ସମବାୟ ସମିତି ସମ୍ପାଦକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):୩ଦଫା ଦାବି ନେଇ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ ୧୯୨ ଟି ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନାରେ ଧାରଣାରେ ବସିଛନ୍ତି। ଫଳରେ ଚାଷୀମାନେ ରବି ଫସଲ ଲାଗି ଋଣ ପାଈବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏତଦଭିନ୍ନ ଆଗାମୀ ଧାନ କିଣା ନିମନ୍ତେ ରହିଥିବା ପ୍ରକ୍ରିୟା ଗୁଡିକ ମଧ୍ୟ ବାଧାପ୍ରାପ୍ତ ହେଉଛି। ରବି ଋଣ ଚାଷୀମାନେ ଠିକ ସମୟରେ ନପାଈଲେ ଚଳିତ ବର୍ଷ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ହ୍ରାସ ହେବ ଓ ଗରିବ ନାମମାତ୍ର ଚାଷୀମାନେ ମହାଜନ ଠାରୁ ଚଢା ଦରରେ ଋଣ ଆଣି ଚାଷ କାର୍ଯ୍ୟ କରିବେ। ଏପରି ସ୍ଥଳେ ସରକାର ସମିତିର ସମ୍ପାଦକ ଙ୍କ ଦାବି କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅନେକ ସମବାୟବିତ,କୃଷି ନେତା, କୃଷକ ଓ ନାମମାତ୍ର ଚାଷୀ ଦାବି ରଖିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯେ,ଗ୍ରାମାଞ୍ଚଳର ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ଲାଗି ଉଦ୍ଦିଷ୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ସ୍ବଚ୍ଛତା ର ସହ ସମିତିର କର୍ମଚାରୀ ମାନେ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ କର୍ମଚାରୀ ତୁଳନାରେ ସ୍ବଳ୍ପ ଦରମା ପ୍ରଦାନ କରାଯାଉଛି ଏବଂ ଷଷ୍ଠ ବେତନ ହାରରେ ଦରମା ପ୍ରଦାନ ସହ ୨୩୦ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ। ସମିତି ସ୍ତରରୁ ୩୦ ପ୍ରତିଶତ ସମ୍ପାଦକ ମାନଙ୍କୁ ବ୍ୟାଙ୍କ କୁ ପଦୋନ୍ନତି ଦେବା ଏବଂ ସମିତିର ୫ ପ୍ରତିଶତ ଅଂଶଧନ ଫେରସ୍ତ କରିବା ଆଦି ଦାବି ନେଇ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର ସମ୍ପାଦକ ମାନେ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣା ରେ ବସିଲେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବ, ଏଥିରେ ସନ୍ଦେହ ନାହିଁ।


