ସନ୍ତାନଙ୍କ ମଙ୍ଗଳ ପାଇଁ ଦ୍ୱିତୀ ବାହାନ ଓଷା ବା ଦ୍ୱିତୀୟା ଓଷା

ସନ୍ତୋଷ କୁମାର ଦାଶ

ଦ୍ଵିତୀୟା ଓଷା ବା ଦ୍ୱିତୀବାହାନ ଓଷା ଆମ ରାଜ୍ୟର ଏକ ପାରମ୍ପରିକ ପର୍ବ । ଦୂତୀ ବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ ଆଉ ସନ୍ତାନ ମାନଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ପ୍ରଭୁ ଦ୍ବିତୀବାହନ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା ପାଳନ କରାଯାଏ । ମହିଳା ମାନେ ନିର୍ଜଳା ଉପବାସ କରି ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା କରିଥାନ୍ତି । କେବଳ ଏତିକି ନୁହେଁ ଦ୍ୱିତୀୟା ଓଷା ଦିନ ଆମ ଓଡ଼ିଆ ପରିବାର ରେ ଏକ ସୁନ୍ଦର ପରମ୍ପରା ରହିଛି ଯେ, ବିବାହିତା ମହିଳାଙ୍କ ଘରକୁ ବାପ ଘରୁ ପରିବା ଭାର ଯିବାର ବିଧି ରହିଛି । ପ୍ରତ୍ୟେକ ଓଡିଆ ଘରେ ଏହି ପର୍ବ ପାଳନ ହେବା ସହ ଘାଣ୍ଟ ତରକାରୀର ଏକ ସ୍ଵତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଲାଗି କରାଯାଇଥାଏ । ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବ, ପଡିଶା ଘର ଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି । ଏହା ଦ୍ଵିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ।ପୁରୀ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି ବୋଲି କିମ୍ବଦନ୍ତୀ ରହିଛି। ଏହି ଦିନ ଶ୍ରୀ ବିଗ୍ରହ ମାନଙ୍କର ସନ୍ଧ୍ୟାଧୂପ ସମାପ୍ତି ହେବାପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ହେବା ପରେ ମହାଜନ ସେବକ ମା ଙ୍କ ମାଜଣା କରିବା ସହିତ ମା ଙ୍କୁ କର୍ପୂର ଲାଗି ହୋଇଥାଏ। ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି। ପରେ ଭୋଗ ଲାଗି ଓ ବନ୍ଦାପନା ହୋଇଥାଏ। ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଦ୍ୱିତୀୟା ଓଷା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଏକ ପର୍ବ ଭାବେ ପାଳିତ ହୋଇଆସୁଛି।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ