ସମଗ୍ର କନ୍ଧମାଳରେ ନିରାଡ଼ମ୍ବର ଭାବେ ବଡଦିନ ପାଳିତ:ଜାନୁଆରୀ ପହିଲା ଯାଏ କଡାକଡ଼ି ସୁରକ୍ଷା ବ୍ୟବସ୍ଥା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବଡଦିନ ତଥା ଖ୍ରୀଷ୍ଟମାସ ପର୍ବ ଆଜି ସମଗ୍ର କନ୍ଧମାଳରେ କୋଭିଡ ନିୟମ ସହ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, କୋଟଗଡ, ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗବାଡିରେ ବଡଦିନକୁ ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କ ପକ୍ଷରୁ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି।ଗତକାଲି ବିଳମ୍ବିତ ରାତିରେ ପ୍ରଭୂ ଯୀଶୁ ଧରାପୃଷ୍ଟକୁ ଅବତରଣ କରିଥିଲେ। ଏଥି ନିମନ୍ତେ ସବୁ ଚର୍ଚ୍ଚଗୁଡିକରେ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା। ମିଶନାରୀ ସମ୍ପ୍ରଦାୟର ଏହି ମହାନ ପର୍ବରେ ସଦଭାବନା ଓ ଭାଇଚାରା ନିଦର୍ଶନ ଦେଖିବାକୁ ମିଳିଥିଲା। ଆଜି ସକାଳେ ଚର୍ଚ୍ଚଗୁଡିକରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମିଶନାରୀ ସମ୍ପ୍ରଦାୟ ଲୋକଙ୍କ ସହ ହିନ୍ଦୁ ଓ ମୁସଲିମ ଭାଇଭଉଣୀ ସାମିଲ ହୋଇଥିଲେ। ଏମିତି କି ହିନ୍ଦୁ ଓ ମୁସଲିମ ଭାଇଉଭଉଣୀ ଙ୍କୁ କେକ ଓ ମିଠା ପ୍ରଦାନ କରାଯାଇଥିଲା।ଶାନ୍ତି କମିଟି ବୈଠକରେ ଖ୍ରୀଷ୍ଟ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଦାବି ହୋଇଥିଲା। ଚର୍ଚ୍ଚ ସାଜସଜା ଓ ଡାକବାଜି ଯନ୍ତ୍ର ବ୍ୟବହାର କରିବା କଥା ହଁ କହିଥିବା ବେଳେ ବୈଠକରେ ଉତ୍ସବ ପାଳନ ନିଷ୍ପତ୍ତିକୁ ପ୍ରଶାସନ ଝୁଲାଇ ରଖିଥିଲା। ଗତ ୨୩ ତାରିଖରେ କୋଭିଡ ନିୟମ ପାଳନ କରିବା,ବଡଚର୍ଚ୍ଚରେ ୫୦ ଓ ସାନ ଚର୍ଚ୍ଚରେ ୨୦ ଜଣଠୁ ଅଧିକ ରହିବେ ନାହିଁ କହି ଉତ୍ସବ ପାଳନ ପାଇଁ ପ୍ରଶାସନ ଅନୁମତି ଦେଇଥିଲା। ଆଜି ବଡଦିନ ଶୁକ୍ରବାର ଥିବାରୁ ଜିଲାର ପର୍ଯ୍ୟଟନ କ୍ଷେତ୍ର ଓ ବଣଭୋଜି ସ୍ଥାନମାନଙ୍କରେ ଭିଡ ଜମିଥିଲା।ବଡଦିନ ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଥିବା ବେଳେ ୭୨ ଜଣ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ସବୁ ଥାନା ପକ୍ଷରୁ ଚର୍ଚ୍ଚଗୁଡିକ ଉପରେ ନଜର ରଖାଯାଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ପୁଲିସ ପଇଁତରା ମାରୁଛି। ନୂଆବର୍ଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଏସପି ବିନୀତ ଅଗ୍ରୱାଲ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ