ସତ୍ୟସାଇ କଲେଜ ପରିସର ସାଇବାବା ମନ୍ଦିର ପ୍ରତିଷ୍ଠା

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ରୋଡ଼ ସ୍ଥିତ ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ ପରିସରରେ ନବନିର୍ମିତ ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ସାଇବାବାଙ୍କ ଧ୍ୟାନ, ଗୋଧମବାସ, ଅଙ୍କୁରାରୋପଣ, ଅକ୍ଷଣ ଦିବସ, କଳସ ଶୋଭାଯାତ୍ରା, ଶିଖିର ସ୍ନାନ, ମଣ୍ଡଳାଦି ପୂଜା, ଯଜ୍ଞ, ବିଗ୍ରହ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା ପ୍ରଭୃତି କର୍ମକାଣ୍ଡ ସମ୍ପାଦିତ ହୋଇଥିଲା । ଅଧିବାସ ଓ ଘଟ ସ୍ଥାପନ ପରେ ଷୋଡ଼ଶ ଉପଚାର ପୂଜା ସାଙ୍ଗକୁ ଆରମ୍ଭ ହୋଇଥିଲା ଯଜ୍ଞ କର୍ମକାଣ୍ଡ । ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏଥିରେ ମୁଖ୍ୟ ସଂକଳ୍ପୀ ଭାବେ ଉପବିଷ୍ଟ ଥିଲେ । ସାଇବାବାଙ୍କ ଆଶୀର୍ବାଦରୁ ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ ସଫଳତାର ସହ ପରିଚାଳିତ ହୋଇଆସୁଥିବା ବେଳେ ପ୍ରଭୁଙ୍କ ନିତ୍ୟ କୃପାପ୍ରାପ୍ତି ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣର ପରିକଳ୍ପନା କରାଯାଇଥିବା ଶ୍ରୀ ସେ କହିଥିଲେ । ଭଗବାନଙ୍କ କୃପାବଳରେ ତାଙ୍କ ପରିବାରବର୍ଗଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଜୀବନରେ ସଫଳତାର ମାର୍ଗ ପ୍ରଶସ୍ତ ହେବ ବୋଲି ଶ୍ରୀ ପଣ୍ଡା ଆଶାପ୍ରକାଶ କରିଥିଲେ । ଡ. ନୀଳମାଧବ ପଣ୍ଡା, ଡ. ଅଣୁମାଧବ ପଣ୍ଡା, କୁନ୍ତଳା କୁମାରୀ ପଣ୍ଡା, ସ୍ୱୟଂ ସରିତା ପଣ୍ଡା, ବୈଦିକ ପଣ୍ଡା, ପ୍ରିୟଙ୍କା ପଣ୍ଡା ମଧ୍ୟ ଏହି ପ୍ରତିଷ୍ଠା ଉତ୍ସବରେ ସଂକଳ୍ପୀ ଭାବେ ବରଣୀ ହୋଇଥିଲେ । ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୁଦନ ଦାସ, ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଓ ଲମ୍ବୋଦର ନାୟକ, ବିଜେପି ନେତା ଶୁଭଙ୍କର ମହାପାତ୍ର, ‘ଆଜିକାଲି’ ଖବର କାଗଜର ପ୍ରକାଶକ କିଶୋର ଦାସ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ସାଇବାବାଙ୍କୁ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଘଣ୍ଟଘଣ୍ଟା, ଶଙ୍ଖଳ ହୁଳହୁଳି, ଭଜନ କୀର୍ତ୍ତନ ସାଙ୍ଗକୁ ବେଦଜ୍ଞ ପଣ୍ଡିତଙ୍କ ମନ୍ତ୍ର ପାଠରେ ଶିକ୍ଷାନୁଷ୍ଠାନ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ