ସଦର ବ୍ଲକରେ ନିର୍ମାଣଧିନ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବିଗତ ସରକାରଙ୍କ ଅମଳରେ ଭୁଶୁଡ଼ି ପଡ଼ିଥିବା ଶାସନ ବ୍ୟବସ୍ଥା ଯୋଗୁଁ ଚରମ ସୀମାରେ ପହଞ୍ଚିଥିଲା ପିସି କାରବାର I ଫଳରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ଖୋଜ ଖବର ରହୁନଥିଲା I ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କି ନିର୍ବାଚିତ ଲୋକ ପ୍ରତିନିଧି, କ୍ଷେତ୍ର ପରିଦର୍ଶନ ତ ଦୂରର କଥା କେହି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେଉନଥିଲେ I ମୋଟା ଅଙ୍କର ପିସି ନେଉଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଅଥବା ଜିଲ୍ଲା ମୁଖ୍ୟଙ୍କୁ ଯୋଜନାର ସଫଳ ରୁପାୟନ ବାବଦରେ ନିର୍ବାଚିତ ପ୍ରତିନିଧମାନଙ୍କ ପ୍ରଶ୍ନ କରିବାର ସାହସ ନ ଥିଲା I ରାଜ୍ୟରେ ସରକାର ବଦଳିବା କ୍ଷଣି ଶାସନ ବ୍ୟବସ୍ଥାରେ ମଧ୍ଯ ପରିବର୍ତ୍ତନ ହେଇଥିବା ପରିଲକ୍ଷିତ ହୋଇଛି I ଏହି ପରି ଏକ ପରିବର୍ତ୍ତିତ ବ୍ୟବସ୍ଥାରେ ସଦର ବିଧାୟକ ମାନସ କୁମାର ଦତ୍ତ ପହଞ୍ଚିଥିଲେ ଓଲନ୍ଦା ସାରଗାଁ ପଞ୍ଚାୟତରେ ନିର୍ମାଣଧିନ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ତଦାରଖ ପାଇଁ I ସେଠାକୁ ଡକାଇଥିଲେ ଜିଲ୍ଲାପାଳ ଆଶିଷ ଠାକରେ ଓ ବିଦ୍ୟାଳୟ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ I ପୂର୍ବ ସରକାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ I କେତେକ ବ୍ଲକରେ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇଥିବା ବେଳେ ସଦର ବ୍ଳକର ଓଲନ୍ଦା ସାରଗାଁ ପଞ୍ଚାୟତ ଅଧୀନ ହିଞ୍ଜଳା ଠାରେ ଏହି ପ୍ରକଳ୍ପ ବିଳମ୍ବିତ ହେବାର କାରଣ କଣ ସେ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଅଧିକାରୀମାନଙ୍କୁ ପଚାରି ଥିଲେ I ଦୀର୍ଘ ବର୍ଷ ଧରି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ସମ୍ପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ I ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ସେ ସ୍ପଷ୍ଟ ଭାବେ କହିଥିଲେ I ଯୁଦ୍ଧକାଳୀନଭିତ୍ତିରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ I ସରକାରୀ ପ୍ରକଳ୍ପର ସଫଳ କାର୍ଯ୍ୟକାରିତାକୁ ନେଇ ଅଧିକାରୀମାନେ ଉତ୍ତରଦାୟୀ ରହିବା ଉଚିତ I ଏଥିରେ ଟାଳଟୁଳ ନୀତି ଅବଲମ୍ବନ କଲେ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ ଚେତାବନୀ ଦେଇଥିଲେ I ଜିଲ୍ଲା ଶିକ୍ଷଧିକାରିଣୀ ପ୍ରତିଭା ମଞ୍ଜରୀ ଦାସ ସେଠାରେ ଉପସ୍ଥିତ ରହି ପ୍ରକଳ୍ପ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ I ସୂଚନା ଯୋଗ୍ୟ ଯେ, ଚାରି ବର୍ଷ ତଳେ ରାଜ୍ୟ ସରକାର ସଦର ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନେଇ ନିଷ୍ପତ୍ତି ନେଇଥିଲେ I ସେହି କ୍ରମରେ ଓଲନ୍ଦା ସାରଗାଁର ହିଞ୍ଜଳା ଠାରେ ବିଦ୍ୟାଳୟର ସ୍ଥାୟୀ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା I ଏହା ସହିତ ପାଞ୍ଚ କିଲୋମିଟର ଦୂର ଓଡ଼ଙ୍ଗୀ ପଞ୍ଚାୟତର ତଳ ଅମରା ବିଦ୍ୟାଳୟରେ ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରଯାଇଥିଲା I ଚାରି ବର୍ଷ ଧରି ଛାତ୍ରଛାତ୍ରୀମାନେ ଆଦର୍ଶ ମାନ ନଥିବା ବିଦ୍ୟାଳୟର ଏ ଯାବତ୍ ପାଠ ପଢ଼ୁଛନ୍ତି I ଏହି ଅବସରରେ ସଦର ବିଧାୟକ ଶ୍ରୀ ଦତ୍ତ ତଳ ଅମାରା ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନର ମାନବୃଦ୍ଧି ଓ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତିସଭ୍ୟା ରଶ୍ମିତା ନାୟକ, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ପିତାମ୍ବର ଭୂୟାଁ, ମନୋରଞ୍ଜନ ରାଉତ, ଅଶୋକ ଦାସ, ରବି ରାଉତ, ରାମ ବୈଠା, ସରୋଜ ପରିଡା, ମନ୍ମଥ ରାଉତ, ପିତାମ୍ବର ସାହୁ, ରଘୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ