ସମରଝୋଳ ଗ୍ରାମ କଂଟେନମେଂଟ ଘୋଷିତ
ହିଞ୍ଜିଳିକାଟୁ, (ୱାଇଏନଏସ): କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୁର୍ଣ୍ଣ ଅଣାୟତ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହରୁ ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୂଇଁଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନି ।ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ରହିଥିବା ଏବଂ ସଂକ୍ରମିତ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ଏବଂ କିଛି ବ୍ୟକ୍ତି ଜାଣିଶୁଣି ରୋଗକୁ ଲୁଚାଉଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ବ୍ଳକ ବଡ଼ଖଣ୍ଡି ପଂଚାୟତରେ ଏଭଳି ସ୍ଥିତି ଆଶଙ୍କା ପ୍ରକାଶ କରି ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚ କେ. ଦୁର୍ଗା ପ୍ରସାଦ ରାଓ, ସ୍ଥାନୀୟ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସହ ଗୁରୁୂବାର ଆଲୋଚନା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିବା ସହ ଗୁରୁବାର ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ (୭ଦିନ ସକାଶେ ) ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମରଝୋଳ ଗ୍ରାମକୁ କଂଟେନମେଂଟ ଓ ବଡ଼ଖଣ୍ଡି ଗ୍ରାମକୁ ବଫରଜୋନ ଭାବେ ସରଂପଚ ରାଓ ଘୋଷଣା କରିଛନ୍ତି ।କଂଟେନମେଂଟ ଓ ବଫରଜୋନ ଭାବେ ଗୋଷଣା କରାଯିବା ପରେ ଗ୍ରାମର ବିଭିନ୍ନ ସାହି ବସ୍ତିର ପ୍ରବେଶ ପଥକୁ ବାଉଁଶ ବାଡ଼ କରାଯିବା ସହ ସିଲ୍ କରାଯାଇଛି । ସଂପୃକ୍ତ ଗ୍ରାମରେ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ସାମଗ୍ରୀର ଦୋକାନ ବଜାର ବନ୍ଦ ରଖିବା ନେଇ ସଂରପଚ ରାଓ ଓ ପ୍ରଶାସନିକ ଅଧିକାରୀ ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରିବା ସହ ଏହାକୁ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସଂପୃକ୍ତ ଗ୍ରାମରେ ପୂର୍ବରୁ ବହୁ ଦୋକାନ ବଜାର ଖୋଲା ରହିବା ସହ ବିଭିନ୍ନ ସ୍ଥାନରେ ଅଯଥା ଗ୍ରାମବାସୀ ରୁଣ୍ଡ ହେବା ସହ ସାମାଜିକ ଦୂରତ୍ୱ ରକ୍ଷା ନକରିବା କାରଣରୁ ଗ୍ରାମରେ କରୋନାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରଂପଚ ରାଓ ଜୁନ ୨୬ ତାରିଖରେ ବଡ଼ଖଣ୍ଡି ଗ୍ରାମକୁ ୫ ଦିନ ସକାଶେ ସଟଡ଼ାଉନ ଗୋଷଣା କରିଥିଲେ । ପ୍ରକାଶ ଥାଉକି, ଜୁନ ମାସ ୨୫ ତାରିଖରେ ସଂପୃକ୍ତ ଗ୍ରାମର ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦୀର୍ଘ ଦିନ ଧରି ଜ୍ଜରରେ ପୀଡ଼ିତ ହେବା ପରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ଶବ ସତ୍କାର କରିବାକୁ ଯାଇଥିବା ଅଧିକାଂଶ ବ୍ୟକ୍ତି ବର୍ତମାନ ଥଣ୍ଡା, କାଶ ଧ ଜ୍ଜରରେ ପିଡ଼ିତ ଥିବା ବେସରକାରୀ ସୁତ୍ରରୁ ଜଣାପଡ଼ିଛି । ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସକାଣେ ଅଂଚଳବାସୀ ଦାବି ଜଣାଇଛନ୍ତି ।


