ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଦ୍ୱିତୀୟ ନିର୍ମଲ ଝର ପ୍ରକଳ୍ପ ଉଦ୍‌ଘାଟିତ

ପାରାଦୀପ, (ପୀତବାସ ପ୍ରଧାନ) :ଜଗତସିଂହପୁର ଜିଲ୍ଲା ଏରସମା ନିକଟସ୍ଥ ଶାଳିଓ ଗ୍ରାମରେ ଜିଲ୍ଲାର ଦ୍ୱିତୀୟ ତଥା ଓଡିଶା ପ୍ରଦେଶର ୧୪ତମ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ଟ୍ରଷ୍ଟ ତଥା ଓଡିଶା ସତ୍ୟସାଇ ସଂଗଠନ ଦ୍ୱାରା ୯ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀ ସତ୍ୟସାଇ ନିର୍ମଳ ଝର ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପାନୀୟ ଜଳ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଶ୍ରୀ ସତ୍ୟସାଇ ଉଚ୍ଚତର ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଅଧୁନା ଆୟକର ବିଭାଗର ଅନୁସନ୍ଧାନ ନିର୍ଦ୍ଦେଶକ ଆଇ.କ୍ରିଷ୍ଣା କିଶୋର, ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ, ସତ୍ୟସାଇ ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ରାଜ୍ୟ ଟ୍ରଷ୍ଟର ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା ସଭାପତି ଦାମୋଦର ସ୍ୱାଇଁ, ପୂର୍ବତନ ସଭାପତି ଇଂ. ବିପିନ ବିହାରୀ ପାଣିଗ୍ରାହୀ ଜିଲ୍ଲାର ବିଭିନ୍ନ ସମିତି ଓ ଭଜନ ମଣ୍ଡଳୀର କର୍ମକର୍ତ୍ତା, ଭକ୍ତବୃନ୍ଦ, ଶାଳିଓ ଗ୍ରାମର ସରପଂଚ ଓ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କୋଭିଡ୍ ନିୟମ ପାଳନ ପୂର୍ବକ ନଗର ପରିକ୍ରମା, ବେଦୋଚାରଣ, ଭଜନ, ସାମୁହିକ ସଙ୍ଗୀତ ମାଧ୍ୟମରେ ଏହି ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ସୂଚନା ଥାଉକି, ଏହି ଗ୍ରାମର ଭୁତଳ ଲୁଣି ଜଳ ପାନୀୟ ଓ ରୋଷେଇ ଉପଯୋଗୀ ହୋଇ ନଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ପ୍ରକଳ୍ପ ଦ୍ୱାରା ଗ୍ରାମବାସୀମାନେ ପ୍ରତିଦିନ ତିନି ଟଙ୍କା ବିନିମୟରେ ପରିବାର ପିଛା ୨୦ ଲିଟର ପାଣି ସ୍ମାର୍ଟ କାର୍ଡ ଦ୍ୱାରା ପାଇ ପାରିବେ । ସଂଗୃହୀତ ଅର୍ଥ ଗ୍ରାମ କମିଟି ଦ୍ୱାରା ପ୍ରକଳ୍ପ ପରିଚାଳନାରେ ଖର୍ଚ୍ଚ ହେବାକୁ ଥିବା ବିଦ୍ୟୁତ ଶୁଳ୍କ ଓ ରକ୍ଷଣାବେକ୍ଷଣ ଇତ୍ୟାଦିରେ ଖର୍ଚ୍ଚ ହେବ । ଏହି ପାନୀୟ ପ୍ରକଳ୍ପ ପାଇଁ ଗ୍ରାମବାସୀମାନେ ସତ୍ୟସାଇ ସଙ୍ଗଠନକୁ ସେମାନଙ୍କର ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଏହି ପରି ପ୍ରକଳ୍ପ ଓଡିଶାର ଗ୍ରାମମାନଙ୍କରେ ପ୍ରତିଷ୍ଠା କରିବା ପାଇଁ ସଙ୍ଗଠନ ଲକ୍ଷ୍ୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ