ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ସକାଶେ ତ୍ରିପାକ୍ଷିକ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଡିସେମ୍ବର ୨୯ ରେ ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିପରି ସୁରୁଖୁର ଭାବେ କିଣାଯାଇପାରିବ ସେଥି ନିମନ୍ତେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପରିସରରେ ସମବାୟ, ଯୋଗାଣ ଓ ଋଷିକୁଲ୍ୟା ରୟତ ମହାସଭାର ଚାଷି ପ୍ରତିନିଧି ମାନଙ୍କୁ ନେଇ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଏଆରସିଏସ ସୁକାନ୍ତ କୁମାର ପାଢୀ ଓ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ଏବଂ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଚାଷି ମାନେ ଧାନ କ୍ରୟ ସମ୍ବଦ୍ଧରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଜିଲ୍ଲାରେ ସମସ୍ତ ଧାନ କ୍ରୟ ମଣ୍ଡି ତୁରନ୍ତ ଖୋଲିବା, ଟୋକେନ ଆସିଥିବା ଚାଷୀଙ୍କ ତାରିଖ ଧାର୍ଯ୍ୟ ଅନୁସାରେ ସମସ୍ତ ଧାନ କ୍ରୟ କରିବା, ଧାନ କ୍ରୟ କେନ୍ଦ୍ର ରେ ମିଲର ମାନେ ଆସି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା, ଟୋକେନ ପାଇଥିବା ଚାଷୀଙ୍କ ଅବଧି ଲାପ୍ସ ହେବା ପୂର୍ବରୁ ତୁରନ୍ତ ଧାନ ସଂଗ୍ରହ କରିବା, ଦୈନିକ ଜିଲ୍ଲାରୁ ଏକ ହଜାରରୁ ଉର୍ଦ୍ଧ୍ୱ କୁଇଂଟାଲ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା, ପ୍ରତି ଗ୍ରାମରେ ଚାଷି କମିଟି ଗଠନ କରି ସବୁ ଚାଷୀ ଓ ଭାଗ ଚାଷୀଙ୍କ ବଳକା ଧାନ କିଣିବା ପାଇଁ ସୁବ୍ୟବସ୍ଥା କରିବା, ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ପଂଚାୟତରେ ଅନ୍ୟୁନ୍ୟ ୩ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ଧାନ କ୍ରୟ କରିବା, ଧାନ କିଣା ସମ୍ପର୍କରେ ଅଭିଯୋଗ କରିବା ନିମନ୍ତେ ବ୍ଲକ ଓ ଜିଲ୍ଲା ସ୍ତରରେ ଟୋଲ ଫ୍ରି ନମ୍ବର ଜାରି କରିବା ସହ ଜୱାଦ ବାତ୍ୟା ପ୍ରଭାବରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ଏଥି ସକାଶେ ଧାନର ଏଫକ୍ୟୁ ମାନ କୋହଳ କରିବା ସମେତ ଚାଷୀଙ୍କ ହିତ ନିମନ୍ତେ ବିଭିନ୍ନ ସଂପର୍କରେ ରୁଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ଶ୍ରୀ ନାହାକ ଓ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରୁ ଆସିଥିବା ପ୍ରତିନିଧି ମାନେ ମୁଖ୍ୟ ଯୋଗାଣ ଅଧିକାରୀ ଓ ଏଆରସିଏସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ଦିନରେ ଏ ସମସ୍ତ ଦିଗରେ ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଗଲେ ଚାଷୀକୂଳ ଉପକୃତ ହେବେ ବୋଲି ମଧ୍ୟ ସେମାନେ କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଚାଷି ନେତା ଜୋହନ ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ଲକ୍ଷ୍ମୀ ଚରଣ ନାୟକ, ସଂଜୀବ ରେଡ୍ଡି, ବୈଷ୍ଣବ ରେଡ୍ଡି, ରାମକୃଷ୍ଣ ମହାପାତ୍ର, କିଶୋର ପଣ୍ଡାଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାର ୧୫ ଦିନ ବିତିଥିଲେ ସୁଦ୍ଧା ବୁଧୁବାର ଦିନ ୧ ଟା ସୁଦ୍ଧା ୩୮୮୫ ଜଣ ଚାଷୀଙ୍କ ଚାଷୀଙ୍କ ଠାରୁ ୨୦୫୮୧୮.୨୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ୨୫୫ ପ୍ୟାକ୍ସ, ୪୯ ଏସଏଚଜି ଓ ଗୋଟିଏ ପାଣି ପଂଚାୟତ ଧାନ କିଣାରେ ସାମିଲ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୬୪୪୭୭ କୁଇଂଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ ରହିଥିବା ବେଳେ ଧାନ ବିକ୍ରି ପାଇଁ ୧ ଲକ୍ଷ ୨୩ ହଜାର ୨୪୪ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଏଥି ସକାଶେ ଜିଲ୍ଲାରେ ୩୭୬ ପ୍ୟାକ୍ସ, ୧୦୧ ଏସଏଚଜି ଓ ଗୋଟିଏ ପାଣି ପଂଚାୟତ ଧାନ ସଂଗ୍ରହ ପାଇଁ ରହିଛନ୍ତି । ଏଥି ସକାଶେ ୩୦୦ ରୁ ଉର୍ଦ୍ଧ୍ୱ ମିଲର ଧାନ ସଂଗ୍ରହ ପାଇଁ ଅନୁମତି ପାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଜିଲ୍ଲାରେ ଦୁଇ ଦୁଇ ଥର ଧାନ ଫସଲରେ ପାଣି ଜମି ରହି ବହୁ ଫସଲ ନଷ୍ଟ ହୋଇଥିଲା । ଏଣୁ ସରକାର ଧାନ କିଣା ସମୟରେ ଧାନର ଗୁଣାତ୍ମକ ମାନକୁ ନ ଦେଖିବା ସହ କୋହଳ କରିବା ନିମନ୍ତେ ବହୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।