ସବୁଜ ଭାରତ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ତରଫରୁ ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, କ୍ରମାଗତ ଭାବେ ବୃକ୍ଷ କଟାଯିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହିତ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଛଅ ଋତୁ ଆଜି ସାତ ସପନ ହୋଇଛି । ଠିକ୍ ସମୟରେ ଓଡ଼ିଶାକୁ ମୌସୁମୀ ପ୍ରବେଶ ନ କରିବାରୁ ଚାଷୀଭାଇ ମାନେ ଚାଷକାର୍ଯ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପର୍ଯ୍ୟାପ୍ତ ପରିମାଣରେ ଗଛ ଲଗାଇଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ।ସମ୍ମାନିତ ଅତିଥି ଭାବେ ଦୂରଦର୍ଶୀର ସମ୍ପାଦକ ତଥା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପରାମର୍ଶଦାତା ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ ଯୋଗଦେଇ କହିଲେ ଯେ, ବୃକ୍ଷ ଓ ମନୁଷ୍ୟ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ସଦୃଶ । ବୃକ୍ଷ ମନୁଷ୍ୟର ଅନେକ କାର୍ଯ୍ୟରେ ଆସୁଥିଲେ ମଧ୍ୟ ଆମେ ଗଛଟିଏ ଲଗାଇବା ବଦଳରେ ଗଛସବୁକୁ କାଟିଚାଲିଛେ । ତେଣୁ ବୃକ୍ଷକୁ ନକାଟି ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମଧୁସୂଦନ ଦାସ, ୪୧ ନମ୍ବର ୱାର୍ଡ଼ କର୍ପୋରେଟର ନିହାର ସ୍ୱାଇଁ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତାରାଣି ଜେନା, ଶିକ୍ଷୟିତ୍ରୀ ନର୍ମଦା ଜେନା, ବିଜୟଲକ୍ଷ୍ମୀ ଦିଦି, ବସନ୍ତ ସାର, ସ୍କୁଲର ସଭାପତି ଶେଷ ରଞ୍ଜନ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦେବଦାରୁ, ବଉଳ, ଲେମ୍ବୁ, ଅଶୋକା ଆଦି ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ରୂପାଲି ସାହୁ, ମନୋରଞ୍ଜନ ନାୟକ, ଅଳକା ମହାନ୍ତି, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ମନୋଜ କୁମାର ଦାସ, ୱାର୍ଡ଼ ଅଫିସର ବିଭୂତି ସାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ