥ ତୁଳସୀଚଉରା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇପଡିଛନ୍ତି । ସେଦିନ ଅପରାହ୍ନରେ ଏକ ଦ୍ରୁତଗାମୀ ବାଇକ ଭାରସାମ୍ୟ ହରାଇ ରାଜରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଯାଇ ଧକ୍କା ଦେଇଥିଲା। ଫଳ‌ରେ ଗାଡିଟିରେ ବସିଥିବା ୭ବର୍ଷ ଶିଶୁଟିର ଗୋଡ଼ଟି ସମ୍ପୂର୍ଣ୍ଣ କାଟି ଯାଇ ଦୁଇଗଡ଼ ହୋଇଯାଇଥିଲା। ଦୁର୍ଘଟଣାରେ ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ହୋଇଯାଇଥିଲେ। ସୂଚନାଅନୁସାରେ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ କରଞ୍ଜିଆ ଅଞ୍ଚଳର ଯୁବକ ରଜ ସିଂ ଓଡି -୧୧ଭି -୬୧୮୦ନମ୍ବର ବିଶିଷ୍ଟ ବାଇକ ଯୋଗେ ସେହି ଗ୍ରାମର ମମତା ସିଂ(୨୫), ତପନୀ ସିଂ(୨୨) ଏବଂ ୭ବର୍ଷର କନ୍ୟା ବୈଷ୍ଣବୀ ସିଂଙ୍କୁ ନେଇ ଦ୍ରୁତଗତିରେ ବେତନଟୀ ଆଡକୁ ଆସୁଥିଲେ। କୌଣସି କାରଣରୁ ବାଇକଟି ଭାରସାମ୍ୟ ହରାଇ ସେମାନେ ରାସ୍ତା ପାର୍ଶ୍ଵରେଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଧକ୍କାଟି ଏତେ ଜୋର ଥିଲା ଯେ ଗାଡ଼ି ସାମ୍ନାରେ ବସିଥିବା ବୈଷ୍ଣବୀଙ୍କ ବାମଗୋଡ଼ଟି କଟିଯାଇ ଶରୀରରୁ ଦୁଇଗଡ଼ ହୋଇଯାଇଥିଲା। ଏଥିରେ ଚାଳକ ରଜ ସିଂଙ୍କ ସମେତ ମମତା ଓ ତପନୀ ମଧ୍ୟ ଗୁରୁତର ହୋଇଥିଲେ। ବେତନଟୀ ପୋଲିସ ସ୍ଥାନୀୟ କିଛି ସମାଜସେବୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ୭ବର୍ଷର ଶିଶୁ କନ୍ୟା ବୈଷ୍ଣବୀଙ୍କ ଗୋଡ଼ ସଫଳ ଅସ୍ତ୍ରୋପଚାର ପୂର୍ବକ ଶରୀରରେ ଯୋଡ଼ା ଯାଇ ପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଶିଶୁ ଟିକୁ ସାଙ୍ଗେ ସାଙ୍ଗେ କଟକ ବଡ଼ ମେଡିକାଲକୁ ପଠେଇଦିଆଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ତିନି ଘଣ୍ଟାରୁ କମ ସମୟର ମଧ୍ୟରେ ଶିଶୁ ଟିକୁ କଟକ ପହଞ୍ଚାଇ ପାରିଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଶନିବାର ସୁଦ୍ଧା ଶିଶୁଟିର ସଫଳ ଅସ୍ତ୍ରୋପଚାର ହୋଇଯାଇଛି। ଗୁରୁତର ରଜ, ମମତା ଓ ତପନୀଙ୍କୁ ବାରିପଦାସ୍ଥିତ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ