ସଦର ବିଧାୟକଙ୍କ ଦ୍ୱାରା ୬ ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ତ୍ତବିଭାଗକୁ ହସ୍ତାନ୍ତର ହୋଇଥିବା ସହରର ୬ ଗୋଟି ପ୍ରମୁଖ ରାସ୍ତାର ନବୀକରଣ ପାଇଁ ସଦର ବିଧାୟକ ସ୍ୱରୂପ ଦାସ ରବିବାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସହରର ବଳାଙ୍ଗୀ କଲେଜ ସମ୍ମୁଖ ବଡ଼ଖୁଆ ପଡ଼ିଆରେ ଆୟୋଜିତ ପ୍ରଥମ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସ ଯୋଗଦେଇ ପୁରୁଣା ବାଲେଶ୍ୱରର ବଡ଼ଖୁଆ ଛକରୁ ମଧ୍ୁଆମିଲ ଛକ ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରିଥିଲେ । ବାଲେଶ୍ୱର ସହରର ମଧ୍ୟରେ ଗମନାଗମନ ବ୍ୟବସ୍ଥାର ସୁଧାର ପାଇଁ ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ମୁଖ୍ୟରାସ୍ତା ସହ ଏବେ ପ୍ରମୁଖ ସଂଯୋଗୀକରଣ ରାସ୍ତାଗୁଡକିର ନବୀକରଣ ଆରମ୍ଭ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଥିଲେ । ରାସ୍ତା ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ବେଆଇନ ଅବରୋଧ ଉଚ୍ଛେଦ ସହ ଦୁଇ ପାଶ୍ୱର୍ରେ ନାଳ ନିର୍ମାଣ କରାଯିବ ବୋଲି ସେ କହିଥିଲେ । ୧୫କୋଟି ଟଙ୍କା ବ୍ୟୟ ଅଟକଳରେ ମୋଟ ୫.୫ କିଲୋମିଟର ରସ୍ତାର ନବୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବ ବୋଲି ବିଧାୟକ ଶ୍ରୀ ଦାସ ଆଶାପ୍ରକାଶ କରିଥିଲେ । ପରେ ଅନୁରୂପ ଭାବେ ସୁନହଟ କନକ ଦୂର୍ଗା ମନ୍ଦିରଠାରୁ ଉଷାମେଦ ରୋଡ ଦେଇ ହେମକାପଦା ପର୍ଯ୍ୟନ୍ତ ରସ୍ତା ପାଇଁ ଗୋଳାପୋଖରୀ ଛକରେ, ବାଲେଶ୍ୱର ପୌରପାଳିକାରୁ ଦାମୋଦରପୁର ଶ୍ୟାମସୁନ୍ଦର ମନ୍ଦିର ଦେଇ ବାଲିଘାଟ ପର୍ଯ୍ୟନ୍ତ ରାସ୍ତା ପାଇଁ ବଡପୋଲ ଛକରେ, ଟାଉନଥାନାଠାରୁ ହାଣ୍ଡିହାଟ ଗଳି ଓ ନୁରପୁର ରୋଡ଼ର କସବା ସ୍କୁଲ ଦେଇ ନିକାହ ମହଲ ପର୍ଯ୍ୟନ୍ତ ରାସ୍ତା ପାଇଁ ବଂଶଲଘାଟ ଛକରେ, ୫ନଂ ୱାର୍ଡର ନିରଞ୍ଜନ ପଣ୍ଡାଙ୍କ ଘର ନିକଟରୁ ଚିନ୍ତାମଣି ନଗର ଦେଇ କାଦରାବାଦ ମହାଦେବ ମନ୍ଦିର ପର୍ଯ୍ୟନ୍ତ ରସ୍ତା ପାଇଁ ମାନସିଂବଜାର ସ୍କୁଲ ନିକଟରେ ଏବଂ ଚିଡ଼ିଆପୋଲ ଖାଦିମ ସୋ-ରୁମ ନିକଟରୁ ସୁଏଲପୁର ଦେଇ ମଣ୍ଡଳବଜାର ପର୍ଯ୍ୟନ୍ତ ରାସ୍ତା ପାଇଁ ଟାଉନହଲ ଛକ ପ୍ରଭୃତି ସ୍ଥାନରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଶ୍ରୀ ଦାସ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ପୂର୍ବତନ କାଉନସିଲର ମୀନା ମହାନ୍ତି, ସନତ ଦାସ, ଜୟପ୍ରକାଶ ଦାଶ, ଶେଖ ସାକିର ଖାନ, କୈଳାଶ ଦାଶ, ଶେଖ ରାଜୁଙ୍କ ସମେତ ଉମାଶଙ୍କର ତିଆଡି, ପୂର୍ଣ୍ଣଚନ୍ଦ୍ର ନାୟକ, ମୀନତି ସେଠୀ, ଜଗନ୍ନାଥ ମହାରଣା, ସଞ୍ଜୟ ବେହେରା, ପଙ୍କଜ ଅଗ୍ରୱାଲ, ସୁବ୍ରତ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏଥିରେ ଉପସ୍ଥିତ ଥିଲେ ।


