ସଫେଇ କର୍ମଚାରୀଙ୍କୁ ସାନିଟାଇଜର ପ୍ରଦାନ କଲେ ଦମ୍ପତି

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ଓ ଲୋକଙ୍କ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଏ ନେଇ ଗଂଜମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସମସ୍ତ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ କରୋନା ମୁକାବିଲା ନେଇ ଅହରହ କାର୍ଯ୍ୟ କରିଆସୁଛନ୍ତି । ଏହାସହିତ ପ୍ରଶାସନିକ ଅଧିକାରୀ, ପୁଲିସ ଏବଂ ବିଭିନ୍ନ ସାମାଜିକ କର୍ମୀମାନେ ବିଭିନ୍ନ ମାଧ୍ୟମରେ କରୋନାରୁ ଯେପରି ଦୂରେଇ ରହିବେ ସଚେତନତା ବାର୍ତା ଦେଇଆସୁଛନ୍ତି । ଜିଲ୍ଲାରେ କରୋନା ନେଇ ଦିନରାତି ଏକ କରି ପରିମଳ କର୍ମଚାରୀମାନେ ସଫେଇ କାର୍ଯ୍ୟ କରି ଆସୁଛନ୍ତି । ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିର ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଦିନରାତି ନିୟୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି । ଏନେଇ ଛତ୍ରପୁରର ଯୁବ ସମାଜସେବୀ ତଥା ଯୁବ ପ୍ରତିଭା ସୁଧିର କୁମାର ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ତଥା ବ୍ୟାଙ୍କ ଅଫ ବରୋଦାର ଛତ୍ରପୁର ଶାଖା ସହ-ପରିଚାଳିକା ସମାପ୍ତି ପଟ୍ଟନାୟକ ଶୁକ୍ରବାର କରୋନା ଭୁତାଣୁରୁ କିପରି ଛତ୍ରପୁର ଏନଏସିର ସଫେଇ କର୍ମଚାରୀମାନେ ଦୂରେଇ ରହିବେ, ସେମାନଙ୍କ ନିମନ୍ତେ ସାନିଟାଇଜର ପ୍ରଦାନ କରିଛନ୍ତି । ଏନଏସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କୁ ଭେଟି ସଫେଇ କର୍ମଚାରୀମାନଙ୍କ ନିମନ୍ତେ ଶହେ ଗୋଟି ୨୦୦ ଏମଏଲର ସାନିଟାଇଜର ପ୍ରଦାନ କରିଛନ୍ତି । ଏହାସହ କର୍ମଚାରୀମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି ଯେ ଛତ୍ରପୁରର ଏହି ଦମ୍ପତି ପୂର୍ବରୁ ଛତ୍ରପୁର ଆଖପାଖ ଅଂଚଳର ବହୁ ସମାଜସେବା କାର୍ଯ୍ୟରେ ନିୟୋଜିତ ହୋଇ ଗରିବ, ଅସହାୟ ଲୋକଙ୍କ ସୁଖଦୁଃଖର ସାଥି ହୋଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ