ସମସ୍ତ ଯୋଜନା ଗୁଡିକ ଯେପରି ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ : ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବିଭାଗର ବୈଷୟିକ ଓ ସରକାରୀ କାର‌୍ୟ୍ୟକ୍ରମର ସମନ୍ବୟରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ମତବ୍ୟକ୍ତ କରିଥିଲେଯେ, ଗଞ୍ଜାମ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଏବଂ କୃଷିର ଆନୁସଙ୍ଗୀକ ବିଭାଗଗୁଡିକର ଉନ୍ନତି ହେଲେ ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ପାରମ୍ପରିକ ଚାଷରୁ ଚାଷୀ କିପରି ଉଦ୍ୟୋଗୀ ହୋଇପାରିବ ସେଥିପ୍ରତି ବିଭାଗ ଗୁଡିକ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କୃଷକ ସଶକ୍ତିକରଣ ଯୋଜନାରେ କୃଷିର ଉନ୍ନତି ହେଲେ ଦେଶର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇପାରିବ । ଗ୍ରାମାଞ୍ଚଳରେ କୃଷିର ଋପାନ୍ତରଣ କାର‌୍ୟ୍ୟକ୍ରମ ଠିକ୍ ଭାବେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଚାଷୀର ଆୟ ଯେପରି ବୃଦ୍ଧି ପାଇବ ତାହା ହେଉଛି ଏହି କାର‌୍ୟ୍ୟକ୍ରମର ମୂଳଲକ୍ଷ୍ୟ । ଜୀବୀକା ନିର୍ବାହୀ କୃଷିକୁ ବ୍ୟାବସାୟୀକ କୃଷିରେ ପରିଣତ କରିବା, ସମନ୍ବୀତ କୃଷି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୁନିକ ଜଳସେଚନ ଉପକରଣର ବ୍ୟବହାର କରିବା, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା ଏହି କାର‌୍ୟ୍ୟକ୍ରମର ମୂଳଲକ୍ଷ୍ୟ । ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତରେ ୧୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ଏହି ବିଭାଗ ମାଧ୍ୟମରେ ଆୟ ବୃଦ୍ଧି କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିବା ସହ କୃଷି ସମ୍ପର୍କିତ ସମସ୍ତ ବିଭାଗ ସମନ୍ବୟ ରକ୍ଷାକରି କାମ କଲେ ଚାଷର ଉନ୍ନତି ହୋଇପାରିବ ବୋଲି କହିଥିଲେ । କୃଷି ବିଭାଗ ଓ ଉଦ୍ୟାନ କୃଷି ମୋ ଖତ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ସେଥିପ୍ରତି ଉତ୍ସାହିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜୈବଗ୍ୟାସର ବ୍ୟବହାର, କିଷାନ୍ କ୍ରେଡିଟ୍ କାର୍ଡ, ମିଶନ୍ ଶକ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଦ୍ବାରା ଚାଷୀ ମାନଙ୍କ ନିମନ୍ତେ ବିବିଧ କାର‌୍ୟ୍ୟକ୍ରମ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସ୍ବରୋଜଗାର ଯୋଜନାରେ ଗୁହାଳ ନିର୍ମାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେବା ସହ ସମସ୍ତ ଯୋଜନା ଗୁଡିକ ଯେପରି ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ