ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ କର୍ମଚାରୀ ଅଭାବ ଯୋଗୁ କାର୍ଯ୍ୟ ବାଧାପ୍ରାପ୍ତ
ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ବିଭାଗରେ କର୍ମଚାରୀ ଅଭାବ ଯୋଗୁ ବିକାଶ ମୂଳକ କାର୍ଯ୍ୟରେ ବାଧା ଉପୁଜିଛି । ପ୍ରକାଶ ଯେ, ବନ୍ତ ବ୍ଲକସ୍ଥିତ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ପରିଲକ୍ଷିତ ହୋଇଛି । ଫଳରେ ମିଶନଶକ୍ତି ସମେତ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସୁରୁଖୁରୁରେ ହୋଇପାରୁନାହିଁ । ଏହି କାର୍ଯ୍ୟାଳୟ ଅଧିନରେ ୨୩୮ଟି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ଏସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପରିଚାଳନା ଓ ତଦାରଖ କରିବା ପାଇଁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି । ଗତ କିଛି ଦିନ ହେବ ଏହି କାର୍ଯ୍ୟାଳୟରେ ସ୍ଥାୟୀ ସିଡିପିଓ ନାହାନ୍ତି । ଭଦ୍ରକ ବ୍ଲକର ସିଡିପିଓଙ୍କୁ ଏହି ବ୍ଲକର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଫଳରେ ଏହି କାର୍ଯ୍ୟାଳୟର ବହୁ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ସେହିପରି ଏଠାରେ ବିପିସି, ସହକାରୀ ବ୍ଲକ ପ୍ରକଳ୍ପ ସଂଯୋଜକ ତଥା ଏକାଉଣ୍ଟାଣ୍ଟଓ କିରାଣୀ ପଦବୀ ଖାଲି ପଡିଛି । ଏଠାରେ ୧୧ ଜଣ ସୁପରଭାଇଜର ଆବଶ୍ୟକ ଥିବା ବେଳେ ୮ ଜଣ ସୁପରଭାଇଜରଙ୍କୁ ନେଇ ସମସ୍ତ କାର୍ଯ୍ୟ ଚାଲୁଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।