ସଦର ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୋଫାନୀ ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା):ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ, ଓଡିଶାରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି ସରକାର ହେବା ନିଶ୍ଚିତ । ଶାସକ ଦଳ ନେତାମାନେ ଆକ୍ରୋଶ ମୂଳକ ଭାବେ ଗାଳିଗୁଲଜ କରୁଛନ୍ତି । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭିତରରେ ଫରକ ବାରି ପାରୁନାହାନ୍ତି । ତାଙ୍କ ମାଇକ ତାମିଲନାଡୁର ଗୁମାସ୍ତା ଧରୁଛି । ଓଡିଶା ସ୍ୱାଭିମାନୀ ମାଟି । ମୁଖ୍ୟମନ୍ତ୍ରୀଙ୍କ କିଛି ବିବଶତା ଥାଇପାରେ । ନିଜ କଥା ନିଜେ ମୁଖ୍ୟମନ୍ତ୍ରୀ ବୁଝିବେ । ଓଡିଶା କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଓଡିଶାର ନେତା ଓଡିଆ ଲୋକ ହେବ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱାଭିମାନ ରକ୍ଷାରେ ବାଲେଶ୍ୱର ଜିଲ୍ଲାର ବହୁତ ବଡ ଭୂମିକା ରହିଛି । ଓଡିଶାର ଅପମାନକୁ ସହ୍ୟ କରାଯାଇପାରିବ ନାହିଁ । ୨୫ ବର୍ଷ ଶାସନରେ ରହିବା ପରେ ବି ଲୋକଙ୍କ ପାଇଁ ପିଇବା ପାଣି ନାହିଁ, ଜଳସେଚନ ନାହିଁ, ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଆଦିବାସୀଙ୍କ ଜମି ବିକ୍ରି ପାଇଁ ମସୁଧା ଚାଲିଛି, ଯୁବକଙ୍କ ପାଇଁ ନିଯୁକ୍ତି ନାହିଁ, ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ସତରେ କ’ଣ ଏହା ଶାସକ ଦଳର ପାରିବା ପଣିଆ? ଏ ସମ୍ପର୍କରେ ଆଲୋଚନା କଲେ ଶାସକ ଦଳ ନେତା ଆଶାଳୀନ ବ୍ୟବହାରର ଆକ୍ଷେପ ଲଗାଉଛନ୍ତି । ଗଣତନ୍ତ୍ରରେ ଆଲୋଚନାକୁ ସ୍ୱୀକାର କରିବାକୁ ପଡିବ । ଆଲୋଚନାର ଉତ୍ତର ଅବଶ୍ୟ ଦେବାକୁ ପଡିବ । ଉତ୍ତର ଦେବାକୁ ସାହାସ ନ ରଖି ଗାଳି ଗୁଲଜ କରିବା ଶାସକ ଦଳର ବିବେକ ପ୍ରଦର୍ଶନ ଛଡା କିଛି ନୁହେଁ ବୋଲି ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରଚାର ଅଭିଯାନରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି କହିଛନ୍ତି ଯେ, ସମଗ୍ର ଦେଶରେ ଦରଦାମ ନିୟମନ୍ତ୍ରଣାଧିନ ଥିବା ସତ୍ତ୍ୱେ ଓଡିଶା ସରକାର କଳାବଜାରୀଙ୍କ ହାତ ମିଳାଇଥିବା କାରଣରୁ ରାଜ୍ୟରେ ଦରଦାମ ବୃଦ୍ଧି ହେଉଛି । ଏହାର ଏକମାତ୍ର ରାସ୍ତା ରାଜ୍ୟର ଭ୍ରଷ୍ଟ ସରକାର ବଦଳିବା ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଏକାଧିକ ବିଧାନସଭା ନିର୍ବାଚନମଣ୍ଡଳୀମାନଙ୍କରେ ତୋଫାନୀ ପ୍ରଚାର କରିଛନ୍ତି । ଏହି କ୍ରମରେ ସଦର ନିର୍ବାଚନମଣ୍ଡଳୀର ସାର୍ଥା ଠାରେ ଏକ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶାସକ ଦଳ ଉପରେ ବେଶ ବର୍ଷିଥିଲେ । ୨୫ବର୍ଷର ଭ୍ରଷ୍ଟ ଶାସନକୁ ତୁରନ୍ତ ବଦଳାଇବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଏଥର ୪୦୦ ପାର’ ଆହ୍ୱାନକୁ ପୁରଣ ପାଇଁ ବାଲେଶ୍ୱର ମଧ୍ୟ ସାମିଲ ହେବା ଆବଶ୍ୟକ ବୋଲି ସେ କହିଥିଲେ । ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ଓଡିଶାରେ ପ୍ରଥମ ବିଜେପି ସରକାର ଗଠନ ପାଇଁ ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିବେଦନ କରିଥିଲେ । ପରେ ଟାଉନହଲ ଛକରୁ ଆରମ୍ଭ ହୋଇଥିବା ରୋଡ-ସୋରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେଇ ସହରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମର୍ଥନ ମାଗିଥିଲେ । ରୋଡ-ସୋ ଟାଉନହଲ ଛକରୁ ବାହାରୁ ସିନେମା ଛକ ଓ ଟାଉନଥାନା ଦେଇ ବାରବାଟି ଠାରେ ଶେଷ ହୋଇଥିଲା । ହଜାର ହଜାର ବିଜେପି ସମର୍ଥନ ଓ ସାଧାରଣ ଜନତା ଏହି ରୋଡ-ସୋରେ ସାମିଲ ହୋଇଥିଲେ ।