ସତ୍ୟସାଇ ସେବା ସମିତିରେ ଆରାଧନା ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୌରାଞ୍ଚଳସ୍ଥିତ ମୀରପାଟଣା ଗ୍ରାମରେ ଥିବା ଶ୍ରୀଶ୍ରୀ ସତ୍ୟସାଇ ସେବା ସମିତିରେ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ଆରାଧନା ଦିବସ ଭକ୍ତମାନଙ୍କ ଗହଣରେ ପାଳିତ ହୋଇଯାଇଛି । ଏଥିନିମନ୍ତେ ସୋମବାର ପ୍ରାତଃ ୪ଟା ୩୦ମି.ରେ ସୁପ୍ରଭାତମ୍ ଓ ନଗରକୀର୍ତ୍ତନ ପରେ ପବିତ୍ର ପ୍ରଶାନ୍ତ ଧ୍ୱଜା ଉତ୍ତୋଳନ, ଷୋଡଶ ଉପଚାର ଭଜନ, ସତ୍‌ସଙ୍ଗ, ବାଳବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଆରତୀ ପ୍ରଦାନ, ନାରାୟଣ ସେବା, ସନ୍ଧ୍ୟା ଭଜନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମହେନ୍ଦ୍ର ସାହୁ, ପରୀକ୍ଷିତ ସାହୁ ଓ ଉମେଶ ସେଠୀଙ୍କ ତତ୍ତ୍ୱାବଧାନରେ ସାଇତୃଷ୍ଣା ନିବାରଣ ଜଳଛତ୍ରରେ ଦହି ପାନୀୟ ମନ୍ଦିର ସନ୍ନିକଟରେ ବିତରଣ କରାଯାଇଥିଲା । “ହରି ଭଜନ ବିନା ସୁଖଶାନ୍ତି ନାହିଁ” ଭଗବାନ ସାଇବାବାଙ୍କ ବାଣୀର ତାତ୍ପର୍ଯ୍ୟ ଉପରେ ସତ୍‌ସଙ୍ଗ କରିଥିଲେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ । ସାଂପ୍ରତିକ ସମୟରେ ଶ୍ରୀ ସତ୍ୟସାଇଙ୍କ ସନ୍ଦେଶର ମହତ୍ୱ ସମ୍ପର୍କରେ କଟକ ସମିତିର ଆଧ୍ୟାମିକ ସଂଯୋଜକ ଦିପ୍ତୀରଞ୍ଜନ ମହାପାତ୍ର ଓ ସୁନାଇଲୋ ବାଳବିକାଶ କେନ୍ଦ୍ରର ବାଳବିକାଶ ଛାତ୍ର ସାଇବିଦର୍ଭ ସାଇବାଣୀର ମହତ୍ତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ । ସାନଭଉଣୀ ସାଇଜ୍ୟୋତି ନୃତ୍ୟ ପରିବେଷଣ କରିଥିଲେ ଏବଂ ସାଇସ୍ୱାତି ପତି ମଧ୍ୟ ବାବାଙ୍କ ଉପରେ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ସାଇଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ, ବର୍ତ୍ତମାନ ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ, ପ୍ରାକ୍ତନ ଆବାହକ ଇଂ ହଳଧର ସାହୁ, ସନତ କୁମାର ସାହୁ, ତ୍ରୈଲୋକ୍ୟ ପରିଡା, ଗୋବିନ୍ଦ ପୃଷ୍ଟି, ପ୍ରବୋଧ କୁମାର ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆବାହକ ନୃସିଂହ ଚରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ