ସତର୍କ ଘଂଟି

ଅଷ୍ଟାଦଶ ଲୋକସଭା ନିର୍ବାଚନ ଫଳାଫଳ ଇତିମଧ୍ୟରେ ପ୍ରକାଶ ପାଇଛି । ଏହି ନିର୍ବାଚନରେ ପଞ୍ଜାବର ୧୩ଟି ଲୋକସଭା ଆସନରେ ବିଜୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ଯେଉଁମାନଙ୍କ ବିଜୟ ଦେଶ ପାଇଁ ଏକ ସତର୍କଘଂଟି ସଦୃଶ ହୋଇଛି ବୋଲି କୁହାଯାଇପାରେ । ବିଜୟୀ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଅମ୍ରିତ ପାଲ ସିଂହ, ଯେ କି ‘ୱାରିସ୍ ପଂଜାବ ଦି’ ସଂଗଠନର ମୁଖ୍ୟ ଭାବେ ଜଣାଶୁଣା । ‘ୱାରିସ ପଂଜାବ ଦି’ ସଂଗଠନ ହେଉଛି, ସ୍ୱତନ୍ତ୍ର ଖଲିସ୍ଥାନ ରାଷ୍ଟ୍ର ଗଠନ ଆନ୍ଦୋଳନର ମୁଖ୍ୟ ପ୍ରବକ୍ତା ଭାବେ ପରିଚିତ । କେବଳ ଏତିକି ନୁହେଁ, ଖଲିସ୍ଥାନ ଆନ୍ଦୋଳନର ମୁଖ୍ୟ ତଥା ଆତଙ୍କବାଦୀ ଜର୍ଣ୍ଣେଲ ସିଂହ ଭିନ୍ଦରନୱାଲାଙ୍କ ନେତୃତ୍ୱରେ ଆତଙ୍କବାଦୀମାନେ ସ୍ୱତନ୍ତ୍ର ଖଲିସ୍ଥାନ ରାଷ୍ଟ୍ର ଗଠନ ପାଇଁ ପଂଜାବରେ ଆତଙ୍କବାଦ ଚଳାଇଥିଲେ । ଶିଖଙ୍କ ପବିତ୍ର ଧର୍ମପୀଠ ସ୍ୱର୍ଣ୍ଣମନ୍ଦିର ଆତଙ୍କରାଜଙ୍କ ମୁଖ୍ୟ ଆଡ୍ଡାସ୍ଥଳୀ ଥିଲା । ଭିନ୍ଦରନୱାଲାଙ୍କ ନେତୃତ୍ୱରେ ୪୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ସ୍ୱର୍ଣ୍ଣ ମନ୍ଦିରରେ ଆତ୍ôମଗୋପନ କରି ରହିଥିଲେ । ୧୯୮୪ ମସିହା ଜୁନ ମାସ ୬ତାରିଖ ଦିନ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରାଗାନ୍ଧୀ ବ୍ଲୁଷ୍ଟାର ଅପରେସନ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ, ଯାହାକି ଶିଖମାନଙ୍କୁ ଅତ୍ୟନ୍ତ ମାନସିକ ଆଘାତ ଦେଇଥିଲା । ଯେଉଁଥିପାଇଁ କି ସ୍ୱର୍ଗତା ଗାନ୍ଧୀ ନିଜ ବାସଭବନରେ ନିଜ ଅଙ୍ଗରକ୍ଷୀ ଦ୍ୱାରା ନିହତ ହୋଇଥିଲେ । ଏବେ ଏଭଳି ଏକ ସଂଗଠନର ମୁଖ୍ୟ ଥିବା ଅମ୍ରିତପଲ ସିଂହ ଏବଂ ଇନ୍ଦିରାଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀଙ୍କ ବିଅନ୍ତସିଂହଙ୍କ ପୁଅ ସରବଜିତ ସିଂହ ଖାଲସା ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଜେଲରେ ଥାଇ ପଂଜାବର ଖଡୁର ସାହିବ ଲୋକସଭା ଆସନରୁ ଅମ୍ରିତ ପାଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ କୁଲବୀର ସିଂହଙ୍କୁ ଦେଢଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଅମ୍ରିତପାଲ ଏବେ ଆସାମର ଦିବ୍ରୁଗଡ ଜେଲରେ ବନ୍ଦୀ ଅଛନ୍ତି । ଜେଲରେ ଥାଇ ନିର୍ବାଚନ ଲଢିବାକୁ ସୁପ୍ରିମକୋର୍ଟ ତାଙ୍କୁ ଅନୁମତି ଦେଇଥିଲେ । ବିନା ପ୍ରଚାରରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ଦେଢଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିବା ନିଶ୍ଚିତ ଭାବେ ଚିନ୍ତାଜନକ । ସେହିପରି ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ସରବଜିତ ସିଂହ ଫରିଦ୍‌କୋଟ ଆସନରୁ ୬ଟି ଦଳର ପ୍ରାର୍ଥୀଙ୍କୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରି ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଭୋଟଦାତାଙ୍କ ମନୋଭାବର ଏହା ହେଉଛି ପ୍ରମାଣ । ସେହିପରି ଜାମ୍ମୁ-କାଶ୍ମୀରର ବାରମୂଳା ଆସନରୁ ଜେଲରେ ଥାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବଦୁଲ ରସିଦ୍ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କୁ ୨ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଜାତୀୟ ନିରାପତା ଆଇନ ବଳରେ ଗିରଫ ରସିଦ୍ ଏବେ ତିହାର ଜେଲରେ ଅଛନ୍ତି । କେବଳ ଏତିକି ନୁହେଁ, ସଂପ୍ରତି ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ୫୪୩ଜଣ ସାଂସଦଙ୍କ ମଧ୍ୟରୁ ୨୫୧ ଜଣ ଅର୍ଥାତ ୪୬ ପ୍ରତିଶତ ସଦସ୍ୟଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୭୦ ନବ ନିର୍ବାଚିତ ସାଂସଦଙ୍କ ବିରୁଦ୍ଧରେ ହତ୍ୟା, ବଳାତ୍କାର, ଅପହରଣ ଭଳି ଗୁରୁତ୍ୱର ମାମଲା ରହିଛି । ଆହୁରି ମଧ୍ୟ ସେମାନଙ୍କ ମଧ୍ୟରୁ ୨୭ଜଣ ଯେଉଁମାନେ କି ନିମ୍ନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ପାଇଛନ୍ତି କିନ୍ତୁ ଉପର ଅଦାଲତରେ ରହିତାଦେଶ ବଳରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ଅପରାଧିକ ମାମଲା ଥିବା ନିର୍ବାଚନ ସାଂସଦ ବା ବିଧାୟକଙ୍କ ସଂଖ୍ୟା ଲୋକସଭା ହେଉ ବା ବିଧାନସଭାରେ ହେଉ ବଢିଚାଲିଛି । ଗତ ୨୦୦୯ ନିର୍ବାଚନ ପରଠାରୁ ଲୋକସଭାରେ ଏଭଳି ସଂସଦଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୦୦୯ରେ ଏଭଳି ସାଂସଦଙ୍କ ସଂଖ୍ୟା ୧୬୨ ଥିବାବେଳେ ୨୦୧୪ରେ ୧୮୫, ୨୦୧୯ରେ ୨୩୩ଥିଲା । ଚଳିତ ନିର୍ବାଚନରେ ଦାଗୀ ପ୍ରତିନିଧିଙ୍କ ସଂଖ୍ୟା ୨୫୧ ରହିଛି । ଏହା ନିସନ୍ଦେହ ଯ, ଏହି ଦାଗୀ ସାଂସଦ ଗୋଟିଏ ଦଳର ନୁହଁନ୍ତି । ସେମାନଙ୍କ ମଧ୍ୟରୁ ବିଜେପିର ୬୩ଜଣ, କଂଗ୍ରେସର ୩୨ଜଣ ଏବଂ ଆରଜେଡିର ୪ଜଣ ସାଂସଦ ଅଛନ୍ତି । ଯେଉଁମାନଙ୍କ ବିରୁଦ୍ଧରେ ଗୁରୁତ୍ୱର ଅପରାଧିକ ମାମଲା ରହିଛି, ଯାହାକି ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି । ଏବେ ଭୋଟଦାତାଙ୍କ ମନୋନୟନ କେଉଁ ଆଡକୁ ଗତି କରୁଛି, ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ । ଭୋଟଦାତା ନିଜର ମନୋଭାବ ପରିବର୍ତନ ନକଲେ ଦେଶ ତଥା ରାଜ୍ୟର ଆଇନ ପ୍ରଣୟନକାରୀ ସଂସ୍ଥାରେ ବିଚ୍ଛିନ୍ନତାବାଦୀ ଅପରାଧି ନେତାଙ୍କ ସଂଖ୍ୟା ବଢିବ ସିନା କମିବ ନାହିଁ । ଏହା ଭାରତୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ