ସପ୍ତାହେ ପରେ ଓଡ଼ିଶାରେ ହେବ ପଙ୍ଗପାଳ ଆକ୍ରମଣ

ନୂଆଦିଲ୍ଲୀ: ଆସନ୍ତା ଏକ ସପ୍ତାହ ପରେ ଓଡ଼ିଶାରେ ଶତାବ୍ଦୀର ପ୍ରଥମ ପଙ୍ଗପାଳ ଆକ୍ରମଣ ହେବ। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(ଫାଓ)ର ସୂଚନାନୁସାରେ ଯେ ପଙ୍ଗପାଳ ଦଳ ପୂର୍ବ ଭାରତୀୟ ରାଜ୍ୟ ବିହାର ଓ ଓଡ଼ିଶାରେ ଆଗାମୀ ସପ୍ତାହରେ ପହଞ୍ଚିଯିବେ। ପଙ୍ଗପାଳ ଏକ ପ୍ରକାର ପତଙ୍ଗ, ଯେଉଁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଳବଦ୍ଧ ଭାବରେ କୌଣସି ଫସଲ କ୍ଷେତରେ ଓହ୍ଲାଇ ଫସଲକୁ ଖାଇ ପୂରା ବରବାଦ୍‌ କରିଦେଇଥାଆନ୍ତି। ଏବେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ପଙ୍ଗପାଳ ଦଳଙ୍କୁ ଘଉଡ଼ାଇବା ପାଇଁ ଚାଷୀମାନେ ଥାଳି, ଟିଣ ଡବା, ଡ୍ରମ୍‌ ବାଡ଼େଇବା ସହ ଉଚ୍ଚ ଶବ୍ଦକାରୀ ଡାକବାଜି ଯନ୍ତ୍ର ପ୍ରୟୋଗ କରୁଛନ୍ତି। ପଙ୍ଗପାଳ ନିୟନ୍ତ୍ରଣ ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ପଙ୍ଗପାଳ ମୁକାବିଲା ଟିମ୍‌ ଗଠନ କରି ନିୟନ୍ତ୍ରଣ କକ୍ଷ ଖୋଲି ଏହି ମହାବିପତ୍ତି ବିରୋଧରେ ଲଢ଼େଇ ଜୋରଦାର କରିଛନ୍ତି। ଏ ଦିଗରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପଦକ୍ଷେପ ନେବାରେ ଆଗରେ ଅଛନ୍ତି। ବିଭିନ୍ନ ରାଜ୍ୟରେ କୃଷି ବିଭାଗ, ବନ ବିଭାଗ ଓ କୃଷି ବିଶ୍ୱବିଦ୍ୟାଳୟ ମିଳିମିଶି ଏହି ଅନିଷ୍ଟକାରୀ ପତଙ୍ଗ ପଲଙ୍କୁ ମାରିବା ପାଇଁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ନିୟନ୍ତ୍ରଣ କକ୍ଷ ଚଳାଉଛନ୍ତି। ମହାରାଷ୍ଟ୍ର ପ୍ରଶାସନ ଦାବି କରିଛି ଯେ ରାଜ୍ୟକୁ ଆସିଥିବା ୫୦ ପ୍ରତିଶତ ପଙ୍ଗପାଳଙ୍କୁ ମାରିଦେବାରେ ସଫଳ ହୋଇଛି। ୨୬ ବର୍ଷ ପରେ ଦେଶରେ ପଙ୍ଗପାଳ ମାତିଛନ୍ତି। ଏହା ପାକିସ୍ତାନ ପଟୁ ରାଜସ୍ଥାନ ଦେଇ ଦେଶରେ ମାତିଥିବା ବେଳେ ଚୀନ୍‌-ପାକିସ୍ତାନର ଚକ୍ରାନ୍ତର ଏହା ଏକ ପ୍ରାକୃତିକ ଆକ୍ରମଣ ବୋଲି ଚର୍ଚ୍ଚା ହେଉଛି। ତଥ୍ୟ କହେ ଯେ ତିନି ମାସରେ ଏହି ପଙ୍ଗପାଳମାନେ ୨୦ ଗୁଣ ବଢିଯାଆନ୍ତି। ତାହା ପୂର୍ବରୁ ଏମାନଙ୍କୁ ନିୟନ୍ତ୍ରଣ ନକଲେ ସରକାରଙ୍କ ଗାଦି ଦୋହଲିଯିବାର ମଧ୍ୟ ଆଶଙ୍କା ରହିଥିବା ପୁରୁଖା ଲୋକମାନେ କହୁଛନ୍ତି। ଏ ଶତାବ୍ଦୀର ପ୍ରଥମ ପଙ୍ଗପାଳ ଆକ୍ରମଣ ହୋଇଥିବାରୁ ଖରିଫ୍‌ ଋତୁ ପୂର୍ବରୁ ଏମାନଙ୍କୁ ନିପାତ ନକଲେ, ଦେଶରେ ଫସଲ ହାନିର ଗୁରୁତର ସଙ୍କଟ ମାଡ଼ିଆସିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ