ସଡ଼କ ପରିବହନ ନିଗମ ୫ଜଣିଆ ଟିମର ଯୋଡା ଗସ୍ତ
ଯୋଡ଼ା, (ସମୀର କୁମାର ଦାସ):ବହୁ ଦିନଧରି ପ୍ରୟାସ କରି ଆସିଥିବା ଯୋଡାବାସୀଙ୍କ ନୂତନ ବସଷ୍ଟାଣ୍ଡ ନିର୍ମାଣ ଆଶା ଫଳପ୍ରଦ ହେବାକୁ ଯାଉଛି। ବୁଧବାର ଅପରାହ୍ନରେ ରାଜ୍ୟ ସଡକ ପରିବହନ ନିଗମର ଏକ ୫ଜଣିଆ ଟିମ କମାରଯୋଡା ସ୍ଥିତ ପୂର୍ବ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ସକାଶେ ଶେ ଜମି ଅନୁଧ୍ୟାନ କରିଥିବା ଦେଖାଯାଇଥିଲା। ଏହି ୫ଜଣିଆ ଟିମ ଯୋଡା ଗସ୍ତରେ ଆସି ନୂତନ ବସଷ୍ଟାଣ୍ଡ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତିର ସମୀକ୍ଷା କରିଥିଲେ।ଖବର ନେବାରୁ ଜଣାପଡିଛି ଯେ,ଏହି ଟିମ କମାରଯୋଡା ଠାରେ ପ୍ରସ୍ତାବିତ ଥିବା ନୂତନ ବସଷ୍ଟାଣ୍ଡର ଜମି ମାପଚୁପ କରିବା ସହିତ ଜମି ଅଧିଗ୍ରହଣ, ସରକାରୀ ଜମିରେ ହୋଇଥିବା ଘର ଉଚ୍ଛେଦ ପ୍ରଭୃତି ଉପରେ ଉପସ୍ଥିତ ରାଜସ୍ବ ଅଧିକାରୀ ଓ ଯୋଡା ପୌରପାଳିକା ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଲେ ସ୍ଵଇଚ୍ଛାରେ ଜବରଦଖଲ ଜମି ଖାଲି କରିଦେବେ ବୋଲି ଅଧିକାରୀଙ୍କୁ କହିଥିଲେ। ଯୋଡା ପୌରପାଳିକା ଅଞ୍ଚଳରେ ଥିବା ଯାତ୍ରୀବାହୀ ବସଷ୍ଟାଣ୍ଡଟି ସହରର ମଧ୍ୟଭାଗରେ ଏକ ଛୋଟ ସ୍ଥାନରେ ବହୁ ଆଗରୁ ଚାଲିଆସୁଛି। ଏହାର ପରିସୀମା ସଂକୀର୍ଣ ହୋଇଥିବାରୁ ଜନସାଧାରଣ ବସଷ୍ଟାଣ୍ଡରେ ବସଗୁଡିକ ଠିଆ ହେବା ପରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୀର୍ଘ ବର୍ଷ ଧରି ଯୋଡାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ କମାରଯୋଡା ଠାରେ ୨୦୦୯ ମସିହା ଜାନୁୟାରୀ ୨୪ ତାରିଖରେ ଭିଭିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଅଦ୍ୟାବଧୂ ଏହା ନିର୍ମାଣ କରାଯାଇନାହିଁ। ଯୋଡା ଏକ ମୁଖ୍ୟ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ଯୋଡାରୁ ଆଦାୟ ହେଉଥିବା ଡିଏମଏଫ ଟଙ୍କାରୁ ଜିଲ୍ଲାର ଅନ୍ୟ ସ୍ଥାନରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଯୋଡ଼ାରେ ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀବାହୀ ବସ ଚଳାଚଳରେ ନାହିଁନଥିବା ଅସୁବିଧା ହେଉଛି। ଏଥିସହ ବଡ଼ବିଲରୁ ପୁରୀକୁ ଯାଉଥିବା ସରକାରୀ ଭଲଭୋ ବସ ଯୋଡା ସହର ମଧ୍ୟକୁ ପ୍ରବେଶ କରି ପାରୁନାହିଁ। ପୂର୍ବ ସରକାର ଯୋଡାରେ ବସଷ୍ଟାଣ୍ଡଟିଏ ନିର୍ମାଣ ନିମନ୍ତେ ଆଗ୍ରହ ପ୍ରକାଶ କରିନଥିବା ବେଳେ ବର୍ତ୍ତମାନର ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଏହି ଟିମ ପ୍ରକାଶ କରିଛି। ଟିମର ଏହି ଗସ୍ତ ସମ୍ପର୍କରେ ଯୋଡା ପୌରପାଳିକା ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ କହିଛନ୍ତି ଯେ, ଜବରଦଖଲ ସମସ୍ୟା ଯୋଗୁଁ ନୂତନ ବସଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ ହେଉଛି। ଏହାର ସମାଧାନ କରାଯାଇ ନିର୍ମାଣ କାର୍ଯ୍ୟ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଏ ନେଇ ସରକାର ଖୁବ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ।