ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକଙ୍କୁ ତୃଟିପୂର୍ଣ୍ଣ ପରିଚୟପତ୍ର ପ୍ରଦାନ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ସ୍ୱାକ୍ଷରରେ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ତୃଟିପୂର୍ଣ୍ଣ ଥିବାର ଅଭିଯୋଗ ହୋଇଛି । ସେହି ପରିଚୟପତ୍ରରେ ସଂପୃକ୍ତ ଶିକ୍ଷକଙ୍କ ଫଟୋ ଲାଗିନଥିବା ବେଳେ ଶିକ୍ଷକଙ୍କ ଜନ୍ମ ତାରିଖ ଲେଖାଯାଇନାହିଁ । ଏଥିସହିତ ଶିକ୍ଷକ ଜଣଙ୍କ କାର୍ଯ୍ୟ କରୁଥିବା ବିଦ୍ୟାଳୟର ନାମ ମଧ୍ୟ ସଠିକ ଭାବରେ ଲେଖାଯାଇନଥିବା ଅଭିଯୋଗ ହୋଇଛି । ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ରରେ ତାଙ୍କର ଫଟୋ ଲାଗିନଥିବା ଓ ଜନ୍ମତାରିଖ ଲେଖାଯାଇନଥିବା ବେଳେ ସ୍କୁଲର ନାମ ତୁଣୁପୁର ସରକାରୀ ହାଇସ୍କୁଲ ଜାଗାରେ କେବଳ ତୁଣୁପୁର ହାଇସ୍କୁଲ ଲେଖାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ସ୍ୱାକ୍ଷରରେ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାଂଶ ପରିଚୟପତ୍ରରେ ଏଭଳି ତୃଟି ଦେଖିବାକୁ ମିଳିଛି । ଯଦି ସମଗ୍ର ସମାଜକୁ ଆଲୋକ ବର୍ତ୍ତିକା ଦେଖାଉଥିବା ଶିକ୍ଷା ବିଭାଗରେ ଏଭଳି ତୃଟି ପରିଲକ୍ଷୀତ ହୁଏ ତେବେ ଅନ୍ୟମାନଙ୍କୁ କ’ଣ କୁହାଯିବ ।


