ସମଗ୍ର କନ୍ଧମାଳ ଜିଲ୍ଲାକୁ ଖୁବ ଶିଘ୍ର ମାଓମୁକ୍ତ କରାଯିବ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତରେ କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ୧୦ରୁ ୧୫ ଜଣ ମାଓବାଦୀ ଥିଲେ। ତେବେ, ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବହୁ ମାଓବାଦୀ ଆହତ ହୋଇଛନ୍ତି। ଫୁଲବାଣୀର ମାଦିକୁନ୍ଦାସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର ପ୍ରକାଶ କରିଛନ୍ତି। ମୃତ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳି ପାରିନାହିଁ। ଜଣେ ହେଉଛି ଛତିଶଗଡ଼ ଅଞ୍ଚଳର ମାଓ କ୍ୟାଡର୍‌ କମଳା ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି। ବର୍ତ୍ତମାନ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବାବେଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳର ମାଟାକୁପା ସଂରକ୍ଷିତ ଜଙ୍ଗଲରେ ଉଭୟ ପକ୍ଷ ମୁହାଁମହିଁ ହୋଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ କେକେବିଏନ୍‌ ମାଓ ଡିଭିଜନର ଦୁଇ ମହିଳା ମାଓବାଦୀଙ୍କର ପ୍ରାଣ ଚାଲିଯାଇଥିଲା। ଏହାପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି।ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ ରାଇଫଲ, ୩ଟି ଦେଶୀ ବନ୍ଧୁକ ସମେତ ମାଓପୁସ୍ତିକା, ବିଦ୍ୟୁତ୍‌ ତାର, ସୋଲାର ପ୍ଲେଟ୍‌, ନଗଦ ପାଞ୍ଚ ହଜାର ୮ ଶହ ଟଙ୍କା, ଜୀବନ୍ତ ଗୁଳି, ଔଷଧ, ପୋଷାକ ଆଦି ମାଓ ସାମଗ୍ରୀ ବିପୁଳ ପରିମାଣରେ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାରେ ମାଓ ଗଡ଼କୁ ଧ୍ବଂସ କରିବାକୁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଆଇଜି (ଅପରେସନ) ଶ୍ରୀ ଠାକୁର ସୂଚନା‌ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଇଣ୍ଟେଲିଜେନ୍‌ସ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ (ଆଇବି) ଋତିକ ରୁଦ୍ର, ସିଆରପିଏଫ୍‌ ଏଡିଜି ବିଠଲ କୁମାର, ଯୁଗ୍ମ ନିର୍ଦ୍ଦେଶକ (ଏସ୍‌ଆଇବି) ଆର୍‌. ସୁବର୍ଣ୍ଣ, ଡିଆଇଜି ଅନିରୁଦ୍ଧ ସିଂହ, ସିଆରପିଏଫ୍‌ ଆଇଜି ଏସ୍‌.କେ. ମହାନ୍ତି, ସିଆରପିଏଫ ଆଇଆଇସି ସତ୍ୟପ୍ରକାଶ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆରପିଏଫ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ଓ କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ