ସବୁ ଜିଲ୍ଲାରେ ଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆରଟିପିସିଆର ଟେଷ୍ଟ ଲ୍ୟାବ
ଭୁବନେଶ୍ୱର, (ୱାଇଏନ୍ଏସ୍): ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଏବେ ସୁଦ୍ଧା ୧୪ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । ବିଏସଏଲ୨ ଲାବୋରେଟୋରି ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବ ବୋଲି ଯୋଜନା ରହିଛି । ସେହିଭଳି ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ୨୦-୨୦ ଗେମ ଭାବେ ଦେଖିବା ଉଚିତ ନୁହେଁ । କ୍ରମାଗତ ଭାବେ ଗ୍ରାଫ ଦେଖିଲେ ଜାଣିପାରିବେ, ସଂକ୍ରମଣ କମୁଛି । ଯେଉଁ ଜିଲ୍ଲାରେ ଆଗରୁ ଅଧିକ ଆକ୍ରାନ୍ତ ବାହାରିଥିଲେ, ଏବେ ଢେର କମିଗଲାଣି । ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଆମର ଜିନମ ସିକ୍ୱେନସିଂ କାମ ଚାଲିଛି ବୋଲି ସେ କହିଛନ୍ତି ।


