ସତରେ କଣ ଆମେ ସ୍ୱାଧୀନ!!
ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪
ଆମ ଦେଶ ଭାରତ ଯେତେବେଳେ ବ୍ରିଟିଶ କବଳରେ କରାୟତ ଥିଲା, ସେତେବେଳେ ଇଂରେଜମାନେ ଭାରତୀୟଙ୍କୁ ବହୁ ନିର୍ଯ୍ୟାତନା ଦେଉଥିଲେ, ଭାରତୀୟମାନଙ୍କ ମୌଳିକ ଓ ସାମାଜିକ ଅଧିକାର ଛଡ଼ାଇନେଇ, ସେମାନଙ୍କୁ ନିଜର ଗୋଲାମୀ କରି ରଖିଥିଲେ । ଅନେକ ଲୋକ ସେମାନଙ୍କ ନିର୍ଯ୍ୟାତନା ସହିନପାରି ଜୀବନ ହାରୁଥିଲେ । ତେଣୁ ବ୍ରିଟିଶଙ୍କ କ୍ରୁର ଶାସନ କବଳରୁ ଦେଶକୁ ଛଡ଼ାଇ ଆଣିବାକୁ ଦୀର୍ଘବର୍ଷ ଧରି ଯେଉଁ ଲଢେଇ ଚାଲିଥିଲା, ସେଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ମହାମାନବ, ଦେଶପ୍ରେମୀ ସାମିଲ୍ ହୋଇ ନିଜ ତ୍ୟାଗ, ନିଷ୍ଠା ଓ ସଂଘର୍ଷର ପ୍ରମାଣ ଦେଇଥିଲେ । ହିନ୍ଦୁ ହେଉ ବା ମୁସ୍ଲିମ୍, ଶିଖ୍ ହେଉ ବା ଜୈନ ଅବା ଖ୍ରୀଷ୍ଟିୟାନ, ସମସ୍ତେ ଏଥିରେ ନେତୃତ୍ୱ ନେଇଥିଲେ । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ସୁବାଷ ବୋଷ, ଅବୁଲ୍ କାଲାମ ଆଜାଦ, ଆସଫକୁଲ୍ଲା ଖାଁ, ଡ. ଖାଁ ଅବଦୁଲ ଗଫୁର ଖାନ୍, ଆସିଫ ଅଲ୍ଲୀ, ଜାକିର ହୁସେନ ପ୍ରମୁଖ ଦେଶପ୍ରେମୀଗଣ ଏକାଠି ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ବିରୋଧୀ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ଦେଶ ଓ ଦେଶ ପ୍ରେମରେ ଧର୍ମକୁ ନେଇ ଭେଦଭାବ ବା ପାତର ଅନ୍ତର ଦେଖାଯାଉନଥିଲା ବରଂ ହିନ୍ଦୁ ମୁସଲମାନ, ଶିଖ, ଜୈନ ଏକତା ହିଁ ଭାରତର ମୂଳମନ୍ତ୍ର ବୋଲି ବ୍ରିଟିଶ ଶାସକ ହୃଦ୍ବୋଧ କରି ଏହି ବନ୍ଧୁତ୍ୱ ଓ ସମ୍ବଳକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । ବ୍ରିଟିଶମାନଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ଦେଶର କୋଟି କୋଟି ଜନତା ଏହି ମହାନ୍ ସଂଗ୍ରାମରେ ସାମିଲ ହୋଇଥିଲେ । ଫଳରେ ଏମାନଙ୍କ ଅକୁଣ୍ଠ ସମର୍ଥନ ଓ ଦେଶପ୍ରେମୀଙ୍କ ବଳିଦାନ ଯୋଗୁ ଆମ ଦେଶ ଭାରତ ବ୍ରିଟିଶ କବଳରୁ ସବୁଦିନ ପାଇଁ ମୁକ୍ତି ପାଇଥିଲା ସତ କିନ୍ତୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ବ୍ୟକ୍ତି ବା ସଂଗଠକଙ୍କ ହୀନ ପ୍ରୟାସ ନିଶ୍ଚିତ ଭାବେ ନିନ୍ଦନୀୟ ଥିଲା । ସେମାନଙ୍କୁ ଯେତେ ଭର୍ତ୍ସନା କଲେ ତାହା କମ୍ ହେବ । ଏପରି ବିକୃତ ମାନବିକତା ଓ ସଂକୀର୍ଣ୍ଣତା ଆମ ତମାମ ସମାଜକୁ ଏମିତି ସଂକ୍ରମିତ କରିଦେଇଛି ଯେ ଆମେ ଏକପ୍ରକାର ଦୃଷ୍ଟିଶକ୍ତି ହରାଇ ବସିଛୁ!
ଆମ ଦେଶ ସ୍ୱାଧୀନ ହୋଇଛି ସତ, କିନ୍ତୁ ସାଧାରଣ ଜନତା ପରାଧୀନତାର କଷାଘାତରେ ଏବେ ବି ଜର୍ଜରିତ । ଜଣେ ମେଧାବୀ ଛାତ୍ରର ସବୁ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ଖଣ୍ଡିଏ ପାଇବାକୁ ହେଲେ କିରାଣୀ, ଚପରାଶି ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସବୁଠି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗରୀବ ଲୋକଟିଏ ସରକାରୀ ଯୋଜନା ପାଇବାକୁ ହେଲେ କୁଜି ନେତାଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ସବୁଠି ଲାଞ୍ଚ ଦେବାକୁ ପଡୁଛି । ପ୍ରିୟାପ୍ରୀତି ତୋଷଣ ଯୋଗୁ ଅଯୋଗ୍ୟ ହିତାଧିକାରୀ ସବୁ ସରକାରୀ ସହାୟତା ପାଉଥିଲା ବେଳେ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରୁ ବଞ୍ôଚତ କରାଯାଉଛି । କିଛି କୁଚକ୍ରି ଓ ବାହୁବଳୀ ରାଜନେତା ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାରେ ଲାଗିପଡ଼ିଛନ୍ତି । ଯେଉଁ ମହାନ୍ ସଂଗ୍ରାମୀମାନଙ୍କ ବର୍ଷ ବର୍ଷର ସଂଗ୍ରାମ ଓ ତ୍ୟାଗ ବଳରେ ଆଜି ଦେଶ ସ୍ୱାଧୀନତା ଲାଭ କଲା, ସେହି ଦେଶରେ ବର୍ତ୍ତମାରନ ବାହୁବଳୀ ରାଜନେତାମାନେ କ୍ଷମତା ଉପଭୋଗ କରିବା ସହ ନିରୀହ ଜନସାଧାରଣଙ୍କୁ ପୁଣି ଥରେ ପରାଧୀନତାର ଶିକୁଳି ଭିତରକୁ ଠେଲି ଦେଇଛନ୍ତି । ଗଣତନ୍ତ୍ରର ମୂଳମନ୍ତ୍ର ଆଜି ନ୍ୟସ୍ତସ୍ୱାର୍ଥ ରାଜନୈତିକ ଚକ୍ରାନ୍ତର ଶିକାର ହୋଇଛି । ତମାମ ଦେଶ ଘୃଣା ଓ ବିଦ୍ୱେଷର ବାତାବରଣ ଉଗ୍ର ରୂପ ନେବାରେ ଲାଗିଛି ।
ଏହାର ଏକ ଉଦାହରଣ ହେଲା ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କମଳ ଲୋଚନ ସାର୍ । କମଳ ଲୋଚନ ସାର୍ ଥିଲେ ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ । ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସେ ଥିଲେ ବେଶ୍ ପାରଙ୍ଗମ । ସ୍କୁଲ୍ର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ । ସେଥିପାଇଁ କମଳ ଲୋଚନ ସାର୍ଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଏକଦା ସ୍କୁଲ୍ରେ ପରୀକ୍ଷା ଚାଲିଥିବା ସମୟରେ ସ୍ଥାନୀୟ ଜଣେ ମନ୍ତ୍ରୀଙ୍କ ପୁଅ ପରୀକ୍ଷାରେ କପି କରୁଥିବାର ଦେଖି କମଳ ଲୋଚନ ସାର୍ ମନ୍ତ୍ରୀଙ୍କ ପୁଅଠାରୁ କପି ଜବତ କରିଥିଲେ ଏବଂ ପରୀକ୍ଷାରେ କପି ନ କରି, ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଖବର ମନ୍ତ୍ରୀଙ୍କ ପାଖରେ ପହଞ୍ôଚବା ପରେ ଏହାର ଭୟଙ୍କର ପରିଣତି କମଳ ଲୋଚନ ସାର୍ଙ୍କୁ ଭୋଗିବାକୁ ପଡ଼ିଥିଲା । ତାଙ୍କୁ ମାର୍ଥାପୁର ନାମକ ଏକ ସମ୍ବେଦନଶୀଳ ତଥା ଉତ୍ତେଜନାପ୍ରବଣ ଅଞ୍ଚଳକୁ ବଦଳି କରି ଦିଆଯାଇଥିଲା ଯେଉଁ ଅଞ୍ଚଳରେ ରାଜୁ ବୋଲି ଏକ ଦୁର୍ଦ୍ଦାନ୍ତ ଅପରାଧୀ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଆଖପାଖ ୫୦ଟି ଗାଁରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା । ଏପରିକି ଉକ୍ତ ଅଞ୍ଚଳର ଲୋକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଗାଁରେ ଥିବା ସରକାରୀ ଜମିରେ ଦୋକାନ ଖଣ୍ଡିଏ କରିବାକୁ ହେଲେ ରାଜୁ ନାଁରେ ହିଁ ଦୋକାନ ଖୋଲିବାକୁ ହୁଏ ଓ ମାସିକିଆ ଦାଦାବଟି ଦେବାକୁ ପଡ଼େ । ଯିଏ ଦାଦାବଟି ଦେବାକୁ ଅକ୍ଷମ ହେଉଥିଲା, ରାଜୁ ତାକୁ ହତ୍ୟା କରୁଥିଲା । ସେହି ଅଞ୍ଚଳର ଜଣେ ଗରିବ ଲୋକ ଗାଁରେ ଥିବା ନିଜ ପୈତୃକ ଜମିରେ ରାଜୁର ବିନା ଅନୁମତିରେ ତାଙ୍କ ମାଆଙ୍କ ନାମରେ ଏକ ଜଳଖିଆ ଦୋକାନ ଖୋଲିବାରୁ, ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ରାଜୁ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଓ ସେଠାକାର ଥାନାର ଇନିସ୍ପେକ୍ଟର ଏହି ଘଟଣାର ତଦନ୍ତ କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ରାଜୁର ଲୋକମାନେ ହତ୍ୟା କରିଥିଲେ । କମଳ ଲୋଚନ ସାର୍ଙ୍କ ପୁଅ ଅଭିଜିତ ଯେ କି ଜଣେ ଶିକ୍ଷିତ ଯୁବକ ସେ ରାଜୁର ଏଭଳି ଘଟଣାକୁ ଘୋର ବିରୋଧ କରୁଥିଲେ । କିନ୍ତୁ ବାପାଙ୍କ ଆଦର୍ଶ ଯୋଗୁ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ । ସେହି ଅଞ୍ଚଳରେ ସରକାରୀ ଜାଗାରେ ରାଜୁର ନାମରେ ଏକାଧିକ ଦୋକାନ ଖୋଲିଥିବାରୁ ଜଣେ ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ତାଙ୍କୁ ରାଜୁର ଲୋକମାନେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ ।
ସେହିପରି ମହାମାରୀ କରୋନା ସମୟରେ ଗୁଜୁରାଟର ସୁରତ ସହରରେ ରାତି କର୍ଫ୍ୟୁ ଜାରି ରହିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର ୪ଜଣ ସାଙ୍ଗ ଏହାକୁ ଉଲଂଘନ କରି ବିନା ମାସ୍କରେ ବୁଲୁଥିବା ସମୟରେ ସେଠାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ ଏବଂ କାହିଁକି ମାସ୍କ ପିନ୍ଧି ନାହାଁନ୍ତି ଓ ସାମାଜିକ ଦୂରତ୍ୱ ନିୟମ ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ଗାଳି ଶୁଣିଥିଲେ ଓ ମନ୍ତ୍ରୀଙ୍କ ପୁଅକୁ କ୍ଷମା ମାଗିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥଲା । ଗାଳି ଶୁଣି ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ କ୍ଷମା ନ ମାଗିନଥିଲେ କନେଷ୍ଟବଳ ସୁନୀତା ଯାଦବ । ପରେ ସୁରଟ ପୋଲିସ୍ କମିଶନର ଆର.ବି. ବ୍ରହ୍ମଭଟ୍ଟ ଏସ୍.ପି. ସି.କେ. ପଟେଲଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ସୁନୀତାଙ୍କ ବିରେଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ କନେଷ୍ଟବଳ ସୁନିତା ତାଙ୍କ ଚାକିରୀରୁ ଇସ୍ତଫା ଦେଇଥିଲେ ।
ମହାମାରୀ ସମୟରେ ଅମ୍ଲଜାନ ଅଭାବରୁ ବହୁ କରୋନା ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ଏହି ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ସେହିପରି ବିଗତ ଦିନରେ ହାଥରସ୍ରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପ୍ରତିବାଦ କରି ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।
ଯେଉଁମାନେ ଗରିବ, ଅସହାୟ ଓ ଦରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂଗ୍ରାମ କରୁଛନ୍ତି, ଗରିବ ଲୋକଙ୍କ ମୌଳିକ ଅଧିକାର ଫେରାଇ ଆଣିବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇ ଜେଲ୍ରେ ଭର୍ତ୍ତି କରିଦେଉଛନ୍ତି । ଏସବୁ ଘଟଣାକୁ ତର୍ଜମା କଲେ ଲାଗୁଛି ଦେଶ ସ୍ୱାଧୀନ ହୋଇଛି ସତ, ମାତ୍ର ଆମେ ଏବେ ବି ପରାଧୀନ ହୋଇ ରହିଯାଇଛୁ । ତେଣୁ ଯେତେଦିନ ପର୍ଯ୍ୟନ୍ତ ନିଜର ହକ୍ ଓ ଅଧିକାର ପାଇଁ ମୁହଁ ନଖୋଲିଛେ, ସେତେଦିନ ପର୍ଯ୍ୟନ୍ତ ରାଜନୀତିରେ ଗୁଣ୍ଡାରାଜ ଚାଲିଥିବ, ଦେଶରେ ଆତଙ୍କରାଜ ଦୁର୍ନୀତି, ବ୍ୟଭିଚାର ବଢିଚାଲିଥିବ ଆଉ ଧର୍ମ ଧର୍ମ ନାଁରେ ଏବଂ ଜାତି ଜାତି ଭିତରେ ହଣାକଟା ଚାଲିଥିବ, ଏଥିରେ ଦ୍ୱିମତ ହେବାର ନାହିଁ ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର