ସଦର ବ୍ଲକ ଘେରିଲେ ବିଜେପି କର୍ମୀ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଜେପି ପକ୍ଷରୁ ସମଗ୍ର ଓଡ଼ିଶାରେ ବିକ୍ଷୋଭ ପ୍ରତିବାଦ ଚାଲିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ବିଜେପି ପକ୍ଷରୁ ମଙ୍ଗଳବାର ସଦର ବ୍ଲକ ଘେରାଓ ଅବସରରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ ଯୋଗଦେଇ ଆବାସ ହିତାଧିକାରୀ ଚୟନରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାରାକୁ ସମାଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂର୍ବରୁ ୧୮ଲକ୍ଷ ଏବଂ ଏବେ ୯ଲକ୍ଷ ୫୮ହଜାରକୁ ମିଶାଇ କେନ୍ଦ୍ର ସରକାର ସମୁଦାୟ ୨୭ଲକ୍ଷ ୫୮ହଜାର ଘର ପ୍ରଦାନ କରିଛନ୍ତି । ମାତ୍ର ତାଲିକାରେ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଦତ୍ତ ଆରୋପ ଉଠାଇଥିଲେ । ଅନ୍ୟପକ୍ଷରେ ସରଳ ଗ୍ରାମବାସୀଙ୍କ ମଧ୍ୟରେ ଦ୍ୱନ୍ଦ ତଥା ସଂଘର୍ଷ ଭଳି ସ୍ଥିତି ଉପୁଜାଇବାକୁ ରାଜ୍ୟ ସରକାର ଯେଉଁ ଚେଷ୍ଟା ଚଳାଇଛନ୍ତି ତାହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଦତ୍ତ କହିଛନ୍ତି । ସରକାର ନିଜେ ଦାୟିତ୍ୱ ନେଇ ନିରପେକ୍ଷ ଭାବେ ସର୍ଭେ ସହ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ପାଇଁ ସେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ସଦର ବ୍ଲକରେ ୨୭ ହଜାର ଦରଖାସ୍ତରୁ ତଦନ୍ତକାରୀ ଅଧିକାରୀମାନେ ଶାସକ ଦଳ ନେତାଙ୍କ ପ୍ରରୋଚନାରେ ପ୍ରସ୍ତୁତ କରିଥିବା ତାଲିକାରେ ୬,୮୯୨ ଜଣଙ୍କ ନାମ ଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି । ଆସନ୍ତା ୭ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାନଗଲେ ସଦର ବିଜେପି ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଦତ୍ତ ଚେତବାନୀ ଦେଇଥିଲେ । ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସର୍ବେଶ୍ୱର ଦାସ, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଗୟାଧର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି, ପ୍ରଭାରୀ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ତଥା ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ