ସବୁଜିମା ପାଇଁ ସୁଶାନ୍ତଙ୍କ ନିଆରା ପ୍ରୟାସ: ସିଡ୍ବଲ୍ରୁ କରାଇଛନ୍ତି ବ୍ୟାପକ ବନୀକରଣ
ଭୁବନେଶ୍ୱର, (ୱାଇଏନ୍ଏସ୍): ଜୁନ୍ ୫ରେ ସାରା ବିଶ୍ୱ ପାଳନ କରୁଛି ‘ବିଶ୍ୱ ପରିବେଶ ଦିବସ’ । ଆସ ‘ପ୍ରକୃତି ପାଇଁ ସମୟ ଦେବା’ର ଥିମ୍କୁ ନେଇ ଏହି ଦିବସ ପାଳିତ ହେଉଥିବା ବେଳେ ପ୍ରକୃତି ପାଇଁ ସମୟ ଦେଉଥିବା ରିଅଲ୍ ହିରୋମାନଙ୍କ ଅବଦାନ ମନେପଡ଼ୁଛି । ରାଜଧାନୀର ଜଣେ ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ ବନୀକରଣ ପାଇଁ ନିଜ ଅବଦାନ ଦେଇ ପ୍ରକୃତିକୁ ସବୁଜିମାମୟ କରାଇବାର ନିଆରା ସଂକଳ୍ପକୁ ପ୍ରତିବାଦିତ କରାଇଛନ୍ତି । ମାଟି, ବାଲି, ଖତର ପିଣ୍ଡୁଳାରେ ଜାତି ଜାତିକା ବିହନ ମିଶାଇ ସେ ବଲ୍ ଆକାର କରନ୍ତି । ଏହି ସିଡ୍ ବଲ୍କୁ ଜଙ୍ଗଲ କ୍ଷୟ ହେଉଥିବା ଅଞ୍ଚଳରେ ଫିଙ୍ଗିଦେଇ ଆସନ୍ତି । ଗତବର୍ଷ ସୁଶାନ୍ତ ରାଜଧାନୀ ଉପକଣ୍ଠ ଚନ୍ଦକା ହସ୍ତୀ ଅଭୟାରଣ୍ୟ ପ୍ରକଳ୍ପ, ଭରତପୁର ସଂରକ୍ଷିତ ଜଙ୍ଗଲ ର ଖାଲି ପଡ଼ିଥିବା ସ୍ଥାନ ଓ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ ଉଜୁଡ଼ା ଅଞ୍ଚଳରେ ଏଭଳି ପାଞ୍ଚ ହଜାର ବିହନ ପିଣ୍ଡୁଳା ନିକ୍ଷେପ କରିଥିଲେ । ସେଥିରୁ ୯୦ ପ୍ରତିଶତରୁ ଅଧିକ ପିଣ୍ଡୁଳା ଫଳପ୍ରଦ ହୋଇଛି । ବୀଜଗୁଡ଼ିକ ଅଙ୍କୁରଣ ପରେ ହଜାର ହଜାର ସଂଖ୍ୟକ ତେନ୍ତୁଳି ଓ ପଣସ ଗଛର ଚାରା ମୁଣ୍ଡଟେକି ଛିଡ଼ାହେବାକୁ ଆରମ୍ଭ କରିଛି । ମିସିଂ ଫାଉଣ୍ଡେସନ୍ ନାମକ ସଂଗଠନ ଗଢ଼ି ରାସ୍ତାକଡ଼ର ଅସହାୟ ଓ ନିରୁଦ୍ଦିଷ୍ଟଙ୍କୁ ଥଇଥାନ କରାଇ ଚର୍ଚ୍ଚାକୁ ଆସିଥିବା ସୁଶାନ୍ତ ନୂଆଦିଲ୍ଲୀର ସାମାଜିକ ସଂଗଠନ ଆଶ୍ରା ଜରିଆରେ ଜନଜାତିଙ୍କ ବିକାଶ ପାଇଁ ପୁରା ସମୟ ବିନିଯୋଗ କରାଉଛନ୍ତି । ଦୁର୍ଗମ ଗାଁକୁ ଆଲୋକ ପହଞ୍ଚାଇବା, ବାତ୍ୟା କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନକୁ ନୂଆ ରୂପ ଦେବା, ଆଦିବାସୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଇବା ଦିଗରେ ନିଆରା ନଜିର ସୃଷ୍ଟି କରିଥିବା ସୁଶାନ୍ତଙ୍କ ପ୍ରକୃତି ପ୍ରତି ଆନ୍ତରିକତା କେତେ ତାଙ୍କର ସିଡ୍ବଲ୍ ଅଭିଯାନରୁ ଜାଣିହୁଏ । ପ୍ରକୃତି ଓ ସବୁଜିମା ଆମ ସମାଜର ନିଃଶ୍ୱାସ । ସମାଜର ଜୀବନ ପାଇଁ ସବୁଜିମା ଅପରିହାର୍ଯ୍ୟ ବୋଲି କହନ୍ତି ପ୍ରକୃତି ପାଇଁ ନିଆରା ଚିନ୍ତା କରୁଥିବା ସମାଜସେବୀ ସୁଶାନ୍ତ ସାହୁ ।


