ସନ୍ତ୍ରାସବାଦ ନେଇ କଡ଼ା ବାର୍ତ୍ତା ଦେଲେ ମୋଦି ଏସ୍ସିଓ ରାଷ୍ଟ୍ରର ମିଳିତ ଘୋଷଣାନାମାରେ ସହମତି

ବିସ୍କେକ୍ (କିର୍ଗୀଜ୍ସ୍ତାନ) (ଏଜେନ୍ସି): କିରଗୀଜ୍ସ୍ତାନର ରାଜଧାନୀ ବିଶ୍କେକ୍ଠାରେ ଅନୁଷ୍ଠିତ ସାଙ୍ଗାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ) ସମ୍ମିଳନୀ ମଞ୍ଚରେ ସନ୍ତ୍ରାସବାଦ ନେଇ ପୁନର୍ବାର ପାକିସ୍ତାନକୁ କଠୋର ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଉଦ୍ଯାପନୀ ଦିବସରେ ଭାଷଣ ଦେଇଥିଲେ ମୋଦି । ଭାଷଣ ପ୍ରସଙ୍ଗରେ ମୋଦି ପାକିସ୍ତାନର ନାମ ନେଇନଥିଲେ ମଧ୍ୟ କଠୋର ଭାଷାରେ ଏହି ଦେଶକୁ ଟାର୍ଗେଟ୍ କରିଥିଲେ । ମୋଦି କହିଥିଲେ ଯେ ସନ୍ତ୍ରାସବାଦର ପୃଷ୍ଠପୋଷକ, ଆଶ୍ରୟଦାତା ଏବଂ ଆର୍ôଥକ ସହାୟତା ଯୋଗାଇ ଦେଉଥିବା ଦେଶକୁ କ୍ଷମା କରାଯାଇପାରିବନାହିଁ । ବରଂ ସେହି ଦେଶଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏକାନ୍ତ ଜରୁରୀ । ଗୁରୁବାରଠାରୁ ଆରମ୍ଭ ହୋଇଥିଲା ଦୁଇଦିନବ୍ୟାପୀ ଏସ୍ସିଓ ସମ୍ମିଳନୀ । ଉଦ୍ଘାଟନୀ ଦିବସରେ ସେଠାରେ ପହଞ୍ôଚଯାଇଥିଲେ ମୋଦି । ଶୁକ୍ରବାର ସମ୍ମିଳନୀରେ ଉପସ୍ଥିତ ଥିଲେ ଅନ୍ୟ ୭ଟି ଦେଶର ମୁଖ୍ୟଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସମସ୍ତେ ଗୋଟିଏ ଟେବୁଲ୍ରେ ବସିଥିଲେ ମଧ୍ୟ ଇମ୍ରାନଙ୍କ ସହ ମୋଦିଙ୍କର ସୌଜନ୍ୟ କିମ୍ବା କୁଶଳବାର୍ତ୍ତା ବିନିମୟ ଦେଖିବାକୁ ମିଳିନଥିଲା । ସେଠାରେ ଭାଷଣ ଦେଇ ସନ୍ତ୍ରାସବାଦ ନେଇ ଇସ୍ଲାମବାଦକୁ ତୀବ୍ର ଆକ୍ରମଣ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ ଯେ ଭାରତର ଲକ୍ଷ୍ୟ ସନ୍ତ୍ରାସମୁକ୍ତ ସମାଜଗଠନ । ସେଥିପାଇଁ ମାନବତାବାଦୀ ସମସ୍ତ ଶକ୍ତିକୁ ଏକଜୁଟ ହେବାକୁ ପଡିବ । ଏସ୍ସିଓର ଆଞ୍ଚଳିକ ସନ୍ତ୍ରାସ ଦମନ ସଂଗଠନ (ର‌୍ୟାଟ୍ସ) ଅଧୀନରେ ଏକଜୁଟ୍ ହୋଇ ସମସ୍ତଙ୍କୁ ଲଢିବାକୁ ପଡିବ । ସଂକୀର୍ଣ୍ଣ ସ୍ୱାର୍ଥ ତ୍ୟାଗ କରି ସମସ୍ତଙ୍କୁ ଐକ୍ୟବଦ୍ଧଭାବେ ଲଢିବାକୁ ପଡିବ । ଏଥିସହ ମୋଦି ସନ୍ତ୍ରାସବାଦ ବିରୋଧରେ ଦୃଢ ହେବା ସକାଶେ ଏସ୍ସିଓଭୁକ୍ତ ଦେଶଗୁଡିକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସମ୍ମିଳନୀର ଆୟୋଜନ ପାଇଁ ଆହ୍ୱାନ ଜଣାଇଥିଲେ ।
ଭାଷଣ ପ୍ରସଙ୍ଗରେ ମୋଦି ଗତ ଏପ୍ରିଲ ୧୧ ତାରିଖ ଦିନ ଇଷ୍ଟର ପର୍ବ ପାଳନ ଅବସରରେ ଶ୍ରୀଲଙ୍କାରେ ଯେଉଁଭଳି ଆତଙ୍କବାଦୀ ଆକ୍ରମଣ ଘଟିଲା ଏବଂ ଏଥିରେ ୩୦୦ରୁ ଊଦ୍ଧ୍ୱର୍ ପ୍ରାଣ ହରାଇଲେ ତା’ର ଅବତାରଣା କରିଥିଲେ । ଗତ ରବିବାର ସେ ଶ୍ରୀଲଙ୍କା ଗସ୍ତରେ ଯାଇଥିବାବେଳେ ଆକ୍ରମଣସ୍ଥଳ ସେଣ୍ଟ ଆଣ୍ଟୋନୀ ଗୀର୍ଜା ପରିଦର୍ଶନ କରିଥିବା ଜଣାଇଥିଲେ । ମୋଦି କହିଥିଲେ ଯେ ସେ ସେଠାରେ ସନ୍ତ୍ରାସବାଦର ଭୟବହତା ଦେଖିଲି । ଯେଉଁ ଆକ୍ରମଣ ନୀରିହ ଜନତାର ଜୀବନ ନେଇଛି । ସନ୍ତ୍ରାସବାଦର ମୂଳୋତ୍ପାଟନ କରି ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ଆଫଗାନିସ୍ତାନ ନିକଟରେ ରହିଛି ବୋଲି ମୋଦି ଏସ୍ସିଓ ସମ୍ମିଳନୀରେ ବାର୍ତ୍ତା ଦେଇଥିଲେ । ଗୁରୁବାର ମୋଦି ଚୀନର ରାଷ୍ଟ୍ରପତି ଜି ଜିଙ୍ଗ୍ପିନ୍ଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ । ଏହି ସମୟରେ ସେ ସ୍ପଷ୍ଟ କହିଥିଲେ ଯେ ଇସ୍ଲାମବାଦ ସନ୍ତ୍ରାସବାଦ ବିରୋଧରେ କଡା ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ନୂଆକରି ଦ୍ୱିପାକ୍ଷିକ ବୈଠକ ସମ୍ଭବନୁହେଁ । ପ୍ରକାଶ ଯେ ଏସ୍ସିଓ ସମ୍ମିଳନୀ ପୂର୍ବରୁ ନୂଆକରି ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରସ୍ତାବ ଦେଇ ଭାରତକୁ ଚିଠି ଲେଖିଥିଲେ ପାକିସ୍ତାନ ବିଦେଶମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ । ମାତ୍ର ଭାରତଦ୍ୱାରା ଏହା ଗ୍ରହଣୀୟ ହୋଇନାହିଁ । ବହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ମୋଦିଙ୍କର ଭାଷଣ ପରେ ଏସ୍ସିଓର ସଦସ୍ୟ ରାଷ୍ଟ୍ରଗୁଡିକ ସନ୍ତ୍ରାସବାଦ ବିରୋଧରେ ସହମତି ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି । ସେମାନେ ଏକ ମିଳିତ ଘୋଷଣାନାମା ମଧ୍ୟ ଜାରି କରିଛନ୍ତି । ମୋଦିଙ୍କ ଭାଷଣକୁ ଏକ ଦୃଢ ବିବୃତ୍ତିଭାବେ ସମସ୍ତ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ