ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ମହାତ୍ମା ଗାନ୍ଧୀ ଯୋଜନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସପ୍ତାହ ପାଳନର ସ୍ଲୋଗାନ ରହିଛି,”ସଡ଼କ ସୁରକ୍ଷା ପରିବାର ରକ୍ଷା”। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ବୈଠକରେ ପୋଲିସ ବିଭାଗ, ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ବିଭିନ୍ନ ପୌର ପାଳିକାର ଅଧିକାରୀ ଗଣ, ବିଭିନ୍ନ ମୋଟର ଯାନ ସଙ୍ଘର କର୍ମକର୍ତ୍ତା, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗ ଏବଂ ନିମନ୍ତ୍ରିତ ସଭ୍ୟମାନେ ଯୋଗଦେଇ ପାଳନ ହେବାକୁ ଥିବା ଏହି ସଡ଼କ ସୁରକ୍ଷା ସପ୍ତାହକୁ ଶୂନ୍ୟ ମୃତ୍ୟୁ ଭାବେ ସଫଳ ରୂପାୟନ ଦେବା ନିମନ୍ତେ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ମଦ୍ୟପ ଚାଳକ, ବିନା ହେଲମେଟ ଓ ବିନା ଲାଇସେନ୍ସ ଚାଳକ ଆଦି ଟ୍ରାଫିକ ନିୟମ ଭଙ୍ଗକାରୀ ମାନଙ୍କ ଉପରେ ଏହି ଅବସରରେ ଯାଞ୍ଚ ଓ ଜୋରିମାନା ଜୋରଦାର କରାଯିବ। ଜାତୀୟ ରାଜପଥ ବିଭାଗ, ବିଶେଷ କରି ଜାତୀୟ ରାଜପଥ -୧୬ କର୍ତ୍ତୃପକ୍ଷ ରାସ୍ତାରେ ଥିବା ଖାଲଖମା ପୂରଣ ସହ ଅନ୍ୟ ସମସ୍ୟା ତୁରନ୍ତ ସୁଧାରି ନେବାକୁ ଜିଲ୍ଲାପାଳ ତାଗିଦ୍ କରିଥିଲେ। ଟ୍ରାଫିକ ନିୟମ କଡ଼ା କଡି ପାଳନ କରିବାକୁ ମୋଟର ଯାନ ସଙ୍ଘ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜପଥ ଉପରୁ ଅଯଥା ହମ୍ପସ ଅପସାରଣ, ନିୟମ ଅନୁଯାୟୀ ହମ୍ପସର ରଙ୍ଗ କରିବା, ଟୋଲ୍ ଗେଟ୍ ନିକଟରେ ଆମ୍ବୁଲାନ୍ସ ଏବଂ କ୍ରେନ୍ ମହଜୁଦ ରଖିବା ଆଦି ବିଷୟ ଉପରେ ଜିଲ୍ଲାପାଳ ଗୁରୁତ୍ଵ ଆରୋପ କରିଥିଲେ। ଏହି ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ବିଷୟରେ ଚିତ୍ରକଳା ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ, ଫିଲ୍ମ ପ୍ରଦର୍ଶନ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାଳୟ କାନ୍ଥରେ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ ପୋଷ୍ଟର ଆଦି ଲଗାଇବା, ପିକନିକ୍ ସ୍ପଟ୍ ରାସ୍ତାର ପ୍ରବେଶ ଓ ପ୍ରସ୍ଥାନ ପଥରେ ଅଧିକ ପୋଲିସ ମୁତୟନ,ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପ ନିକଟରେ ଚାଳକ ମାନଙ୍କର ଚକ୍ଷୁ ଓ ଅନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଇବା, ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥରେ ଚାଳକ ମାନଙ୍କୁ ନିଦ ନ ଆସିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାଗଣା ଚା ଯୋଗାଇବା, ବିଭିନ୍ନ ବ୍ଲାକ୍ ସ୍ପଟ୍ ମାନଙ୍କରେ ପାଟ୍ରୋଲିଂ ବଢ଼ାଇବା, ଗୃହ ପାଳିତ ପଶୁ ମାନଙ୍କୁ ରାସ୍ତା ଉପରେ ନ ଛାଡ଼ିବା ପାଇଁ ରାଜପଥ ନିକଟ ଗ୍ରାମବାସୀଙ୍କୁ ସଚେତନ କରାଇବା,ସଡ଼କ ସୁରକ୍ଷା ମୂଳକ ବିଭିନ୍ନ ସାଇନ୍ ବୋର୍ଡ ଲଗାଇବା ତଥା ସକାଳ ଓ ସନ୍ଧ୍ୟାରେ ଚେକିଙ୍ଗ ତୀବ୍ର କରିବା ଆଦି ବିଷୟ ଉପରେ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି ଚିହ୍ନିତ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ଦାୟିତ୍ୱ ଵହନକାରୀ ସମ୍ପୃକ୍ତ ବିଭାଗ ମାନେ ଅଧିକ ଯତ୍ନବାନ୍ ହେବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ସାଧନ ମହଜୁଦ ରଖି ଏହି ସଡକ ସୁରକ୍ଷା ସପ୍ତାହ ପାଳନକୁ ସମ୍ପୂର୍ଣ୍ଣ ସଫଳ ରୂପାୟନ ଦେବା ନିମନ୍ତେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଆଶା ବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ