ସପ୍ତମ ପଞ୍ଚାୟତ ସମିତି ସମୀକ୍ଷା ବୈଠକ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ପନଚାୟତ ସମିତି ସଭାଗୃହଠାରେ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ସପ୍ତମ ପଞ୍ଚାୟତ ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡା ବ୍ଲକ ଚେୟାରମ୍ୟାନ୍ ଶୁକୁମାରୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡା ବ୍ଲକ ବିଡିଓ ଦାୟିତ୍ୱରେ ଥିବା ବଡବିଲ୍ ତହସିଲଦାର କ୍ଷୀରୋଦ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ବିଶ୍ୱଜିତ୍ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଯଦୁନାଥ ମୁର୍ମୁ ଙ୍କ ସମେତ ୧୯ ଗୋଟି ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଯୋଡା ଓ ଏହାର ଆଖପାଖ ଖଣି ପ୍ରଭାବିତ ଅଂଚଳରେ ଆବଶକୀୟ ଶିକ୍ଷା , ବିଦ୍ୟାଳୟରେ ଶିକ୍ଷାଦାନର ମାନ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଓ ଆନୁଷଙ୍ଗିକ ସୁବିଧା ନଥିବାରୁ ଯୋଡା ଅଂଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବୈଠକରେ ଆଲୋଚନା ହୋଇଥିଲା ଏବଂ ବୈଠକରେ ଶିକ୍ଷା ବିଭାଗର କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତି ନଥିବାରୁ, ବିଧାୟିକା ମୀନାକ୍ଷୀ ମହାନ୍ତ ଏବଂ ଅନ୍ୟ ଅଧିକାରୀମାନେ ଉଦବେଗ ପ୍ରକାଶ କରିଥିଲେ । । ଯୋଡା ବ୍ଲକ ତଥା ପୌରପାଳିକାରେ ସିଡିପିଓ ପଦବୀ ଖାଲିପଡିଥିବାରୁ ବିଭିନ୍ନ ସମସ୍ୟା ଦେଖାଯାଉଥିବା ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ୫୨୦ନଂ ଜାତୀୟ ରାଜପଥ ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଥିବାରୁ ଏବଂ ବଡବଡ ଟ୍ରକ ଚାଲୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜି ସ୍କୁଲ ବସ୍, ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ୍ ତଥା ବିଭିନ୍ନ ଜରୁରୀକାଳିନ ଗାଡି ଗୁଡିକ ଅଟକି ରହୁଥିବା ଅଭିଯୋଗ ହୋଇଥିଲା । ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ରିଡିଂ ଠାରୁ ଅଧିକ ବିଲ୍ ନିଆଯାଉଥିବା ଏବଂ ଅନିୟମିତତା କରି ନୂତନ ବିଦ୍ୟୁତ ସଂଯୋଗ କରାଯାଉଥିବା ନେଇ ବୈଠକରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୃଷି ଉଦ୍ୟାନ୍, ପ୍ରାଣୀ ସମ୍ପଦ , ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ , ସାଧାରଣ ସାମଗ୍ରୀ ବଂଟନ, ସାମାଜିକ ସୁରକ୍ଷା, ଭତା ବଂଟନ, ଓଡିଶା ଜିବୀକା ମିଶନ୍ , ଖଣି, ରାଜସ୍ୱ ଓ ଜଙ୍ଗଲ ଆଦି ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏଥି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।