ସଦ୍‌ଗୁରୁ ଶିରିଡ଼ି ସାଇବାବା

ଡ଼କ୍ଟର ମନୋଜ କୁମାର ମହାନ୍ତି
ଏ ସଂସାରରେ ଅନେକ ପ୍ରକାର ଗୁରୁ ଅଛନ୍ତି ଯେଉଁମାନେ ଆମକୁ ବିଭିନ୍ନ ପ୍ରକାରର ଜ୍ଞାନ ପ୍ରଦାନ କରିଥାନ୍ତି, କିନ୍ତୁ ଯେଉଁ ଗୁରୁ ଆମକୁ ଆତ୍ମ ଚେତନାରେ ପ୍ରତିଷ୍ଠିତ କରାନ୍ତି ଓ ସାଂସାରିକ ମୋହ ସାଗରରୁ ପାର କରାଇ ନିଅନ୍ତି, ସେ ହିଁ ସଦ୍‌ଗୁରୁ ପଦବାଚ୍ୟ । ପରମ ପୂଜ୍ୟ ସାଇବାବା ସେହି ପ୍ରକାରର ସଦ୍‌ଗୁରୁ ଥିଲେ । ସେ ବିଧି ନିର୍ଦ୍ଦିଷ୍ଟ ଗୁରୁ ଥିଲେ ଯାହାଙ୍କ ସଂସ୍ପର୍ଶରେ ଭକ୍ତ ଆସିଲେ ତା ମନରୁ ଦ୍ୱୈତ ଭାବ ବିଲୋପ ହେଉଥିଲା ଏବଂ ‘ବ୍ରହ୍ମୋଽସ୍ମି’ (ଆତ୍ମାନନ୍ଦ)ର ଭାବ ଉଦ୍ରେକ ହେଉଥିଲା । ସାଇବାବାଙ୍କ ମହାନୁଭବତା ବର୍ଣ୍ଣନାତୀତ । ଯଦି କେହି ତାଙ୍କୁ ଦର୍ଶନ କରିବାକୁ ଯାଉଥିଷଲ ସେ ବିନା ପ୍ରଶ୍ନରେ ତା’ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟ କହି ଦେଉଥିଲେ । ସେ ସବୁ ଜୀବଙ୍କ ଭିତରେ ବ୍ରହ୍ମ ଦର୍ଶନ କରୁଥିଲେ । ଶତ୍ରୁ ଓ ମିତ୍ର ଉଭୟେ ତାଙ୍କ ନିକଟରେ ସମାନ ଥିଲେ । ସେ ଅନାସକ୍ତ ଓ ସମଭାବାପନ୍ନ ଥିଲେ । ଅପକର୍ମ କରିଥିବା ଲୋକଙ୍କୁ ମଧ୍ୟ ସେ ଅନୁଗୃହୀତ କରୁଥିଲେ । ସମ୍ପଦରେ ସେ ଯାହା ବିପତ୍ତିରେ ମଧ୍ୟ ସେଇଆ । ସେ ଶରୀରୀ ହୋଇଥିଲେ ହେଁ ପ୍ରକୃତରେ ଶରୀରମୁକ୍ତ ଥିଲେ । ଅର୍ଥାତ୍ ଶରୀର ବନ୍ଧନରୁ ମୁକ୍ତ ଥିଲେ । ସେ କୌଣସି ବିଷୟ ପ୍ରତି ଆସକ୍ତ ନଥିଲେ । ବାସ୍ତବରେ ସେ ଥିଲେ ଅନାଗ୍ରହ, ମୁକ୍ତ ଓ ସ୍ୱୟଂ-ସମ୍ପୂର୍ଣ୍ଣ । ଅନେକ ସନ୍ଥ ଅଛନ୍ତି ଯେଉଁମାନେ ଗୃହତ୍ୟାଗ କରି ଜଙ୍ଗଲରେ, ଗୁମ୍ଫାରେ ବା ଆଶ୍ରମରେ ନିରୋଳାରେ ରହି ସେମାନଙ୍କର ନିଜ ନିଜର ମୁକ୍ତି ବା ମୋକ୍ଷ ପାଇଁ ସାଧନା କରିଥାନ୍ତି । ସେମାନେ ଅନ୍ୟାନ୍ୟ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ଏବଂ ସର୍ବଦା ଆତ୍ମଚିନ୍ତନରେ ନିମଗ୍ନ ଥାନ୍ତି । ସାଇବାବା ଏ ଧରଣର ସନ୍ଥ ନଥିଲେ । ତାଙ୍କର ଘରଦ୍ୱାର ବା ପରିବାର ନଥିଲା । ସେ ଚାରି ପାଞ୍ଚ ଘର ବୁଲି ରୁଟି ଭିକ୍ଷା କରି ଆଣୁଥିଲେ । ସବୁବେଳେ ଭଙ୍ଗା ମସ୍‌ଜିଦରେ ରହୁଥିଲେ, ସାଂସାରିକ ଜଞ୍ଜାଳ କଥା ବୁଝୁଥିଲେ । ଭଗବତ୍ ଦର୍ଶନ ପ୍ରାପ୍ତି ପରେ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ସାଧୁସନ୍ଥମାନେ ଆଗଭର ହେବା ବିରଳ । ଏଭଳି ସାଧୁସନ୍ଥଙ୍କ ମଧ୍ୟରେ ସାଇବାବା ହିଁ ସର୍ବପ୍ରଥମ ।
ସାଇବାବାଙ୍କର ମାତାପିତା ବା ପ୍ରକୃତ ଜନ୍ମଦିନ ବିଷୟରେ କାହାର ଧାରଣା ନଥିଲା । କିନ୍ତୁ ବାବାଙ୍କର ଶିରିଡ଼ି ଆଗମନ ଓ ରହଣି ସମୟରୁ ବାବାଙ୍କର ଜନ୍ମର ସମୟ ଅନୁମାନ କରାଯାଇପାରେ । ବାବା ପ୍ରଥମେ ଜଣେ ଷୋହଳ ବର୍ଷର ତରୁଣ ବାଳକ ଅବସ୍ଥାରେ ଶିରିଡ଼ି ଆସିଥିଲେ । ଏହାପରେ ବାବା ଶିରିଡ଼ିରୁ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ପୁନଃ ପ୍ରାୟ ୨୦ ବର୍ଷ ବୟସରେ ଚାନ୍ଦ ପାଟିଲଙ୍କ ବରଯାତ୍ରୀ ସାଙ୍ଗରେ ଶିରିଡ଼ି ଆସିଥିଲେ । ଏହାପରେ ଶିରିଡ଼ିରେ ୬୦ ବର୍ଷ ବିତାଇ ବାବା ୧୯୧୮ ମସିହାରେ ମହାସମାଧି ନେଲେ । ଏଥିରୁ ତାଙ୍କର ଆନୁମାନିକ ଜନ୍ମବର୍ଷ ୧୮୩୮ ବୋଲି ନିରୂପଣ କରାଯାଇପାରେ । ଶିରିଡ଼ି ଆଗମନ ପୂର୍ବରୁ ବାବା କେଉଁଠାରେ ଥିଲେ, ତାଙ୍କର ଜନ୍ମସ୍ଥାନ କେଉଁଠି, ତାଙ୍କର ମାତାପିତା କିଏ ଥିଲେ । ଏସବୁର ସଠିକ ବିବରଣୀ କୌଣସି ଐତିହାସିକମାନେ ମଧ୍ୟ ଦେବା ନିମନ୍ତେ ଅସମର୍ଥ ଅଟନ୍ତି । ଏପରିକି ସାଇବାବା ନାମ ତାଙ୍କର ଅନନ୍ୟ ଭକ୍ତ ମହଲାସପତିଙ୍କ ପ୍ରଦତ୍ତ । ଏହା ତାଙ୍କର ନିଜସ୍ୱ ନାମ ମଧ୍ୟ ନୁହେଁ । ‘ସାଇ’ ଶବ୍ଦର ଅର୍ଥ ଈଶ୍ୱର ବା ମାଲିକ । ତାଙ୍କୁ ନିଜର ଅତୀତ ବିଷୟରେ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଆଦୌ ପସନ୍ଦ ନଥିଲା । ତାଙ୍କୁ ଯେତେବେଳେ ବି ପଚରା ଯାଉଥିଲା, ଆପଣ କିଏ? କେଉଁଠାରୁ ଆସିଛନ୍ତି? ଆଦିର ଉତ୍ତରରେ ବାବା କହୁଥିଲେ ‘ମୋର ନାମ ନାହିଁ, ମୋର ଘର ନାହିଁ, ମୁଁ ନିର୍ଗୁଣ ନିରାକାର ଅଟେ ଏବଂ ସର୍ବଜ୍ଞ ସର୍ବବ୍ୟାପୀ ଅଟେ । ସାଇବାବା ମାତ୍ର ଷୋହଳ ବର୍ଷ ବୟସରେ ଶିରିଡ଼ିର ଏକ ନିମ୍ବବୃକ୍ଷ ମୂଳରେ ଶିରିଡ଼ିବାସୀଙ୍କୁ ମିଳିଥିଲେ । ତାଙ୍କର ବେଶ,ପୋଷାକ ପରିଛଦ ଠିକ୍ ମୁସଲମାନଙ୍କ ପରି ଥିଲା । ସେ ଫରାସୀ ତଥା ଭର୍ଦ୍ଦୁ ଭାଷାର ଉପଯୋଗ କରୁଥିଲେ । ବାବାଙ୍କର ବ୍ୟକ୍ତିତ୍ୱରେ ସୁଫିଭାବ ସ୍ପଷ୍ଟଭାବେ ପ୍ରତିଫଳିତ ହେଉଥିଲା । ତତ୍‌ସହିତ ବାବାଙ୍କର ହିନ୍ଦୁ ପରମ୍ପରା ବିଷୟକ ଜ୍ଞାନ ଓ ଅଦୈତ୍ୱ ଭକ୍ତିର ଭାବ ପରିଲକ୍ଷିତ ହେଉଥିଲା । ବାବାଙ୍କ ଅବସ୍ଥାନ ଯୋଗୁଁ ହିଁ ଶିରିଡ଼ି ଏକ ତୀର୍ଥରେ ପରିଣତ ହୋଇଥିଲା । ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଲୋକ ସେଠାରେ ରୁଣ୍ଡ ହେଉଥିଲେ ଏବଂ କି ଧନୀ, କି ଦରିଦ୍ର ସମସ୍ତେ ଏକାଧିକ ପ୍ରକାରରେ କୌଣସି ନା କୌଣସି ଭାବରେ ଉପକୃତ ହେଉଥିଲେ । ସାଇବାବା ଜଣେ ସାଧାରଣ ମଣିଷଙ୍କ ଭଳି ଆଚରଣ ଦେଖାଉଥିଲେ ହେଁ ତାଙ୍କ କାର୍ଯ୍ୟକ୍ରମରେ ବିଶେଷ ବୁଦ୍ଧିମତ୍ତା ଓ କୌଶଳ ପରିଲକ୍ଷିତ ହେଉଥିଲା । ସେ ଯାହାକିଛି କରୁଥିଲେ, ସେ ସବୁ ଭକ୍ତମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେ ଭକ୍ତମାନଙ୍କୁ କୌଣସିି ପ୍ରକାରର ଆସନ ବା ପ୍ରାଣାୟମ ଅଥବା ରୀତିନୀତି ପଦ୍ଧତି ଶିଖାଉ ନଥିଲେ । ସବୁ ପ୍ରକାରର ଚତୁର ପଣିଆ ପରିତ୍ୟାଗ କରି ସର୍ବଦା କେବଳ ‘ସାଇ’ ନାମ ସ୍ମରଣ କରିବାକୁ କହୁଥିଲେ । ସେ କହୁଥିଲେ ‘କେବଳ ସେତିକି କରିପାରିଲେ ତୁମର ସବୁ ବନ୍ଧନ ଖୋଲିଯିବ ଓ ତୁମେ ମୁକ୍ତ ହୋଇଯିବ’ ।
ସାଇବାବା ସର୍ବଦା କହୁଥିଲେ ଯେ, ସେ ଭଗବାନଙ୍କ ଜଣେ ଆଜ୍ଞାଧୀନ ସେବକ । ସେ ନିଜେ ଜଣେ ଅବତାରୀ ପୁରୁଷ ହୋଇଥିଲେ ହେଁ ଏଇ ଜୀବନକାଳ ଭିତରେ ପ୍ରତ୍ୟେକ କିପରି ସନ୍ତୋଷଜନକ ବ୍ୟବହାର କରିବେ ଓ ସ୍ୱ ସ୍ୱ କର୍ତ୍ତବ୍ୟ କର୍ମ ସମ୍ପାଦନ କରିବେ ତାହା ସେ ପ୍ରଦର୍ଶନ କରି ଯାଇଛନ୍ତି । ଭକ୍ତମାନଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ପ୍ରେମ ଥିଲା । ସେ ଆତ୍ମଜ୍ଞାନ ଭଣ୍ଡାର ଓ ଆତ୍ମାନନ୍ଦ ସ୍ୱରୂପ ଥିଲେ । ସେ ପୃଥିବୀର ସବୁ ଚଳନ୍ତି ଓ ଅଚଳନ୍ତି ବସ୍ତୁରେ ଈଶ୍ୱର ଦର୍ଶନ କରୁଥିଲେ ହେଁ ତାଙ୍କ ପକ୍ଷରେ ବିନମ୍ରତା ସବୁଠାରୁ ଶ୍ରେଷ୍ଠ ବିଷୟ ଥିଲା । ସେ ସବୁ ଜୀବଙ୍କ ମଧ୍ୟରେ ଭଗବାନ ଦର୍ଶନ କରୁଥିଲେ । ‘ମୁଁ ଭଗବାନ ବୋଲି’ ସେ କେବେ ହେଁ କହୁନଥିଲେ, କେବଳ କହୁଥିଲେ ଯେ ସେ ତାଙ୍କର ଜଣେ ବିନୀତ ସେବକ ଏବଂ ସର୍ବଦା ତାଙ୍କୁ ସ୍ମରଣ କରୁଥିଲେ ଓ ସବୁବେଳେ ‘ଆଲ୍ଲା ମାଲିକ’ (ଈଶ୍ୱର ହିଁ ଏକମାତ୍ର କର୍ତ୍ତା) ବୋଲି ଉଚ୍ଚାରଣ କରୁଥିଲେ । ବାବା କହୁଥିଲେ ଯିଏ ଜନ୍ମ ଓ ମୃତ୍ୟୁର ଆବର୍ତ୍ତ ଭିତରୁ ଉଦ୍ଧାର ପାଇବାକୁ ଇଚ୍ଛା କରେ, ସେ ନିଜ ମନକୁ ସଂଯତ ଓ ସ୍ଥିର ରଖି ଏକ ସଦଚାରୀ ଜୀବନ ଯାପନ କରିବା ଉଚିତ୍ । କାହା ମନରେ ଆଘାତ ଦେଲା ଭଳି କଥା କହିବା ଅନୁଚିତ । ଯେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖେ, ତାଙ୍କ ଲୀଳା ଶୁଣେ ଓ କହେ ଏବଂ ଅନ୍ୟ କୌଣସି ବିଷୟ ଚିିନ୍ତା କରେନାହିଁ, ସେ ଆତ୍ମ ଦର୍ଶନ ପାଇବା ହିଁ ନିଶ୍ଚିତ । ତାଙ୍କୁ ସ୍ମରଣ କରିବା ପାଇଁ ଓ ତାଙ୍କ ଠାରେ ସମର୍ପିତ ହୋଇଯିବା ପାଇଁ ବାବା ଅନେକଙ୍କୁ କହୁଥିଲେ । ସେ କେତେକ ଭକ୍ତଙ୍କୁ ଭଗବାନଙ୍କ ନାମ ସ୍ମରଣ କରିବାକୁ କହୁଥିଲେ, ଆଉ କାହାକୁ ତାଙ୍କ ଲୀଳା ଶୁଣିବାକୁ କହୁଥିଲେ ତ କାହାକୁ ଆଧ୍ୟାତ୍ମ ରାମାୟଣ, ଜ୍ଞାନେଶ୍ୱରୀ, ବିଷ୍ଣୁ ସହସ୍ରନାମ, ଛାନ୍ଦୋଗ୍ୟ ଉପନିଷଦ ଓ ଗୀତା ପଢିବାକୁ କହୁଥିଲେ । ବାବା ସର୍ବଦା ଦୁଇଟି ପବିତ୍ର ଶବ୍ଦ ବ୍ୟବହାର କରୁଥିଲେ । ତାହା ହେଲା ଶ୍ରଦ୍ଧା ଓ ସବୁରୀ । ଶ୍ରଦ୍ଧା ଅର୍ଥାତ୍ ଭଲ ପାଇବା ଓ ସବୁରୀ ଅର୍ଥାତ୍ ଧୈର୍ଯ୍ୟ । ଏ ପୃଥିବୀରେ ଥିବା ଜୀବଜଗତ, ବୃକ୍ଷଲତା, ମନୁଷ୍ୟ, ପଶୁପକ୍ଷୀ ସମସ୍ତଙ୍କୁ ଭଲ ପାଇବାକୁ ଓ ପ୍ରତ୍ୟେକ ପରିସ୍ଥିତିକୁ ସାହସର ସହ ସମ୍ମୁଖୀନ ହୋଇ ଧୈର୍ଯ୍ୟ ଧରିବାକୁ କହୁଥିଲେ । ଧନୀ-ଗରିବ, ଜାତି-ଅଜାତି ସମସ୍ତଙ୍କୁ ସେ ସମାନ ଭାବରେ ଭଲ ପାଉଥିଲେ ଏବଂ ଆଶୀର୍ବାଦ ଦେଉଥିଲେ । ଏହି କାରଣରୁ ସେ ସମସ୍ତଙ୍କର ପ୍ରିୟଜନ ହୋଇଥିଲେ ।
ଭକ୍ତମାନଙ୍କ ଠାରୁ ଦକ୍ଷିଣା ଗ୍ରହଣ କରିବା ସାଇବାବାଙ୍କର ଏକ ବିଶେଷତ୍ୱ ଥିଲା । ଦକ୍ଷିଣା ମାଧ୍ୟମରେ ବାବା ତାଙ୍କର ଭକ୍ତମାନଙ୍କୁ ଦାନର ମହତ୍ୱ ସମ୍ବନ୍ଧରେ ସୂଚିତ କରାଉଥିଲେ । ସେମାନଙ୍କ ମନରୁ ଅର୍ଥ ଓ ଜାଗତିକ ବସ୍ତୁପ୍ରତି ଲୋଭ ଓ ଆସକ୍ତି ଦୂର କରି ମନକୁ ଶୁଦ୍ଧ କରିବା ପାଇଁ ବାବା ସେମାନଙ୍କ ଠାରୁ ଦକ୍ଷିଣା ମାଗୁଥିଲେ । ବାବାଙ୍କର ଦାନ ନେବାର ଏକ ବିଶେଷତ୍ୱ ଥିଲା, ସେ ଯାହା ଦାନ ଭାବରେ ପାଉଥିଲେ ତାର ଶହେଗୁଣ ସେ ପ୍ରତିଦାନରେ ଦେଉଥିଲେ । ଏହାର ଗୋଟିଏ ଉଦାହରଣ ଶ୍ରୀ ସାଇ ସତ୍‌ଚରିତରେ ବର୍ଣ୍ଣନା କରାଯାଇଛି । ଜଣେ ପ୍ରସିଦ୍ଧ ଅଭିନେତା ଶ୍ରୀ ଗଣପତ୍ ରାଓ ବୋଦାସଙ୍କୁ ବାବା ବାରମ୍ବାର ଦକ୍ଷିଣା ମାଗିବାରୁ ଶେଷରେ ସେ ତାଙ୍କର ପଇସା ଥଳୀକୁ ପୁରା ଅଜାଡ଼ି ଦେଇ ଖାଲି କରିଦେଇଥିଲେ । ଫଳରେ ତାଙ୍କର ପରବର୍ତ୍ତୀ ଜୀବନ କାଳରେ ତାଙ୍କୁ ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ମିଳିଥିଲା । ବାବା ଯଦିଓ ଦକ୍ଷିଣା ଭାବରେ ପ୍ରଭୂତ ଅର୍ଥ ସଂଗ୍ରହ କରୁଥିଲେ, ସେହି ଅର୍ଥକୁ ମଧ୍ୟ ସେ ସେଇ ଗୋଟିଏ ଦିନରେ ବାଣ୍ଟି ଦେଉଥିଲେ, ଏପରିକି ତା’ ପରଦିନ ସକାଳୁ ସେ ପୁଣି ସେଇ ଦରିଦ୍ର ଫକୀର । ପ୍ରାୟ ଦଶବର୍ଷ ଧରି ଦକ୍ଷିଣା ଆକାରରେ ହଜାର ହଜାର ଟଙ୍କା ସଂଗ୍ରହ କରୁଥିଲେ ହେଁ ତାଙ୍କ ମହାସମାଧି ବେଳକୁ ତାଙ୍କ ପାଖରେ ଅଳ୍ପ କେତୋଟି ଟଙ୍କା ଥିଲା । ମୋଟ ଉପରେ କହିବାକୁ ଗଲେ, ଭକ୍ତମାନଙ୍କୁ ତ୍ୟାଗ ଓ ଆତ୍ମଶୁଦ୍ଧି ଶିକ୍ଷା ଦେବା ନିମନ୍ତେ ସେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ସଂଗ୍ରହ କରୁଥିଲେ । ବାବା ସମସ୍ତଙ୍କ ନିକଟରୁ ଦକ୍ଷିଣା ମାଗୁନଥିଲେ । କେବଳ ନିର୍ଦ୍ଦିଷ୍ଟ ଭକ୍ତଙ୍କୁ ସେ ଦକ୍ଷିଣା ମାଗୁଥିଲେ । ଭକ୍ତମାନଙ୍କ ଇଚ୍ଛା, ଭକ୍ତି ଓ ସୁବିଧାକୁ ବିଚାର କରି ସେ ଅଳ୍ପ ବା ବେଶୀ ପରିମାଣର ଦକ୍ଷିଣା ମାଗୁଥିଲେ । ପ୍ରଥମେ ମନସ୍ଥ କରିଥିବା ପରିମାଣ ଠାରୁ ଯଦି କେହି ଅଧିକ ଦେଉଥିଲେ, ବାବା ସେହି ଅଧିକ ଅର୍ଥ ଫେରସ୍ତ କରିଦେଉଥିଲେ । ଦକ୍ଷିଣା ଦ୍ୱାରା ସଂଗୃହିତ ଅର୍ଥରୁ ବାବା ତାଙ୍କ ନିଜ ସକାଶେ ଅର୍ଥାତ୍ ଚିଲମ ଟାଣିବା ଓ ଧୂନି ନିମନ୍ତେ କାଠ କିଣିବାକୁ ଖୁବ୍ କମ୍ ଖର୍ଚ୍ଚ କରୁଥିଲେ ଏବଂ ବାକି ସବୁ ଅର୍ଥ ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପରିମାଣ ଦାନ କରି ଦେଉଥିଲେ । ସାଇବାବା ଥିଲେ ଗୁଣାତୀତ ଏବଂ ଇନ୍ଦ୍ରିୟମାନଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା । ସେ ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ସବୁବେଳେ ସତ୍ ଚିତ୍ ଆନନ୍ଦରେ ବୁଡ଼ି ରହିଥିଲେ । ବାବାଙ୍କର ଶକ୍ତି ଥିଲା ବ୍ୟାପକ ଏବଂ ସୀମାତୀତ । ତେଣୁ ମାୟା ତାଙ୍କୁ କବଳିତ କରିପାରୁନଥିଲା କିମ୍ବା ଦୁଃଖ ତାଙ୍କର ସମୀପକୁ ଆସି ପାରୁନଥିଲା । ସେ ଦିବ୍ୟ ଅଷ୍ଟ ମହାସିଦ୍ଧିପ୍ରାପ୍ତ ହୋଇଥିଲେ । ବାବା ଚାହଁବା ମାତ୍ରେ ଯେକୌଣସି ସ୍ଥାନକୁ ଯେକୌଣସି ଶରୀର ଧାରଣ କରି ଯାଇପାରୁଥିଲେ । ବି.ଭି. ଦେଓଙ୍କ ମା’ଙ୍କର ଉଦ୍‌ଯାପନୀ ଉତ୍ସବ ଭୋଜିରେ ଜଣେ ସନ୍ନ୍ୟାସୀ ରୂପରେ ଦୁଇଜଣ ଶିଷ୍ୟଙ୍କ ସହ ଯୋଗ ଦେଇଥିଲେ ଯାହା ପ୍ରମାଣ କରେ ଯେ, ବାବା ଏକାଧିକ ଶରୀର ଧାରଣ କରିପାରୁଥିଲେ । ବାବା ବିଭିନ୍ନ ଲୋକଙ୍କୁ ଭିନ୍ନ ରୂପରେ ଦର୍ଶନ ଦେଇଥିବାର କଥା ଆମେ ସାଇ ସତ୍‌ଚରିତରେ ପାଠ କରିଛେ । ବାବା ନିଜ ଇଚ୍ଛାରେ ନିଜ ଶରୀର ତ୍ୟାଗ କରି ପୁନର୍ବାର ସେଇ ଶରୀରକୁ ଫେରି ଆସିପାରୁଥିଲେ । ୧୮୮୬ ମସିହାରେ ବାବା ତାଙ୍କର ଏହି ଶକ୍ତି ପ୍ରଦର୍ଶନ କରିଥିଲେ । ବାବା ନିଜ ଶରୀରକୁ ତିନିଦିନ ପାଇଁ ମହଲାଶପତିଙ୍କ ତତ୍ତ୍ୱାବଧାନରେ ରଖି ଶରୀର ତ୍ୟାଗ କରିଥିଲେ । ତିନିଦିନ ପରେ ବାବା ପୁନର୍ବାର ଶଙ୍କରାଚାର୍ଯ୍ୟଙ୍କ ପରି ନିଜ ଶରୀରକୁ ଫେରି ଆସିଥିଲେ । ବାବା କେବଳ ତାଙ୍କ ସମ୍ମୁଖରେ ଥିବା ଲୋକଙ୍କ ମନକଥା ଜାଣିପାରୁ ନଥିଲେ, ଶହ ଶହ ମାଇଲ୍ ଦୂରରେ ଥିବା ବ୍ୟକ୍ତିଙ୍କ ମନକଥା ଜାଣିପାରୁଥିଲେ । ବହୁ ଦୂରରେ କଣ ସବୁ ଘଟୁଛି ଏବଂ କଣ ଘଟିବ ତାହା ସେ ଜାଣିପାରି ଭକ୍ତମାନଙ୍କୁ କହି ଦେଉଥିଲେ । ଏପରି ମଧ୍ୟ ହୋଇଛି ଯେ, ବାବା ନିଜେ ସେହି ସ୍ଥାନରେ ପହଞ୍ôଚ ଯାହା ସାହାଯ୍ୟ କରିବା କଥା ତାହା କରିଛନ୍ତି । ବାବା ପୂର୍ବଜନ୍ମରେ କଣ ଘଟିଥିଲା ଏବଂ ପରବର୍ତ୍ତୀ କାଳରେ କଣ ଘଟିବ ତାହା ମଧ୍ୟ କହିଦେଉଥିଲେ । ବାବା ସ୍ୱପ୍ନ ମାଧ୍ୟମରେ ଭକ୍ତଙ୍କୁ ନିର୍ଦ୍ଦେଶ ଦେଉଥିଲେ । ବାବାଙ୍କର ଆବିର୍ଭାବ ଏବଂ ଅନ୍ତର୍ଦ୍ଧାନ ଶକ୍ତି ଥିଲା ଯାହାର ବର୍ଣ୍ଣନା ପାତଞ୍ଜଳି ଯୋଗସୂତ୍ରରେ ମିଳେ । ଅନ୍ୟମାନେ ସାଧନା ବଳରେ ଏହା ପ୍ରାପ୍ତ ହୋଇଥିବା ବେଳେ ବାବାଙ୍କ ନିକଟରେ ଏହା ଜନ୍ମରୁ ଥିଲା । କେବଳ ଈଶ୍ୱରଙ୍କ କ୍ଷେତ୍ରରେ ଏହା ହୋଇପାରେ ।
ଶିିରିଡ଼ିର ଅଧିଶ୍ୱର ଶ୍ରୀସାଇବାବା ଭକ୍ତମାନଙ୍କୁ ଅନେକ ରୂପରେ ଦର୍ଶନ ଦେଇଛନ୍ତି । କିଏ ତାଙ୍କୁ ଶ୍ରୀକୃଷ୍ଣଙ୍କ ରୂପରେ ଅନୁଭବ କରିଛନ୍ତି ତ ଆଉକିଏ ତାଙ୍କଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଦର୍ଶନ କରିଛି । ଏସବୁ ଯୋଗୁଁ ଭକ୍ତମାନେ ତାଙ୍କୁ ଭଗବାନଙ୍କର ସାକ୍ଷାତ ଅବତାର ବୋଲି ମନେ କରିଥାନ୍ତି । ପରମ ସଦ୍‌ଗୁରୁ ସାଇବାବା ୧୯୧୮ ମସିହା ଅକ୍ଟୋବର ମାସ ବିଜୟା ଦଶମୀ ଦିନ ମହାସମାଧି ଗ୍ରହଣ କରିଥିଲେ । ବାବା ତାଙ୍କ ଶେଷ ସମୟରେ ଅତି ଜାଗ୍ରତ ଓ ସଚେତନ ଥିଲେ । ଭକ୍ତମାନଙ୍କ ସହ ସ୍ନେହ ଶ୍ରଦ୍ଧାରେ ବାନ୍ଧି ନହେବା ନିମନ୍ତେ ସେ ସେମାନଙ୍କୁ ୱାଡ଼ାକୁ ଯାଇ ଭୋଜନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଭକ୍ତମାନେ ବାବାଙ୍କୁ ଛାଡ଼ି ଯାଇପାରୁ ନଥିଲେ ବା ତାଙ୍କ ଆଦେଶ ଅମାନ୍ୟ କରିପାରୁ ନଥିଲେ । ତେଣୁ ବାଧ୍ୟହୋଇ ସେମାନେ ୱାଡ଼ାକୁ ଭୋଜନ ଗ୍ରହଣ କରିବାକୁ ଗଲେ । ସେମାନଙ୍କର ଭୋଜନ ଶେଷ ହେବା ପୂର୍ବରୁ ବାବା ତାଙ୍କର ମର ଶରୀର ତ୍ୟାଗ କରିଛନ୍ତି ବୋଲି ଖବର ପହଞ୍ôଚଲା । ସେମାନେ ଖାଇବା ଛାଡ଼ି ମସ୍‌ଜିଦକୁ ଧାଇଁଲେ ଏବଂ ଦେଖିଲେ ବାବା ବାୟାଜୀଙ୍କ କୋଳରେ ଆଉଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତଳକୁ ପଡ଼ିଯାଇ ନଥିଲେ କିମ୍ବା ତାଙ୍କର ବିଛଣାରେ ଶୋଇ ରହି ନଥିଲେ । ଅଥଚ ତାଙ୍କ ଆସନରେ ବସି ନିଜ ହାତରେ ଦାନ ଧର୍ମ କରୁ କରୁ ମର ଶରୀରକୁ ଛାଡ଼ିଗଲେ । ବାବା ଶରୀରରେ ଥିବା ସମୟରେ ତାଙ୍କ ବାକ୍ୟର ସାର୍ଥକତା ଓ ମହିମା ପ୍ରତିପାଦିତ ହୋଇଥିଲା; କିନ୍ତୁ ସବୁଠାରୁ ବଳି ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କର ତିରୋଧାନ ପରେ ମଧ୍ୟ ସେଇ ମହିମା ବଜାୟ ରହିଥିଲା । ବାବା କହିଥିଲେ ‘ମୋ ଉପରେ ବିଶ୍ୱାସ ରଖ; ମୁଁ ଚାଲିଗଲେ ମଧ୍ୟ କବର ଭିତରେ ଥିବା ମୋର ଅସ୍ଥି ତୁମକୁ ଆଶା ଭରସା ଦେବ । ଯେଉଁମାନେ ମୋ ପ୍ରତି ପୂର୍ଣ୍ଣ ପ୍ରାଣରେ ସମର୍ପିତ ହେବେ ସେମାନଙ୍କ ସହିତ କେବଳ ମୁଁ କାହିଁକି, ମୋର କବର ମଧ୍ୟ କଥାବାର୍ତ୍ତା କରିବ । ମୁଁ ତୁମମାନଙ୍କ ନିକଟରେ ଆଉ ରହିବି ନାହିଁ ବୋଲି ଉଦ୍‌ବିଗ୍ନ ହୁଅନାହିଁ । ମୋର ଅସ୍ଥି ତୁମମାନଙ୍କ କଲ୍ୟାଣ ସମ୍ପର୍କରେ କଥାବାର୍ତ୍ତା ଓ ଆଲୋଚନା କରିବ । ମାତ୍ର ସର୍ବଦା ମୋତେ ସ୍ମରଣ କର, ହୃଦୟ ଓ ପ୍ରାଣ ଦେଇ ମୋ ଉପରେ ଭରସା ରଖ, ତେବେ ଯାଇ ତୁମେମାନେ ସବୁଠାରୁ ବେଶୀ ଉପକୃତ ହେବ ।’
ପ୍ରାକ୍ତନ ଅଧ୍ୟକ୍ଷ
ଏସ୍‌ସିଆର-୯୬, ଖାରବେଳ ନଗର
ଭୁବନେଶ୍ୱର, ମୋ : ୯୪୩୭୭୭୮୩୭୧

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ