ସମସ୍ତ ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମାଲକାନଗିରି ଝିଅ – ମୁଖ୍ୟମନ୍ତ୍ରୀ କଲେ ପୁରସ୍କୃତ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ଆଦିବାସୀ ଅଞ୍ଚଳ ରେ ମହିଳାଙ୍କୁ ଜୈବିକ ପଦ୍ଧତିରେ ଉନ୍ନତମାନର ଚାଷ କରିବା ର ବାର୍ତା ଦେବା ସହିତ ନିଜେ ଚାଷ କରି ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣା। ରାଜ୍ୟସ୍ଥରୀୟ ସର୍ବୋତମ କୃଷକ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର କୋୟା ଆଦିବାସୀ ସମ୍ପ୍ରଦାୟର ଯୁବତୀ ମୁନୀ ମାଡକାମି। ୨୩ ବର୍ଷୀୟ ମୁନୀ ମାଡକାମୀ ଜଣେ କୋୟା ଆଦିବାସୀ ସମ୍ପ୍ରଦାୟର ଝିଅ। ଅଳ୍ପ ପାଠ ପଡ଼ିଥିଲେ ମଧ୍ୟ ନିଜେ ସଫଳ ମହିଳା ଚାଷୀ ଭାବେ ଗାଁ ର ଅନ୍ୟ ମହିଳା ଓ ଯୁବତୀ ଙ୍କୁ ଉନ୍ନତ ମାନର ଜୈବିକ ପଦ୍ଧତିରେ ଚାଷ କରିବାର ତାଲିମ ଦେଇଛନ୍ତି। ଗାଁ ରେ ପଡ଼ିଆ ପଡ଼ିଥିବା ପ୍ରାୟ ୨୦୦ ହେକ୍ଟର ଟାଙ୍ଗରା ଭୂଇଁକୁ ସବୁଜ ସଶ୍ୟ ସାମଳା କରିଛନ୍ତି। ସେ ଜୈବିକ ପଦ୍ଧତିରେ ଉନ୍ନତ ମାନର ଧାନ,ମାଣ୍ଡିଆ, ବାଦାମ, ମକା ଓ ପନିପରିବା ଚାଷ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସେ ଶୁକ୍ରବାର ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ସର୍ବୋତମ ମହିଳା କୃଷକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ଠାରୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହିତ କୃଷକ ଓଡିଶା ରେ ସମ୍ମାନିତ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲୀ ପଞ୍ଚାୟତର କୁର୍ତ୍ତୀ ଗାଁର ଶୁକ୍ରା ମାଡକାମି ତାଙ୍କର ୪ ଏକର ଚାଷ ଜମିରେ ଧାନ ଫସଲ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଘରେ ପତ୍ନୀ ରମେ ମାଡକାମୀ, ଦୁଇ ପୁଅ ଓ ଗୋଟିଏ ଝିଅ। ବାପା ଚାଷ ଜମିକୁ ଗଲେ ତାଙ୍କ ସାଥିରେ ଝିଅ ମୁନୀ ଯାଇ ଥାଆନ୍ତି। ଅର୍ଥାଭାବରୁ ପାଠପଢ଼ାରେ ପୂର୍ଣ୍ଣଛେଦ ପଡ଼ିବା ପରେ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଚାଲିଲେ। ବାପା ଭାଇଙ୍କ ଦେହ ଖରାପ ହେଲେ ନିଜେ ଜମିକୁ ଯାଇ ହଳ କରିବା ସହିତ ସମସ୍ତ ଚାଷ କାର୍ଯ୍ୟ କରିଥାନ୍ତି। ମୁନୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଜୀବିକା ମିଶନ ପକ୍ଷରୁ କାଲଦାପାଲୀ ପଞ୍ଚାୟତରେ କୃଷି ମିତ୍ର ଭାବେ କାମ କରିବାର ସୁଯୋଗ ମିଳିଲା,ଜିଲ୍ଲା କୃଷି ବିଭାଗ ପକ୍ଷରୁ ସହାୟତା ପାଇ ଓ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ତାଲିମ ପାଇ ଉନ୍ନତ ମାନର ଜୈବିକ ପଦ୍ଧତି ଚାଷ ସହିତ ପୋଖରୀରେ ମାଛ ଚାଷ କରିଛନ୍ତି। ତାପରେ ବୈଶୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଗତ ୫ବର୍ଷ ହେଲା ସେ ମନ ପ୍ରାଣ ଦେଇ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ଗାଁ ରେ ପଡିଆ ପଡ଼ିଥିବା ଜମି ଗୁଡିକୁ କିପରି ଚାଷ କରାଯିବ ସେଥି ପ୍ରତି ଗୁରୁତ୍ୱ ଦେଇ ମହିଳା ସ୍ୱୟଂଶାୟକ ଗୋଷ୍ଠୀର ମହିଳା ମାନଙ୍କୁ ସଚେତନ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ