ସମର୍ଥ ଅନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗ;ଦିବ୍ୟାଙ୍ଗଙ୍କ ଅନଶନ ୫ମ ଦିନରେ ସିପିଏମ୍ ପକ୍ଷରୁ ସମର୍ଥନ

ଛତ୍ରପୁର,(ଦେବଦତ୍ତ ମହାରଣା) : ସମର୍ଥ ଭିନ୍ନକ୍ଷମ ବିଦ୍ୟାଳୟର ବିଜୁଳି ଓ ପାଣି ଉଚ୍ଛେଦ ସହ ଶିକ୍ଷାନୁଷ୍ଠାନ ଚାଲିଥିବା କୋଠାରୁ ଉଠାଇବାକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ ସିପିଏମ୍ ପକ୍ଷରୁ ସମର୍ଥନ ଜଣାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆମରଣ ଅନଶନରେ ସିପିଏମ୍ ଦଳର ଜିଲ୍ଲା ସଂପାଦକ କୈଳାସ ଷଡଙ୍ଗୀ, କୃଷକ ସଭାର ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ୍ଡୀ, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ବସନ୍ତ ନନ୍ଦ, ଦଳିତ ଶୋଷଣ ମୁକ୍ତି ମଞ୍ଚର ରାଜ୍ୟ ଆବାହକ ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଯ୍ୟାତନା ପ୍ରସଙ୍ଗରେ ଦୃଢ ନିନ୍ଦା ଜଣାଇବା ସହ ସେମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରି ଥଇଥାନା କରିବାକୁ ଦାବି ଜଣାଇଥିଲେ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଥଇଥାନ ଲାଗି ପଦକ୍ଷେପ ନେଉଥିବା ବେଳେ ଅନଶନ ଚଳାଇଥିବା ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗମାନେ ଉକ୍ତ ସ୍ଥାନ ଗୁଡିକ ସେମାନଙ୍କ ନିମନ୍ତେ ଉପଯୋଗୀ ନୁହଁ ବୋଲି ଅନିଚ୍ଛା ପ୍ରକାଶ କରି ନିଜ ଜିଦ୍‌ରେ ଅଟଳ ରହି ଅନଶନ ଜାରି ରଖିଛନ୍ତି । ଆଜକୁ ୫ଦିନ ହେଲା ଅନଶନ ଚାଲୁ ରହିଥିବା ବେଳେ ପ୍ରଶାସନ କିମ୍ବା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଆଜି ଆମରଣ ଅନଶନର ପଞ୍ଚମ ଦିନରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅସ୍ଥାୟୀ ଭାବେ ଥଇଥାନ ଲାଗି ଗୋପାଳପୁର ସ୍ଥିତ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧୀନରେ ଥିବା ଦୁଇଟି ସେବାଶ୍ରମ ମଧ୍ୟରୁ କେଉଁଠାରେ ମଧ୍ୟ ଥଇଥାନ ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିସହ ଛତ୍ରପୁର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ମଧ୍ୟ ଅସ୍ଥାୟୀ ଭାବେ ଥଇଥାନ ଲାଗି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ କେ.ଆନନ୍ଦ ରାଓଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଉଥିବା କୌଣସି ସ୍ଥାନରେ ସେମାନଙ୍କ ନିମନ୍ତେ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ରାଓ ଅନିଚ୍ଛା ପ୍ରକାଶ କରିଥିଲେ । ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ପିଲାମାନଙ୍କୁ ଚଳଣି ନିମନ୍ତେ ସମସ୍ତ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ବିଜୁଳି ଓ ପାଣିକୁ ପୁନଃ କାର୍ଯ୍ୟକ୍ଷମ କରି ଆମ୍ଭକୁ ପୁରୁଣା କୋଠାରେ ରହିବା ପାଇଁ ଅନୁମତି ଦିଆଯାଉ । ଏକ୍ଷେତ୍ରରେ ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆମରଣ ଅନଶନ ଜାରି ରହିବ ବୋଲି ମହାସଂଘର ସଂପାଦକ ତଥା ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରାଓ ଦାବି ରଖିଛନ୍ତି ।
ସୂଚନାନୁସାରେ, ସମର୍ଥ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟ ଚାଲିଥିବା ସରକାରୀ କୋଠାକୁ ତିନିଦିନ ମଧ୍ୟରେ ଖାଲି କରିବା ପାଇଁ ନୋଟିସ୍ କରାଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଗତ ୫ ତାରିଖ ଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ