“ସଫଳତାର ଶ୍ରେୟ” – ଡ. ଗଣେଶ ଚନ୍ଦ୍ର କୁଣ୍ଡ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମନୁଷ୍ୟ ଯେତେବେଳେ କୌଣସି କାର୍ଯ୍ୟରେ ସଫଳ ହୁଏ, ସେ ତାର ନିଜସ୍ୱ କୃତିତ୍ୱକୁ ଅନ୍ୟ ଆଗରେ ଦର୍ଶାଇଥାଏ, କ୍ଵଚିତ ଲୋକ ଅନ୍ୟକୁ ଶ୍ରେୟ ଦେବାକୁ ଭୁଲନ୍ତି ନାହିଁ । ମନୁଷ୍ୟ ଶ୍ରେଷ୍ଠ ଜୀବ ଓ ଶିକ୍ଷାଦୀକ୍ଷାର ଅଧିକାରୀ ହୋଇ ଚିନ୍ତା କରିବା କଥା ଆମର ଉର୍ନ୍ନତି ପଛରେ କାହାର ବିଶେଷ ଅବଦାନ ରହିଛି, ଯାହା ବିନା ଏହା ସମ୍ଭବ ହୋଇପାରିନଥାନ୍ତା । ଅନେକ ଅଛନ୍ତି ସେମାନେ ନିଜେ ସଳିତା ଭଳି ଜଳି ଜଳି ଅନ୍ୟକୁ ଆଲୋକ ଦେବାରେ ଲାଗିଥାନ୍ତି, ଲୋକେ ଆଲୁଅର ବ୍ୟବହାର କରନ୍ତି ସତ, କିନ୍ତୁ ସେ ସଳିତାକୁ କେହି ମନେପକାନ୍ତି ନାହିଁ । ବାସ୍ତବରେ କିଏ ମନେପକେଇବା କଥା? ଯିଏ ତାର ସମୁଚିତ ଲାଭ ପାଇଛି, ସିଏ ହିଁ ତାକୁ ଜନ ମାନସକୁ ଆଣିବା କଥା । ଆଜିକାଲି ତ ସ୍ୱାର୍ଥ କେନ୍ଦ୍ରିକ ଅନେକ, ସ୍ୱାର୍ଥ ସରିଗଲେ କାଶିଆ କିଏ ନା କପିଳା କିଏ । ରାମ ଚରିତ ମାନସରେ ବର୍ଣ୍ଣନା ହୋଇଛି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଯେଉଁ ବିମଳ ପତାକା ଉଡ଼ିଛି ତାର ଦଣ୍ଡ ବାଡ଼ି ରୂପେ ଲକ୍ଷ୍ମଣଙ୍କୁ ଶ୍ରେୟ ଦିଆଯାଇଛି କାରଣ ପତାକା ଦଣ୍ଡ ବାଡ଼ିର ବିନା ସାହାଯ୍ୟରେ ଉଡ଼ିପାରେନା । ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିନ-ରାତି କଠିନ ପରିଶ୍ରମ କରନ୍ତି । ପରିଶ୍ରମ କରିବା ପାଇଁ ସେ କୌଣସି ପ୍ରକାର ପଛଘୁଞ୍ଚା ଦିଅନ୍ତି ନାହିଁ, ନିଜର ଜ୍ଞାନ, ଯୋଗ୍ୟତା ଓ ପଦବୀ ଅନୁସାରେ କାର୍ଯ୍ୟ କରିଥାନ୍ତି । ସେମାନେ କାର୍ଯ୍ୟକୁ ସଫଳତାର ଶିଖରରେ ପହଞ୍ଚାଇଥାନ୍ତି । କିନ୍ତୁ ତାର ଶ୍ରେୟ ସେମାନଙ୍କୁ ମିଳେନି, ଅଧିକାଂଶ ସମୟରେ ଦେଖାଯାଏ ତାର ଶ୍ରେୟ ଅନ୍ୟମାନେ ନିଅନ୍ତି । ଏମିତି ଅନେକ ଘଟଣା ଅଛି କିନ୍ତୁ ଗୋଟେ ଘଟଣା ଆମ ଗାଁ ରେ ଘଟିଥିଲା । ଆମ ଗ୍ରାମରେ ଥରେ ଡ୍ରାମା ହୋଇଥିଲା, ନାଟକର ନାମ ଥିଲା ସୀତା ପାତାଳି । ଗ୍ରାମର କିଛି ଲୋକ, ପୁରୁଷ ଓ ସ୍ତ୍ରୀ ଭୂମିକାରେ ନାଟକଟି ପରିବେଷଣ କରିଥିଲେ । ନାଟକ ଅତି ଉଚ୍ଚକୋଟିର ହୋଇଥିଲା, ଆଖପାଖ ଅଞ୍ଚଳରେ ସବୁ ଲୋକମାନଙ୍କୁ ଭଲ ଲାଗିଥିଲା । ଏପରିକି ଲୋକମାନେ କହିଲେ ଆଗାମୀ ଦୋଳ ଉତ୍ସବକୁ ପୁଣି ଆଉ ଥରେ ନାଟକଟି ପରିବେଷଣ କରାଯାଉ । ଏହା ଦ୍ୱାରା ସମସ୍ତ କଳାକାରମାନେ ମଧ୍ୟ ତାଙ୍କର କୃତିତ୍ୱକୁ ନେଇ ଗର୍ବିତ ଥିଲେ । କିଛି ଦିନ ପରେ ଦଶମ ବୋର୍ଡ଼ ପରୀକ୍ଷାର ଫଳ ବାହାରିଲା, ଅଧିକାଂଶ ପିଲାଙ୍କର ପରୀକ୍ଷା ଫଳ ଭଲ ହୋଇଥାଏ । କିନ୍ତୁ ଆମ ଗାଁ ରଙ୍କ ମଉସାଙ୍କ ପୁଅ ଅଳସୁର ପରୀକ୍ଷା ଫଳ ଖରାପ ହୋଇଥାଏ । ରଙ୍କ ମଉସା ଅଳସୁକୁ ବହୁତ ଗାଳି କରି କହିଲେ, ମୋ ନାଁ ପକେଇଲୁ ମୋ ପୁଅ ହେଇକି । ତୋର ନାମ ଅଳସୁ ରଖି ଭୁଲ କରିଛି, ଅଳସୁଆ ରଖିଥିଲେ ଭଲ ହୋଇଥାନ୍ତା, ପରୀକ୍ଷା ଫଳ ଖରାପ କଲୁ, ପାଠ ପଢାରେ ମନ ଦେଲୁନି । ପ୍ରତିଦିନ ସନ୍ଧ୍ୟା ହେଲେ ଡ୍ରାମାର ଅଭ୍ୟାସ ପାଇଁ ଯାଉଥିଲୁ, କ’ଣ ନା ମୁଁ ଡ୍ରାମାରେ ଭାଗ ନେଇଛି, କିନ୍ତୁ ଡ୍ରାମାରେ ତୋତେ ଦେଖିବାକୁ ପାଇଲିନି କି ତୋର ପ୍ରଶଂସା କେଉଁଠି ଶୁଣିବାକୁ ମିଳିଲା ନାହିଁ । ତୋ ଦ୍ୱାରା ଶାଗ ସିଝିବନି, କୁଳାଙ୍ଗାର । ଅଳସୁ କହିଲା ବାପା ସେମାନେ ସିନା ପ୍ରଶଂସା ପାଇଲେ କିନ୍ତୁ ମୋ ଯୋଗୁ ସେ ନାଟକଟି ଭଲ ହେଇଥିଲା । କାରଣ ସୀତା ମାତାଙ୍କର ପାତାଳି ଦୃଶ୍ୟକୁ ମୁଁ ଭଲଭାବରେ ସମ୍ପାଦନ କରିଥିଲି । ପେଣ୍ଡାଲର ମଝିରେ ଯେଉଁ କାଠ ପଟା ଦେଇ ମାତା ସୀତା ଭିତରକୁ ପ୍ରବେଶ କରି ପାତାଳି ହେଲେ ସେହି ପଟାକୁ ମୁଁ ନାଟକ ଆରମ୍ଭରୁ ଶେଷଯାଏ ଧରି ରହିଥିଲି । ମୁଁ ପଟାଟି ଧରି ଘୁଞ୍ଚିବାରୁ ସୀତା ମାତା ପାତାଳି ହେଲେ, ଯାହାକି ସେହି ଦୃଶ୍ୟଟି ନାଟକର ମୁଖ୍ୟ ଆକର୍ଷଣ ଥିଲା । କୌଣସି କାମ ଛୋଟ ନୁହେଁ, ମୋତେ ଦିଅଯାଇଥିବା କାର୍ଯ୍ୟଟି ମୁଁ ସୁଚାରୁ ରୂପେ କରିଥିଲି । ଅଳସୁ ଯାହା କହୁଥିଲା ଠିକ୍ କଥା, ନାଟକଟିରେ ତା ଭୂମିକାର ବି ଗୁରୁତ୍ୱ ଥିଲା । ଯେମିତିକି ଜୀବନ ରସପୂର୍ଣ ହେବ ନାହିଁ ବେସୁରା ଗୀତ ଶୁଣିବାରେ, ଗୀତଟି ପରିବେଷଣ କରିବା ପାଇଁ ଗୀତ-ଲୟ-ତାଳର ଏକ ଉତ୍ତମ ସଙ୍ଗମ ଆବଶ୍ୟକ ହୋଇଥାଏ, ଗୋଟିଏ ଅଭାବରେ ଦୁଇଟି ଉପରେ ପ୍ରଭାବ ପଡେ । ସେମିତି ସଫଳତା କୌଣସି ଗଛର ଫଳ ନୁହେଁ ଯେ ଜଣେ ତାକୁ ତୋଳି ଆଣିଥାଏ, ଏହା ପଛରେ ଅନେକ ବ୍ୟକ୍ତିଙ୍କର ସାହାଯ୍ୟ ଓ ସହଯୋଗ ଥାଏ । ଅନେକ କାମ କରନ୍ତି କିନ୍ତୁ ନା ସେମାନଙ୍କୁ ପ୍ରଶଂସା କରାଯାଏ ନା ଶ୍ରେୟ ଦିଆଯାଏ, ନା ସେମାନଙ୍କ ସାହାଯ୍ୟ ସହଯୋଗକୁ ଗୁରୁତ୍ୱ ଦିଆଯାଏ । ତେଣୁ ସଫଳତା ପଛରେ ଯେଉଁ ମାନଙ୍କର ସାହାଯ୍ୟ, ସହଯୋଗ ଗୁଡିକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଅଛି, ସେମାନଙ୍କୁ କାୟ-ମନ-ବାକ୍ୟରେ ଉଚିତ ମୂଲ୍ୟ ଓ ଶ୍ରେୟ ଦିଆଯିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ