ସମସ୍ୟା ଘେରରେ ଗଞ୍ଜାମ ଚାଷୀ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାବେଳେ ଧାନ ଏଠିକାର ମୁଖ୍ୟ ଫସଲ । ବର୍ଷା ଦିନେ ବହୁଳ ଧାନ ଫସଲ ଚାଷ ହେଉଥିବାବେଳେ ଜିଲ୍ଲାରେ ମାତ୍ର ୫ ଭାଗ ଜମିରେ ଦୋ ଫସଲି ତଥା ରବି ଫସଲ,ପନିପରିବା ଆଦି ଚାଷ ହୋଇଥାଏ । ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ମାତ୍ର ୩୫ଭାଗ ଜମିକୁ ଜଳସେଚନର ସୁବିଧା ଉପଲବ୍ଧି ଥିବାବେଳେ ଖରାଦିନେ ନଦୀନାଳ ସୁଖିଯିବା ଫଳରେ ଜଳସେଚନ ପାଇଁ ଚାଷୀ ଉଠା ଜଳସେଚନ ଉପରେ ଭରସା କରିଥାଏ । କିନ୍ତୁ ସେଥିମଧ୍ୟରୁ ଅନେକ ଅକାମୀ ହୋଇପଡିଛି । ମୁଖ୍ୟମନ୍ତ୍ରୀ ଙ୍କଠାରୁ ଆରମ୍ଭ କରି ବାଚସ୍ପତି ତଥା ଶାସକ ଦଳର ବିଭିନ୍ନ ନେତା ଓ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହୋଇଥିଲେ ମଧ୍ୟ କୃଷି ଓ କୃଷକର ବିକାଶ ନିମନ୍ତେ ଗୁରୁତ୍ୱ ଦେଉନଥିବା ଜଣାପଡିଛି । କୃଷି ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ୩ ଲକ୍ଷ ଚାଷୀ ଧାନ ଚାଷ କରୁଥିବାବେଳେ ୪ ଲକ୍ଷରୁ ଉର୍ଦ୍ଧ ଭାଗଚାଷୀ ଧାନଚାଷ କରିଥାନ୍ତି । ତେବେ ପ୍ରତିବର୍ଷ ମାତ୍ର ୨୫ଭାଗ ଚାଷୀଙ୍କ ଧାନ କ୍ରୟ ହେଉଥିବାବେଳେ ଅନ୍ୟ ୭୫ ଭାଗ ଚାଷୀ ଦଲାଲ ଓ ମଧ୍ୟସ୍ଥିମାନଙ୍କ ଦ୍ୱାରା ଠକାମୀର ଶିକାର ହେଉଛନ୍ତି । କେବଳ ଧାନ କିଣାରେ ଜିଲ୍ଲାର ଚାଷୀମାନେ ପ୍ରତବର୍ଷ ୨୦ କୋଟି ଟଙ୍କା କ୍ଷତି ସହୁଥିବାବେଳେ ମୁଗ, ବିରି, ଚିନାବାଦାମ, ପନିପରିବା, ଲଙ୍କା ଆଦି ଚାଷରେ ଅଭାବୀ ବିକ୍ରୀ ଯୋଗୁଁ ବାର୍ଷିକ ୧୦୦ କୋଟିରୁ ଉର୍ଦ୍ଧ କ୍ଷତି ସହୁଛନ୍ତି । ଫସଲ ବୀମା କମ୍ପାନୀ ଗୁଡିକ ମଧ୍ୟ ଚାଷୀଙ୍କୁ ଭୂଆଁ ବୁଲାଉଥିବାବଳେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ପ୍ରତିବର୍ଷ ୯ ଲକ୍ଷରୁ ଉର୍ଦ୍ଧ କୃଷି ଶ୍ରମିକ ଓ ଛୋଟ ଚାଷୀ ଦାଦନ ଖଟିବାପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି । ଏକ ସର୍ଭେରୁ ଜଣାପଡିଛି ଯେ, ଜିଲ୍ଲାରେ କେବଳ ୧୦ ଭାଗ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସ୍ୱଚ୍ଛଳ ଥିବାବେଳେ ବାକି ଅନାନ୍ୟ ଚାଷୀମାନେ ଋଣଗ୍ରସ୍ତ ଓ ଅଭାବରେ ଦିନ କାଟୁଛନ୍ତି ।