ସଦର ନିର୍ବାଚନମଣ୍ଡଳୀ କ୍ଷେତ୍ର ପାଇଁ ଜାରି ହେଲା ‘ବିଜେପିର ବିକଶିତ ବାଲେଶ୍ୱର ସଂକଳ୍ପ ପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ନିକଟରୁ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଭାରତୀୟ ଜନତା ପାର୍ଟିର ବିକଶିତ ବାଲେଶ୍ୱର ସଂକଳ୍ପ ପତ୍ର ଓ ମୋଦି ଗ୍ୟାରେଂଟି ଜାରି କରାଯାଇଛି । ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ ଯୋଗଦେଇ ବିଜେପିର ସଂକଳ୍ପ ପତ୍ର-୨୦୨୪ ଓ ମୋଦିଙ୍କ ଗ୍ୟାରେଂଟି ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି । ବିଗତ ୧୦ ବର୍ଷର ମୋଦି ସରକାରଙ୍କ ବିଶ୍ୱସନୀୟତାକୁ ନେଇ ଆଗାମୀ ୫ ବର୍ଷରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀକୁ ବିକଶିତ ଅଂଚଳରେ ରୁପାନ୍ତରିତ ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଶ୍ରୀ ଦତ ଆଲୋଚନା କରିଥିଲେ । ବାଲେଶ୍ୱର ପୌରପାଳିକାର କଳେବର ବୃଦ୍ଧି ସହିତ ମହାନଗର ନିଗମରେ ରୁପାନ୍ତରିତ ପାଇଁ ସହରବାସୀଙ୍କ ଦୀର୍ଘ ଦିନର ଦାବିକୁ ସମର୍ଥନ ଜଣାଇ ତାହାର ସଫଳ ରୁପାୟନରେ ପଦକ୍ଷେପ ଗ୍ରହଣ ପ୍ରମୁଖ ହେବ ବୋଲି ଶ୍ରୀ ଦତ କହିଥିଲେ । ସେହିପରି କୃଷକଙ୍କ ପାଇଁ ସଦର ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି, ମହାନାଳର ପୁନଃରୁଦ୍ଧାର, ସୁବ୍ୟସ୍ଥିତ ଭେଣ୍ଡିଂ ଜୋନ ସ୍ଥାପନ, ବାସହୀନ ବସ୍ତିବାସିନ୍ଦାଙ୍କ ପାଇଁ କଲୋନୀ ନିର୍ମାଣ, ସହର ରାସ୍ତା ପ୍ରସସ୍ତୀକରଣ ସହ ଛକମାନଙ୍କରେ ଫୁଟ ଓଭର ବ୍ରିଜ ନିର୍ମାଣ, ପ୍ରସ୍ତାବିତ ରିଂ ରୋଡ ପୂର୍ଣ୍ଣାଙ୍ଗୀକରଣ, ବାଲେଶ୍ୱରରେ କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ଶାଖା ପ୍ରତିଷ୍ଠା, ବୁଢାବଲଙ୍ଗ ନଦୀରେ ମେଗାଲିଫ୍ଟ ବ୍ୟାରେଜ ନିର୍ମାଣ, ସମସ୍ତ ଥାନାରେ ଶିଶୁ ଓ ମହିଳା ବିଭାଗ, ଦକ୍ଷତା ବିକାଶ ଶିକ୍ଷା କେନ୍ଦ୍ର ସ୍ଥାପନ, ପରିବେଶ ସୁରକ୍ଷା ପାଇଁ ସବୁଜ ପାଚେରୀ ନିର୍ମାଣ, ଗ୍ରାମଂଚଳରେ ମିନି ଷ୍ଟାଡିଅମ ଓ ବାଲେଶ୍ୱର ସହରରେ ସ୍ପୋଟର୍ସ କମ୍ପେ୍ଲକ୍ସ, ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପର ସ୍ପେଶାଲିଷ୍ଟ ଡିଭିଜନ, ବଗଦା, ସାରଙ୍ଗଦେବ ଓ ପନ୍ତାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ସହ ଚାନ୍ଦିପୁର ବେଳାଭୂମୀର ଉନ୍ନତି, ଗ୍ରାମୀଣ ପର୍ଯଟନର ବିକାଶ କରାଯିବ ବୋଲି ଶ୍ରୀ ଦତ କହିଥିଲେ । ସାର୍ଥା – ବରଡିହା (ଶ୍ରୀରାମପୁର) ସଂଯୋଗ ସେତୁ ସହିତ ରସଲପୁରର ଓଲାଡିରୁ ରୁପସାକୁ ସଂଯୋଗ ରାସ୍ତାର ପୁନଃନିର୍ମାଣ କରାଯବିବ ବୋଲି ସେ ସୂଚନା ଦେଇଥିଲେ । ପୂର୍ବରୁ ଶାସକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ସମ୍ପ୍ରତି ପାଣିର ଗାର ପାଲଟି ଯାଇଥିବା ବେଳେ ସେଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ କରାଯିବ ବୋଲି ଶ୍ରୀ ଦତ କହିଥିଲେ । ଗୌରାଙ୍ଗ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର ସଂକଳ୍ପ ପତ୍ରର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସଦର ନିର୍ବାଚନମଣ୍ଡଳୀ ନିର୍ବାଚନ ସଂଯୋଜକ ସୁଷମା ବିଶ୍ୱାଳ, ମିଡିଆ ସଂଯୋଜକ ବିଭୂପଦ ଦାସ, ବରିଷ୍ଠ ନେତା ସୁଜିତ ଦେବ, ରବି ନାରାୟଣ ମହାପାତ୍ର, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୟାଧର ବେହେରା, ନଗର ସଭାପତି ଚତିରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ମଣ୍ଡଳ ସଭାପତି ଲୋକନାଥ ଭୂୟାଁ ଓ ଅନନ୍ତ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ