ସଦର ବିଡିଓଙ୍କୁ ଘେରିଲେ ବିଜେପ କର୍ମୀ
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକରେ ବିଭିନ୍ନ କାର୍ଯ୍ୟର ଅନିୟମିତତା ହୋଇଥିବା ଅଭିଯୋଗ କରିି ବିଜେପି ସଦର କମିଟି ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛିି । ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଶହ ଶହ ମହିଳା ଓ ପୁରୁଷ ବ୍ଲକ ସମ୍ମୁଖରେ ଦୀର୍ଘ ସମୟ ବସି ରହିବା ସହ ବିଡିଓଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ବିରୋଧରେ ନାରା ଦେଇଥିଲେ । ବିଜେପିର ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ମଣ୍ଡଳର ସଭାପତି, ପ୍ରଭାରୀ, ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ମଣ୍ଡଳର ସାଧାରଣ ସମ୍ପାଦକ, ପଞ୍ଚାୟତ ସଭାପତି, ବିଭିନ୍ନ ମୋର୍ଚ୍ଚାର ମୁଖ୍ୟ ତଥା ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ବ୍ଲକ ପ୍ରଶାସନ ଓ ଶାସକ ଦଳର ସଲାସୁତୁରାରେ ଚାଲିଥିବା ଦୁର୍ନୀତିକୁ ନେଇ କଡ଼ା ସମାଲୋଚନା କରିଥିଲେ । ବିନା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର ବିଲ ହଡ଼ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନଦେଇ ଅଯୋଗ୍ୟଙ୍କୁ ପ୍ରଦାନ କରାଯିବା, ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ରାଜନୈତିକ ଆକ୍ରୋଶରୁ ବିଲ ପ୍ରଦାନରେ ବିଳମ୍ବ କରିବା, ଏଫ.ଡି.ଆର ଯୋଜନାରେ ବନ୍ୟା କ୍ଷତିଗ୍ରସ୍ତ ରାସ୍ତାକୁ ସାମିଲ ନକରି ଶାସକ ଦଳର କଥାରେ ପକ୍କା ରାସ୍ତାକୁ ତାଲିକାଭୁକ୍ତ କରିବା, ବୟସ୍କ ଓ ଯୋଗ୍ୟ ହିତାଧିକାରୀ ପରିବର୍ତ୍ତେ ଧନୀ ତଥା ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ କରିବା, ସଦର ବିଡିଓଙ୍କ ପାତରଅନ୍ତର ନୀତି ଯୋଗୁଁ ସଦର ନିର୍ବାଚନମଣ୍ଡଳୀରେ ବିକାଶ ଧରା ମନ୍ଥର ହୋଇଥିବା ନେଇ ବକ୍ତାମାନେ ଆରୋପ ଉଠାଇଥିଲେ । ବିଶେଷ କରି ଅନୁମୋଦିତ ଏଫ.ଡି.ଆର ପ୍ରକଳ୍ପ ଗୁଡିକର ନିରପେକ୍ଷ ତଦନ୍ତ ସହ ଚୂଡାନ୍ତ ତାଲିକା ପ୍ରକାଶ କରିବା, ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡିକର ତୁରନ୍ତ ବିଲ ପ୍ରଦାନ କରିବା, ୫-ଟିରେ ସାମିଲ ସ୍କୁଲର କାର୍ଯ୍ୟ ପାଇଁ ବିନା ସରକାରୀ ଲିଖିତ ନିର୍ଦ୍ଦେଶରେ ସରପଞ୍ଚମାନଙ୍କୁ ପଞ୍ଚାୟତ ପାଣ୍ଠି ପ୍ରଦାନ କରିବାକୁ ବାଧ୍ୟ ନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ତୁରନ୍ତ ତଦନ୍ତ ସହ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା, ଯୋଗ୍ୟ ହିତାଧିକାରଙ୍କୁ ଭତ୍ତା ପ୍ରଦାନ କରିବା, ସୂଚନା ଅଧିକାର ଆଇନ ସମ୍ପର୍କିତ ତଥ୍ୟ ପାଇଁ ଆବେଦନକାରୀଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ପ୍ରଦାନ ପାଇଁ କର୍ମକର୍ତ୍ତାମାନେ ଦାବି କରିଥିଲେ । ଦାବି ପୂରଣରେ ବ୍ଲକ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ । ଘେରାଉ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ପ୍ରତିବାଦ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ୧୦ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତିି ଦେଇଥିଲେ । ବିଧାନସଭା ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ଅରୁଣ ବେଜ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ବିଜୟ ପାଣିଗ୍ରାହୀ, ସଞ୍ଜୀବ ସାହୁ, ରାଜେନ୍ଦ୍ର ଚାଟାର୍ଜୀ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ଜୟନ୍ତୀ ଆଦିକ, ସମତିସଭ୍ୟ ମାୟାଧର ମହାଳିକ, ମଣ୍ଡଳ ସଭାପତି ବିଜୟ ଦାସ, ଅନୀଲ ପାତ୍ର, କାର୍ତ୍ତିକ ରାଉତ, ତପନ ଗିରି, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ଅନ୍ତର୍ଯ୍ୟାମୀ ବେହେରା, ସୁବେଶ ନାୟକ, କାର୍ତ୍ତିକ ପ୍ରଧାନ, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ପ୍ରଜ୍ଞା ପରମିତା ଗିରି, ବୃନ୍ଦାବନ ରାଉତ, ବିକାଶ ପାଢୀ, ମନ୍ମୟ ଦାସ, ଧୀରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ଶ୍ରୀହରି ଶୁକ୍ଳା, ପର୍ଶୁ ମହାନ୍ତି, ଦୁର୍ଗା ବେହେରା, ମୁନା ମହନ୍ତ, ସୁଶାନ୍ତ ସାହୁ, ଶକ୍ତିଶଙ୍କର ପାଣିଗ୍ରାହୀ, ବବଲୁ ମିଶ୍ର, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଘେରାଉ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।