ସବୁ ସମସ୍ୟାର ସମାଧାନ ଗୌତମ ବୁଦ୍ଧ

ଭୁବନେଶ୍ୱର : ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଧର୍ମଚକ୍ର ପରିବର୍ତ୍ତନ ଦିବସ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’ ବିଷୟବସ୍ତୁ “ସବୁ ସମସ୍ୟାର ସମାଧାନ ଗୌତମ ବୁଦ୍ଧ’ ଅନୁଷ୍ଠିତ ହୋଇଯାଇଅଛି । ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦଶହରା ଦିନ ବାବାସାହେବ ଆମ୍ବେଦକର ବହୁ ପ୍ରତୀକ୍ଷା ଓ ନିରୀକ୍ଷା ପରେ ନାଗପୁରଠାରେ ୫ ଲକ୍ଷ ଅନୁଗାମୀଙ୍କ ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଭାରତୀୟ ବୌଦ୍ଧ ମହାସଭା ପ୍ରତିଷ୍ଠା କରିଥିଲେ । ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଯେଉଁଦିନ ବୌଦ୍ଧଭିକ୍ଷୁ ଉପଗୁପ୍ତଙ୍କଠାରୁ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ, ସେହିଦିନଟି ଘଟଣାକ୍ରମେ ଦଶହରା ପର୍ବରେ ପରିଣତ ହୋଇଛି । ଡଃ ଆମ୍ବେଦକର ଦୀକ୍ଷା ଗ୍ରହଣ କରିବା ସ୍ଥାନଟି ଦୀକ୍ଷାଭୂମି ରୂପେ ଏକ ବୌଦ୍ଧକୀର୍ତ୍ତିରେ ପରିଣତ ହୋଇଛି ଏବଂ ପ୍ରତିବର୍ଷ ଏହି ଦିବସରେ ପୃଥିବୀର ଲକ୍ଷ ଲକ୍ଷ ବୁଦ୍ଧପ୍ରେମୀମାନେ ସେଠାରେ ସମାବେଶ ହୁଅନ୍ତି । ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ପାଞ୍ଚଜଣ ଅନୁଗାମୀଙ୍କୁ ଦୀକ୍ଷା ଦେଇଥିବା ଦିନଟି ମଧ୍ୟ ଧର୍ମଚକ୍ର ପରିବର୍ତ୍ତନ ଦିବସ ଭାବେ ପାଳନ କରାଯାଏ । ସାରା ପୃଥିବୀକୁ ଭାରତ ବୁଦ୍ଧଙ୍କୁ ଦେଇଥିଲେ ମଧ୍ୟ ନିଜ ଦେଶରେ ତାହା ଲୋପ ପାଇବାକୁ ବସିଥିଲା । ଧର୍ମାତ୍ମା ଅନାଗରିକ ଧର୍ମପାଳ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମକୁ ଖ୍ରୀଷ୍ଟମାନଙ୍କ ପ୍ରଭାବରୁ ରକ୍ଷା କରିବା ସହିତ ଭାରତ ଆସି ବୌଦ୍ଧ କୀର୍ତ୍ତିରାଜି ଓ ବୌଦ୍ଧଧର୍ମକୁ ରକ୍ଷା କରିଥିଲେ । ସେ ଭାରତରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରି ଭାରତର ବୌଦ୍ଧକୀର୍ତ୍ତିଗୁଡ଼ିକର ଉଦ୍ଧାର ଓ ସଂରକ୍ଷଣ ସହିତ ବହୁ ସ୍ଥାନରେ ବୁଦ୍ଧବିହାରମାନ ପ୍ରତିଷ୍ଠା କରିଥିଲେ । ଏହି ଆଲୋଚନାଚକ୍ରରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ସଭାପତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଓ ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ, ଉକ୍ରଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଭାରତୀୟ ବୌଦ୍ଧ ମହାସଭାର ସଭାପତି ଶ୍ରୀଯୁକ୍ତ ହରିଶ ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ସମାଜସେବୀ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ, ଭୁବନେଶ୍ୱର ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ବିପିନ ବିହାରୀ ତ୍ରିପାଠୀ, ସ୍ତମ୍ଭକାର ଶ୍ରୀଯୁକ୍ତ ତୁଷାରକାନ୍ତ ଶତପଥୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ ଓ ବ୍ୟାଙ୍କ ସେବାର ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଡଃ ସୁପ୍ରିୟା ମଲ୍ଲିକ ପ୍ରମୁଖ ବିଶିଷ୍ଟ ବକ୍ତାଭାବେ ଯୋଗ ଦେଇଥିଲେ । ଶେଷରେ ସଭା ପରିଚାଳନା କରିଥିବା ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ