ସମସ୍ୟା ଘେରରେ ଗୋବିନ୍ଦପୁର ଗାଁ, ଆବାସ ଯୋଜନା ଏମାନଙ୍କ ପାଇଁ ସାତସପନ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାହାଟତିହି ବ୍ଳକ ସମଣା ପଞ୍ଚାୟତର ଗୋବିନ୍ଦପୁର ଗାଁ । ଗାଁଟି ବୈତରଣୀ ନଦୀ କୁଳରେ ଥିବା ବେଳେ ଏଠାରେ ଶତାଧିକ ପରିବାର ବାସ କରନ୍ତି। ସରକାର ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଇନ୍ଦିରା ଆବାସ ଓ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳର ଗରିବ ଲୋକ ମାନଙ୍କୁ ବାସଗୃହ ଯୋଗାଇଦେଉଥିବା ବେଳେ ଏଠାରେ ଏହି ଯୋଜନାର ସୁଫଳ ଲୋକମାନେ ପାଇପାରିନାହାନ୍ତି। ପ୍ରତିବର୍ଷ ବନ୍ୟା କିମ୍ବା ବାତ୍ୟା ଆସିଲେ ସରକାର ଏହି ଗାଁର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଉଠାଇ ନେଇ କାମ ସାରି ଦିଅନ୍ତି। କିନ୍ତୁ ଏ ଗ୍ରାମର ଲୋକମାନେ କିପରି ବାସଗୃହ ଯୋଜନାରେ ଘର ପାଇବେ ସେ କଥା ବୁଝନ୍ତି ନାହିଁ। ଗୋବିନ୍ଦପୁର ଗାଁ ଖଣ୍ଡୁଆଳ ସାହିରେ ୩୫ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ମାତ୍ର ୩/୪ ଟି ପରିବାର ଆବାସ ଯୋଜନା ଘର ପାଇଥିବା ବେଳେ ଅନ୍ୟ ପରିବାର ଗୁଡିକ ଭଙ୍ଗା ଚାଳଘର ମାନଙ୍କରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଗତ ଦାନା ବାତ୍ୟାରେ ଏହିିସାହିର ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ଉଠାଇ ଆଣିଥିଲା ପ୍ରଶାସନ। ବାତ୍ୟା ଚାଲିଯିବା ପରେ ସେମାନେ ଘରକୁ ଫେରିବା ପରେ କାହାର କାନ୍ଥ ଭାଙ୍ଗି ପଡିଛି ତ କାହାର ଘରର ଛପର ଉଡିଯାଇଛି। ଏପରି ଅବସ୍ଥାରେ ସେମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କ୍ଷୟକ୍ଷତି ଆକଳନ କରିବାକୁ ତାଙ୍କ ଗାଁକୁ ଯାଇନଥିବା ଗ୍ରାମର ମଞ୍ଜୁଲତା ନାଏକ, ସରୋଜିନି ନାଏକ, ରୁନୁ ନାଏକ, ପୁନ ନାଏକ, ଶାନ୍ତିଲତା ନାଏକ, ଗୁରୁବାରୀ ନାଏକ, ସଞ୍ଜୟ ନାଏକ, ଅଶୋକ ନାଏକ, ଅଲେଖ ନାଏକ, ବାବାଜି ନାଏକ, ସୁରେଶ ନାଏକ, ମାନସ ନାଏକ, ସନ୍ତୋଷ ନାଏକ, ଦୁର୍ଯ୍ୟୋଧନ ନାଏକ, ପୁରୁଷୋତ୍ତମ ନାଏକ, କାଳନ୍ଦୀ ନାଏକ, ଗୋଲେଖ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନେକ ଦୁଖଃ କଷ୍ଟରେ ସେମାନେ କାଳାତିପାତ କରୁଥିବା ଅଭିଯୋଗ କରିଛନ୍ତି। ପ୍ରାୟ ଚାଳଘର ଉପରେ ପଲିଥିନିହିଁ ସାହାରା ପାଇଟିଛି। ଆଖପାଖ ଗାଁର ଲୋକେ ଘର ଉପରେ ଘର ପାଉଥିବା ବେଳେ ଆମ ଗରିବ ମାନଙ୍କ କଥା ସରକାର ଭୁଲି ଯାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମଣା ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ଗାଁରେ ପୂର୍ବରୁ ୨୦୨୧ / ୨୨ ରେ ୧୭ ଜଣ ଲୋକଙ୍କୁ ଆବାସ ଯୋଜନା ଘର ଦିଆଯାଇଛି। ୨/୩ଜଣ ଘର ନିର୍ମାଣ କରିଛନ୍ତି। ଏବେ ଆଉ ୨୫ଜଣଙ୍କୁ ଆବାସଘର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ